ଭୁବନେଶ୍ବର: ନେତାଙ୍କୁ ବିରୋଧୀ ଦଳ କଳାପତାକା ଦେଖାଇବା ସମସ୍ତେ ଅବଗତ ଅଛନ୍ତି। ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ, ଅତୀତରେ ଆମେ ଏଭଳି ଦୃଶ୍ୟ ଦେଖିଛେ ଅଥବା ଅବଗତ ହୋଇଛେ। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କୁ କଳାପତାକା ଦେଖାଇବା ବିରଳ ଘଟଣା। ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ହୋଇ ନଥିଲେ ମଧ୍ୟ ନେତାମାନେ ତାଙ୍କୁ ଟାର୍ଗେଟ କରାଯିବା ପଛରେ କିଛି ଉଦ୍ଦେଶ୍ୟ ଥାଇପାରେ ବୋଲି ଚର୍ଚ୍ଚା କରାଯାଉଛି। ପୁଣି ରାଜ୍ୟ ସରକାରଙ୍କ ସବୁଠୁ ଚର୍ଚ୍ଚିତ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ। ଭଦ୍ରକର ଚରମ୍ପା ଛକରେ ଯୁବ କଂଗ୍ରେସର କର୍ମୀମାନେ ରବିବାର ଅପରାହ୍ଣ ସମୟରେ ଶ୍ରୀ ପାଣ୍ଡିଆନ୍ଙ୍କୁ କଳାପତାକା ପ୍ରଦର୍ଶନ କରିବା ସହିତ ବିରୋଧ କରିଛନ୍ତି।
ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟରେ ଭିକେ ପାଣ୍ଡିଆନ୍ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ଚର୍ଚ୍ଚା ହୋଇଥାଏ। ପ୍ରଶାସନିକ ସ୍ତରରେ ତାଙ୍କର କ୍ଷମତା ଓ ଦକ୍ଷତା ସବୁଠାରୁ ଆଗରେ ବୋଲି ଆଲୋଚନା କରାଯାଇଥାଏ। ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା, ନୂଆ ପ୍ରକଳ୍ପର ଆବଶ୍ୟକତା ଆଦି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପାଣ୍ଡିଆନ୍ ଅବଗତ କରିଥାନ୍ତି। ସବୁ ସ୍ଥାନକୁ ମୁଖ୍ୟମନ୍ତ୍ରୀ ଗସ୍ତ କରିପାରୁ ନଥିଲେ ବି ସେ ୫-ଟି ସଚିବ ଶ୍ରୀ ପାଣ୍ଡିଆନକୁ ପ୍ରକଳ୍ପ ସ୍ଥଳକୁ ଯାଇ ସମୀକ୍ଷା କରିବାକୁ ପରାମର୍ଶ ଦେଇଥାନ୍ତି।
ଗୋ-ବ୍ୟାକ୍ ନାରା
୫-ଟି ସଚିବ ୨୦୨୩ ଜୁନ୍ ୧୦ ତାରିଖ ଠାରୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇଥିଲେ। ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାମ ସମୀକ୍ଷା କରି ରବିବାର ଭଦ୍ରକରେ ପହଞ୍ଚି ଥିଲେ। ଭଦ୍ରକ ସରକାରୀ ହାଇସ୍କୁଲରେ ଶ୍ରୀ ପାଣ୍ଡିଆନ୍ଙ୍କ ଏକ କାର୍ଯ୍ୟକ୍ରମ ଥିଲା। ଚରମ୍ପାରେ ମହିଳା ସମାବେଶକୁ ସମ୍ବୋଧିତ କରିଥିଲେ। କିନ୍ତୁ ଅସନ୍ତୋଷ ଯୁବ କଂଗ୍ରେସର କର୍ମୀମାନେ ଶ୍ରୀ ପାଣ୍ଡିଆନଙ୍କୁ କଳାପତାକା ପ୍ରଦର୍ଶନ କରିଥିଲେ। ଯୁବ କଂଗ୍ରେସ କର୍ମୀମାନେ ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ଏବଂ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦାବିରେ କଂଗ୍ରେସ କର୍ମୀ ଓ ଯୁବ କଂଗ୍ରେସର ସଦସ୍ୟମାନେ କଳାପତାକା ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଦେଖାଇ ଗୋ-ବ୍ୟାକ୍ ନାରା ଦେଇଥିଲେ।
ବହୁ ଦିନର ପୁରୁଣା ଦାବି
ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ଦାବି ନୂଆ ନୁହେଁ। ୨୦୧୯ ମସିହା ଠାରୁ ଏହି ଦାବି ହୋଇ ଆସୁଛି। ମେଡିକାଲ କଲେଜ ଦାବିରେ ଜିଲ୍ଲାର ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାଧାରଣ ଜନତା ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଆନ୍ଦୋଳନକାରୀମାନେ ଅନେକ ସମୟରେ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଜାତୀୟ ରାଜପଥ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଭଦ୍ରକ କୋର୍ଟ, ସ୍କୁଲ, କଲେଜ, ପୋଷ୍ଟ ଅଫିସ୍ ଓ ବ୍ୟାଙ୍କ ସବୁ ବନ୍ଦ କରିଛନ୍ତି। ୨୦୧୯ ନଭେମ୍ବର ୨୯ ତାରିଖରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ, ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ ପାଇଁ ବିଚାର ଚାଲିଛି। ମେଡିକାଲ କଲେଜ ନିର୍ମାଣ ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ବିଧାୟକ ଅନୁରୋଧ କରିଥିଲେ। ଭଦ୍ରକସ୍ଥିତ ମଦର-ଚାଇଲ୍ଡ ହସ୍ପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବ।
ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ବି କଳାପତାକା ପ୍ରଦର୍ଶନ
ବିରୋଧୀମାନେ ଯେତେବେଳେ ଉଗ୍ର ରୂପ ନେଇଥାନ୍ତି, ସେମାନେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡ଼ନ୍ତି ନାହିଁ। ବିଗତ କିଛି ବର୍ଷ ହେଲା ବିରୋଧୀ ଦଳର ନେତାମାନେ ନେତାମାନେ ଯେତେବେଳେ ରାଜରାସ୍ତାରେ ଯାଉଛନ୍ତି, କଳାପତାକା ପ୍ରଦର୍ଶନ କରୁଛନ୍ତି। ୨୦୧୯ ମସିହା ଫେବ୍ରୁଆରି ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସାମ ନାଗରିକ ସଂଶୋଧନ ବିଲ୍ ପ୍ରସଙ୍ଗରେ ଗୌହାଟିରେ କଳାପତାକା ପ୍ରଦର୍ଶନ କରିଥିଲେ ଇଣ୍ଡିଆ ଆସାମ ଷ୍ଟୁଡେଣ୍ଟସ୍ ୟୁନିୟନ୍ ସଦସ୍ୟମାନେ। ସ୍ଥାନୀୟ ବିମାନବନ୍ଦରରୁ ଗୌହାଟିର ରାଜଭବନ ଯିବା ବାଟରେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରତିବାଦ ଲକ୍ଷ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରିଛନ୍ତି। ଏକଦା ମୁଖ୍ୟମନ୍ତ୍ରୀଙ୍କ ପୁରୀ, କଳାହାଣ୍ଡି, ବରଗଡ଼, ଢେଙ୍କାନାଳରେ ଅତୀତରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ବିରୋଧୀ ଦଳର ନେତାଙ୍କ ଦ୍ବାରା ଏହି ବିରୋଧ ପ୍ରଦର୍ଶନ କରାଯାଇଥିଲା।