ଭୁବନେଶ୍ୱର: ଅକ୍ଷୟ ତୃତୀୟା । ଅର୍ଥ ଆଦୌ କ୍ଷତି କରୁ ନଥିବା ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥି । ହିନ୍ଦୁମାନଙ୍କର ପାଇଁ ଅନ୍ୟତମ ପବିତ୍ର ଦିବସ, ଯେଉଁଦିନରେ ଅନେକ ପ୍ରକାରର ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥାଏ । ଶ୍ରୀମନ୍ଦିର ଓ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ନିର୍ମାଣ ଆରମ୍ଭ ହୋଇଥିବା ରଥଗୁଡ଼ିକରେ ଏହି ଦିନ ଅଖ ଲାଗିଥାଏ । ଚଷାପୁଅ ଅଖିମୁଠି ଛୁଇଁଥାନ୍ତି । ବ୍ୟବସାୟୀମାନେ ରିହାତି ଉପହାର ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷିତ କରିଥାନ୍ତି । ଶାସ୍ତ୍ରରେ ଅକ୍ଷୟ ତୃତୀୟାକୁ ସ୍ୱୟଂସିଦ୍ଧ ମୁହୂର୍ତ୍ତ କୁହାଯାଇଥାଏ । ଧନତେରସ ଓ ଦୀପାବଳି ଭଳି ଅକ୍ଷୟ ତୃତୀୟାକୁ ମଧ୍ୟ ସମାନ ଭାବେ ପୂଣ୍ୟ ଦିବସ ମନେ କରାଯାଏ ।
ଦେଶରେ ଚଳିତ ବର୍ଷ ଅକ୍ଷୟ ତୃତୀୟ ୨୨ ତାରିଖ ପାଳନ କରାଯାଉଛି । କିନ୍ତୁ ଓଡ଼ିଶାରେ ଏହି ପର୍ବ ଏପ୍ରିଲ ୨୩ରେ ପାଳନ କରାଯିବ । ପୌରାଣିକ ଗ୍ରନ୍ଥ ଅନୁସାରେ ଏହିଦିନ କରାଯାଉଥିବା ଶୁଭ ଏବଂ ଧର୍ମକାମରୁ ଅକ୍ଷୟ ଫଳ ମିଳିଥାଏ । ଏହି ଦିନରେ ସୂର୍ଯ୍ୟ ଓ ଚନ୍ଦ୍ରମା ନିଜର ଉଚ୍ଚ ରାଶି ବୃଷଭରେ ବସବାସ କରିଥାନ୍ତି । ଏଥି ପାଇଁ ଉଭୟଙ୍କ ସମ୍ମିଶ୍ରିତ କୃପାର ଫଳ ଅକ୍ଷୟ ହୋଇଥାଏ । ଅକ୍ଷୟର ଅର୍ଥ କ୍ଷୟ ନ ହେବା । ତେଣୁ ଏହି ତିଥିରେ କରାଯାଉଥିବା ସମସ୍ତ କାମ ଶୁଭ ହୋଇଥାଏ ।
ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ
ପୌରାଣିକ କଥାବସ୍ତୁ ଅନୁସାରେ ଅକ୍ଷୟ ତୃତୀୟା ଦିନ ଭଗବାନ ପର୍ଶୁରାମ ମନୁଷ୍ୟରେ ରୂପରେ ଜନ୍ମନେଇଥିଲେ । ଏହି ଦିନ ଠାରୁ ବଦ୍ରୀନାଥର କବାଟ ଖୋଲିଥାଏ । ଉତ୍ତରପ୍ରଦେଶର ବୃନ୍ଦାବନରେ ଭଗବାନ ବାଙ୍କେ ବିହାରୀଙ୍କ ଚରଣ ଦର୍ଶନ ମିଳିଥାଏ । ଅକ୍ଷୟ ତୃତୀୟା ଦିନ ମୂଲ୍ୟବାନ ବସ୍ତୁ କିଣାଯାଇଥାଏ । ଅନେକ ଲୋକ ସୁନା ଅଳଙ୍କାର କିଣିବା ପାଇଁ ଏହି ଦିନକୁ ଅପେକ୍ଷା କରିଥାନ୍ତି । ଏହା ଦ୍ୱାରା ଧନପ୍ରାପ୍ତି ହୋଇଥାଏ ଏବଂ ଦାନର ମଧ୍ୟ ଅକ୍ଷୟ ହୋଇଥାଏ । ଅକ୍ଷୟ ତୃତୀୟା ଶୁଭ ମୁହୂର୍ତ୍ତ ଏପ୍ରିଲ ୨୨ ସକାଳ ୭ଟା ୪୯ରୁ ଆରମ୍ଭ ହୋଇଛି । ଏହି ମୁହୂର୍ତ୍ତ ଏପ୍ରିଲ ୨୩ ସକାଳ ୭ଟା ୪୭ ଯାଏଁ ଜାରି ରହିବ ।
କେମିତି କରିବେ ପୂଜା
ଅକ୍ଷୟ ତୃତୀୟା ଦିନ ସକାଳୁ ଉଠି ସ୍ନାନ କରନ୍ତୁ । ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ନିଜ ଠାକୁର ଘରେ ବିଷ୍ଣୁଙ୍କୁ ଗଂଗାଜଳରେ ଶୁଦ୍ଧ କରି ତୁଳସୀ, ହଳଦିଆ ଫୁଲମାଳ ଅଥବା ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏହା ପରେ ଧୂପ-ଅଗରବତୀ, ଦୀପ ଜାଳି ହଳଦିଆ ଆସନରେ ବସି ପୂଜା କରନ୍ତୁ । ବିଷ୍ଣୁଙ୍କ ପାଇଁ ସମ୍ବନ୍ଧିତ ମନ୍ତ୍ରପାଠ କରିବା ପରେ ଶେଷରେ ବିଷ୍ଣୁଙ୍କ ଆରତୀ ପଢ଼ନ୍ତୁ । ଏଥି ସହିତ ଭଗବାନ ବିଷ୍ଣୁଙ୍କ ନାମରେ ଗରିବଙ୍କୁ କିଛି ଦାନ କରନ୍ତୁ । ଈଶ୍ୱରଙ୍କ ପୂଜା, ଉପାସନା ତଥା ଧ୍ୟାନ କରନ୍ତୁ । ବ୍ୟବହାରକୁ ମଧୁର ରଖନ୍ତୁ । ଯଥା ସମ୍ଭବ କୌଣସି ବ୍ୟକ୍ତିଙ୍କୁ ସହଯୋଗ କରନ୍ତୁ । ନିଜ ଠାରୁ ସହଯୋଗ ଆଶା ରଖୁଥିବା ବ୍ୟକ୍ତିଙ୍କୁ ନିରାଶ କରନ୍ତୁ ନାହିଁ । ଦାନ ଦକ୍ଷିଣା ଅବଶ୍ୟ କରନ୍ତୁ ।
ଅକ୍ଷୟ ତୃତୀୟାରୁ ଚାରିଧାମ ଯାତ୍ରା
ସନାତନ ସଂସ୍କୃତିରେ ଅକ୍ଷୟ ତୃତୀୟାକୁ ବହୁତ ବଡ଼ ଶୁଭ ସମୟ ବୋଲି ବିବେଚନା କରାଯାଇଥାଏ । ହିନ୍ଦୁଧର୍ମାବଳମ୍ବୀ ଅକ୍ଷୟ ତୃତୀୟ ଦିନଠାରୁ ଅନେକଗୁଡ଼ିକ ଶୁଭକାର୍ଯ୍ୟ ଆରମ୍ଭ କରିଥାନ୍ତି । ସାମୁହିକ କାର୍ଯ୍ୟଗୁଡ଼ିକ ମଧ୍ୟ ଏହି ଦିନଠାରୁ ଆରମ୍ଭ ହୋଇଥାଏ । ଉତ୍ତରାଖଣ୍ଡର ପବିତ୍ର ଚାରିଧାମ (ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ) ଯାତ୍ରା ଆରମ୍ଭ ହୋଇଥାଏ । ଏହି ୪ ଧାମ ଦୀର୍ଘ ୬ ମାସ ବନ୍ଦ ରହିଲା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଥାଏ । ଏହି ଯାତ୍ରାରେ ସାମିଲ ହେବାକୁ ଭକ୍ତମାନେ ଦୀର୍ଘ ଦିନରୁ ଯୋଜନା କରିଥାନ୍ତି । ବହୁ କଷ୍ଟସାଧ୍ୟ ଯାତ୍ରା ସମସ୍ତଙ୍କର ଭାଗ୍ୟରେ ନଥାଏ ।