Thursday, March 20, 2025
Homeଅଣ୍ଡା ମାଡ଼: ମନ୍ତ୍ରୀ-ସାସଂଦଙ୍କୁ ଟାର୍ଗେଟ୍‌
Array

ଅଣ୍ଡା ମାଡ଼: ମନ୍ତ୍ରୀ-ସାସଂଦଙ୍କୁ ଟାର୍ଗେଟ୍‌

ଭୁବନେଶ୍ୱର: ରାଜ୍ୟରେ ନେତାମାନେ ହୀନ ରାଜନୀତି କରୁଥିବା ଦୃଷ୍ଟିଗୋଚର ହେଉଛି। ସେ ଶାସନ ଦଳ ହେଉକି କଂଗ୍ରେସ ଅବା ବିଜେପି, ସମସ୍ତେ ହୀନ ରାଜନୀତିକୁ ପ୍ରଶୟ ଦେଉଛନ୍ତି। କୌଣସି କାମରେ ମନ୍ତ୍ରୀ ବା ସାଂସଦ ରାଜରାସ୍ତାରେ ଯାଉଛନ୍ତି, ବିରୋଧୀ ଦଳର ନେତାମାନେ ଅଣ୍ଡାମାଡ଼ କରୁଛନ୍ତି। ଏହି ଅଣ୍ଡା ମାଡ଼ ଘଟଣା ବିଗତ କିଛି ବର୍ଷ ହେଲା ଲାଗି ରହିଛି। ତେବେ ଗତ ଅକ୍ଟୋବର ମାସଠାରୁ ଅଧିକ ପରିଲକ୍ଷିତ ହେଉଛି। ନେତାମାନେ ଅଣ୍ଡା ମାଡ଼ କରି ଆତ୍ମ ତୃପ୍ତି ଲାଭ କରୁଛନ୍ତି। ବାସ୍ତବରେ ନେତାମାନେ ବହୁତ ଭୟଙ୍କର। ଖାଲି ସେମେନେ ଯେତେବେଳେ ଭୋଟ ପାଇଁ ସାଧାରଣ ଜନତାଙ୍କର ନିକଟତର ହୋଇଥାନ୍ତି, ସେହି ସମୟରେ ସରଳ ଦେଖାଯାଆନ୍ତି।

ବିଗତ ଦୁଇ ମାସ ମଧ୍ୟରେ କଳାହାଣ୍ଡି, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ବାରିପଦା ଓ ଜଗତସିଂହପୁରରେ ଅଣ୍ଡା ମାଡ଼ ହୋଇଛି।  କିନ୍ତୁ ପୂର୍ବରୁ ବଲାଙ୍ଗୀର, ଢେଙ୍କାନାଳ, ଉମରକୋଟ, କଟକ, ପୁରୀ ଓ ବାଲେଶ୍ୱରରେ ମଧ୍ୟ ଅଣ୍ଡାମାଡ଼ ହୋଇଛି। ଅଣ୍ଡା ମାଡ଼ର ଶିକାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ। ତେବେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତା ଠାରୁ ଦୂରରେ ଥିବାରୁ ତାଙ୍କ ଉପରକୁ କେହି ଅଣ୍ଡା ମାଡ଼ କରିନାହାନ୍ତି। ବରଂ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରରେ ମନ୍ତ୍ରୀ ପଦରେ ଥିବା ନେତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି।

ମମିତା ମେହରେ ଘଟଣାରେ ଅଣ୍ଡାମାଡ଼

ବିଭିନ୍ନ ଘଟଣାକୁ ନେଇ ଅସନ୍ତୁଷ୍ଟ ତଥା ଉତ୍ତେଜିତ ରାଜନେତା ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରିଛନ୍ତି। ବିଗତ ୨ ମାସ ଭିତରେ ହୋଇଥିବା ଅଣ୍ଡା ମାଡ଼ ଘଟଣା ସହିତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଜଡ଼ିତ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ତଥା ଡ୍ରାଇଭର ରାଧେଶ୍ୟାମ୍‌ ଚଣ୍ଡି ଗିରଫ ହୋଇଥଲା ବେଳେ କଂଗ୍ରେସ ଓ ବିଜେପି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଧ୍ୟ ତଦନ୍ତର ଅନ୍ତର୍ଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରିଆସୁଛନ୍ତି। ତେବେ ଶାସକ ଦଳ ଗତ ସେପ୍ଟେମ୍ବର ମାସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବା ପରେ ପର୍ଯ୍ୟାୟ କ୍ରମରେ ବିଭିନ୍ନ ଜିଲ୍ଲାକୁ ଯୋଡୁଛନ୍ତି। ଏଥି ପାଇଁ ମନ୍ତ୍ରୀ ଓ ନେତାମାନେ ଯେତେବେଳେ ଜିଲ୍ଲା ଗସ୍ତ କରୁଛନ୍ତି ବିରୋଧୀ ବିଜେପି ଓ ବିଜେଡିର ଅଣ୍ଡା ମାଡ଼ ଶିକାର ହେଉଛନ୍ତି।

ସ୍ମାର୍ଟ କାର୍ଡ ବିତରଣ ବେଳେ ଅଣ୍ଡାମାଡ଼

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସମୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ କଳାହାଣ୍ଡି ଜିଲ୍ଲା ନର୍ଲା ନିକଟରେ ଅଣ୍ଡା ମାଡ଼ ହୋଇଥିଲା। ସେହିପରି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣି, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡି ରାଜ୍ୟ ସଂଗଠକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିଜେପି ଓ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହିତ ସ୍ଲୋଗାନ ଦେଇଥିଲେ।  

ବିଶେଶ୍ୱର ଟୁଡୁଙ୍କୁ ୨ ଥର ଅଣ୍ଡାମାଡ଼

ଶାସକ ଦଳକୁ ଟାର୍ଗେଟ କରି ଉଭୟ ବିଜେପି ଓ କଂଗ୍ରେସ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ଅଣ୍ଡା ମାଡ଼ କରିଛନ୍ତି। କିନ୍ତୁ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଗତ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଗସ୍ତରେ ଥିବା ବେଳେ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହିତ ଅଣ୍ଡା ମାଡ଼ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେଡି କର୍ମୀମାନେ ନଭେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାରେ ଅଣ୍ଡା ମାଡ଼ କରିଛନ୍ତି। କେବଳ ସେତିକି ନୁହେଁ, ଗତ ଅକ୍ଟୋବର ମାସ ୩୧ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ କଂଗ୍ରେସ କର୍ମୀମାନେ ତାଙ୍କୁ ଭୁବନେଶ୍ୱରରେ ଅଣ୍ଡାମାଡ଼ କରିଥିଲେ। କଂଗ୍ରେସ ନେତାମାନେ ଯୁକ୍ତି ବାଢ଼ିଥିଲେ ଯେ, ମନ୍ତ୍ରୀଙ୍କ ଦ୍ୱାରା ଉତ୍ତର ପ୍ରଦେଶର ଲଖିମପୁରରେ ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments