ପାହାଡ଼ଶ୍ରୀଗିଡ଼ାରେ ବୀରତା ଦିବସ ପାଳନ
ବରଗଡ଼: ପାହାଡ଼ଶ୍ରୀଗିଡ଼ାର ସଂଗ୍ରାମୀମାନଙ୍କ ବିଜୟ, ବ୍ରିଟିଶ ସେନାର ପରାଜୟ ଓ ଉଡ଼ବ୍ରିଜଙ୍କ ହତ୍ୟା ସମଗ୍ର ଭାରତବର୍ଷର ବ୍ରିଟିଶ ବିରୋଧୀ ସଂଗ୍ରାମର ଏକ ମହତ୍ତ୍ବପୂର୍ଣ୍ଣ ଉପଲବ୍ଧି। ମାତ୍ର ଜନାର୍ଦ୍ଦନ ସିଂଙ୍କ ବିଷୟରେ ଯେତିକି ପ୍ରଚାର ପ୍ରସାର ହେବା କଥା ହୋଇ ନାହିଁ କି ସମ୍ମାନ ବି ସେତିକି ମିଳି ପାରିନାହିଁ ବୋଲି ପାହାଡ଼ଶ୍ରୀଗିଡ଼ାରେ ଜନାର୍ଦ୍ଦନ ସିଂ ସ୍ମୃତି ସଂସଦ ପକ୍ଷରୁ ଶନିବାର ବୀରତା ଦିବସ ପାଳନ ଉତ୍ସବରେ ଯୋଗ ଦେଇ ବକ୍ତାମାନେ କହିଛନ୍ତି। ସତ୍ୟବାନ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନାର୍ଦ୍ଦନ ସିଂଙ୍କ ସ୍ମୃତିଚାରଣ କରିବା ସହ ପାହାଡ଼ଶ୍ରୀଗିଡ଼ାରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ଓ ଅତାବିରାରେ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କହିଥିଲେ। ପାଠ୍ୟ ପୁସ୍ତକରେ ମଧ୍ୟ ଜନାର୍ଦ୍ଦନଙ୍କ ସଂଗ୍ରାମ ବିଷୟରେ ସାମିଲ ପାଇଁ ସେ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀମତୀ ଛୁରିଆ କହିଥିଲେ।
ଐତିହାସିକ ଦୀପକ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ, ପାହାଡ଼ଶ୍ରୀଗିଡ଼ାର ଜମିଦାର ଜନାର୍ଦ୍ଦନ ସିଂଙ୍କ ନେତୃତ୍ବରେ ସଂଗ୍ରାମୀମାନେ ବ୍ରିଟିଶ ସେନାକୁ ଶୋଚନୀୟ ଭାବେ ପରାଜିତ କରିଥିଲେ। ଜନାର୍ଦ୍ଦନ ସିଂଙ୍କ ନେତୃତ୍ବରେ କ୍ୟାପ୍ଟେନ୍ ଉଡବ୍ରିଜଙ୍କୁ ହତ୍ୟା କରାଯାଇଥିଲା। ଜନାର୍ଦ୍ଦନ ସିଂଙ୍କ ବୀରତ୍ବର ଗାଥା ଲୋକ ଲୋଚନକୁ ଆଣିବାରେ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଥିଲେ। ‘ସମ୍ବାଦ’ର ସହ-ସମ୍ପାଦକ ମୁରଲୀଧର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ, ପାହାଡ଼ଶ୍ରୀଗିଡ଼ାରେ ୧୨ ଫେବ୍ରୁଆରି ୧୮୫୮ ମସିହାର ଘଟଣା ଏକ ବିଶେଷ ଐତିହାସିକ ଦିବସ। ସ୍ବାଧୀନତା ସଂଗ୍ରାମରେ ସାମିଲ ଥିବା ଏ ଅଞ୍ଚଳର ବହୁ ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ବର ଗାଥା ଏବେ ବି ଲୋକଲୋଚନକୁ ଆସି ପାରି ନାହିଁ। ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଲୋଡ଼ା ବୋଲି କହିଥିଲେ। ଗବେଷକ ପ୍ରଶାନ୍ତ ପ୍ରଧାନ ମଞ୍ଚାସୀନ ଥିଲେ।
ସ୍ମୃତି ସଂସଦର ସଭାପତି ମୋହନ ସିଂଙ୍କ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ଅରୁଣ ସାହୁ ଧନ୍ୟବାଦ ଦେଇଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନାର୍ଦ୍ଦନ ସିଂଙ୍କ ଦାୟାଦ ପୁରୁଷୋତ୍ତମ ସିଂ, ହରଜିତ୍ ସିଂ ଓ ଈଶ୍ବର ସିଂ, ଗଣ୍ଡ ସମାଜର ସମ୍ପାଦକ ଶ୍ୟାମ ସୁନ୍ଦର ଭୋଇ, କୃପା ରାଏ, ପିଣ୍ଟୁ କୁମୁରା, ଗିରିଶ ଚନ୍ଦ୍ର ଭୁଏ, ରୁଦ୍ର ଗଡ଼ତିଆ, ଭୋଇନାଥ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ସଭା ପୂର୍ବରୁ ପାହାଡ଼ଶ୍ରୀଗିଡ଼ା ଯୁଦ୍ଧସ୍ଥଳୀ ଓ ଉଡ଼ବ୍ରିଜଙ୍କ ହତ୍ୟାସ୍ଥଳୀ ମୋର୍ଚ୍ଚାବନ୍ଧଠାରେ ବିଭିନ୍ନ ଗ୍ରାମ ଓ ବନଦେବୀ ସମୂହଙ୍କୁ ପୂଜା ପୂର୍ବକ ମଶାଲ ପ୍ରଜ୍ବଳିତ କରି ଗାଁକୁ ଅଣାଯାଇଥିଲା। ଏହା ସହ ମଶାଲ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା। ଏଥିରେ ରାଜାରାମ ନାୟକ, ସୁଜିତ ସାହୁ, ଭୋଳାନାଥ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ଜନାର୍ଦ୍ଦନ ସିଂ ସେନା ଓ ଗାଁର ଯୁବଗୋଷ୍ଠୀ ଏଥିରେ ସହଯୋଗ କରିଥିଲେ।