ଭୁବନେଶ୍ବର: ସେନାର ୩ ବିଭାଗରେ ଭର୍ତ୍ତି ହେବା ପାଇଁ ଗତ ୧୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ବାରା ‘ଅଗ୍ନିପଥ ଯୋଜନା’ ଘୋଷଣା ହେବା ଦିନଠାରୁ ଦେଶର ୧୩ଟି ରାଜ୍ୟରେ ହିଂସା, ପ୍ରଦର୍ଶନ, ବିକ୍ଷୋଭ ଦେଖାଯାଇଛି। ବିଗତ ୩ ଦିନ ହେଲା ଉତ୍ତର ପ୍ରଦେଶ ଓ ବିହାରରେ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଶହ ଶହ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଶତାଧିକ ଟ୍ରେନ୍କୁ ବାଧ୍ୟ ହୋଇ ବାତିଲ କରାଯାଇଛି। କିଛି ଟ୍ରେନ୍ ଆଂଶିକ ବାତିଲ ହୋଇଥିବା ବେଳେ ଶହ ଶହ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି। ବିହାରରେ ଶନିବାର ବନ୍ଦ ଡାକରା ଦିଆଯାଇଥିବା ବେଳେ ୧୨ଟି ଜିଲ୍ଲାରେ ଇଣ୍ଟରନେଟ ସେବା ରଦ୍ଦ କରାଯାଇଛି। ହରିୟାଣାର ଗୋଟିଏ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ ସହିତ ଏସଏମଏସ ସେବା ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି ।
ତେବେ ଦେଶରେ ଅଗ୍ନିପଥ ବିବାଦ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ସରକାର ଏବେ ବଡ଼ ଘୋଷଣା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟରେ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣ ନେଇ ଘୋଷଣା ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟରେ ୧୬ଟି ପିୟୁସିରେ ଏହି ସଂରକ୍ଷଣ ମିଳିବ। ସେହିଭଳି ପ୍ରତିରକ୍ଷା ମନ୍ତ୍ରାଳୟର ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ଏହି ସଂରକ୍ଷଣ ଦିଆଯିବ । ଭାରତୀୟ ତଟରକ୍ଷୀ ବାହିନୀରେ ମଧ୍ୟ ଏମାନଙ୍କୁ ନିଯୁକ୍ତିରେ ସରଂକ୍ଷଣ ମିଳିବ । ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ଥିବା ସଂରକ୍ଷଣ ସହ ୧୦ ପ୍ରତିଶତର ଅତିରିକ୍ତ ସଂରକ୍ଷଣ ମିଳିବ।
ମୁହଁ ଖୋଲିଲେ ସାଂସଦ ଅପରାଜିତା
ଅଗ୍ନିପଥ ଯୋଜନାକୁ ଏବେ ଦେଶରେ ସମର୍ଥନ ମିଳୁଛି। ବିଭିନ୍ନ ରାଜ୍ୟ ସରକାର ଅଗ୍ନିପଥ ଯୋଜନାର ନିଯୁକ୍ତି ପାଇଁ ୪ ବର୍ଷ କାଳ ସଫଳତାର ସହିତ କାମ କରିଥିଲେ ନିଜ ରାଜ୍ୟରେ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଛନ୍ତି। ଏହି କ୍ରମରେ କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଓ ହରିୟାଣା ଅଗ୍ରଣୀ ଭୂମିକା ନେଇଛନ୍ତି। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଅଗ୍ନିପଥ ଯୋଜନା ବହୁତ ଭଲ ଯୋଜନା। ଯୋଜନାକୁ ସହଯୋଗ କରିବା କଥା, ବିରୋଧ ଦେଖିଲେ ଏହା ରାଜନୈତିକ ଷଡ଼ଯନ୍ତ୍ର ଭଳି ଲାଗୁଛି। ସମସ୍ତ ବିଶେଷଜ୍ଞଙ୍କ ମତାମତ ନେଇ ଯୋଜନା କରାଯାଇଛି। ଅନ୍ୟ ଦେଶର ମଡେଲକୁ ଅନୁଧ୍ୟାନ କରାଯାଇଛି।
ବିରୋଧ ଆଳରେ କ୍ଷତି
‘ଅଗ୍ନିପଥ ଯୋଜନା’ ବିରୋଧରେ ଦେଶବ୍ୟାପୀ ହିଂସା ଦେଖାଯାଇଛି। ଅନେକଗୁଡ଼ିଏ ଟ୍ରେନ୍ ପୋଡ଼ିଦେଇ ଦେଶର ରାଜସ୍ବ କ୍ଷତି କରାଯାଇଛି। ଏହା ପ୍ରାୟୋଜିତ ହିଂସା ବୋଲି କୁହାଯାଉଛି। ଉତ୍ତର ପ୍ରଦେଶ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ସମେତ ୧୩ଟି ରାଜ୍ୟରେ ହିଂସାକାଣ୍ଡ ଦେଖାଯାଇଛି। ହିଂସାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବିହାର, ହରିୟାଣା ଓ ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୪ ଜିଲ୍ଲାରେ ୬ଟି ମାମଲା ରୁଜୁ ହୋଇଛି ଏବଂ ୨୬୦ ଜଣଙ୍କୁ ଗିରଫ କରାଯାଇଛି ।
ବିହାରରେ ଅଧିକ କ୍ଷତି
ବିହାରରେ କିଛି ଛାତ୍ର ସଂଗଠନ ଶନିବାର ରାଜ୍ୟବ୍ୟାପୀ ବନ୍ଦ କରିଥିଲେ । ଏହି ବନ୍ଦକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା ଓ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ସମର୍ଥନ କରିଥିଲା। ନାଳନ୍ଦାର ଇସଲାମପୁର ରେଳଷ୍ଟେସନରେ ମଗଧ ଏକ୍ସପ୍ରେସର ୪ଟି ବଗି ଜାଳି ଦିଆଯାଇଛି । ଆରାରେ କୁହ୍ଲାଡିଆ ଷ୍ଟେସନରେ ସ୍ପେଶାଲ ଟ୍ରେନରେ ନିଆଁ ଲଗାଇ ଦିଆଯାଇଛି । ବିହିୟା ରେଳଷ୍ଟେସନରେ ଟିକେଟ କାଉଣ୍ଟରୁ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ ହୋଇଛି । ୬୫୦ ଅଜ୍ଞାତ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ୧୬ ଜଣ ଉପଦ୍ରବକାରୀ ଗିରଫ ହୋଇଛନ୍ତି । ସେହିଭଳି ମୋତିହାରୀରେ ୨୩ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି । ସମସ୍ତିପୁର ଓ ଦରଭଙ୍ଗାରେ ୧୪୪ ଧାରା ଲାଗୁ କରାଯାଇଛି ।
କେନ୍ଦ୍ର ସରକାରଙ୍କୁ ପ୍ରଶଂସା
ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ଲିଗ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ଛାତ୍ରଛାତ୍ରୀମାନେ ଶୁକ୍ରବାର ନିଜ ହାତରେ ପୋଷ୍ଟର ନେଇ ନିଜ ଶିକ୍ଷାନୁଷ୍ଠାନ ପରିସରରେ ପ୍ରଦର୍ଶନ କରିଛନ୍ତି । ଏହି ପୋଷ୍ଟରରେ ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମର୍ଥନ ଜଣାଯାଇଛି । ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ବିରୋଧରେ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଯୋଗୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଟ୍ରେନ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଘର ଉପରେ ବୁଲଡୋଜର ଚଢ଼ାଯାଉ । ପ୍ରଦର୍ଶନକାରୀଙ୍କ ବିରୋଧରେ ୟୁଏପିଏ ଲାଗୁ କରାଯାଉ। ସରକାରଙ୍କ କୌଣସି ଯେଜାନା ବିରୋଧରେ ପ୍ରଦର୍ଶନ କରିବା ଭୁଲ ।