ଅଧିକ ସାର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି: କୃଷି ମନ୍ତ୍ରୀ

0
379

ଭୁବନେଶ୍ୱର:  କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି। ସାର ଯେପରି ଧାର୍ଯ୍ୟ ଦରରେ ବିକ୍ରି ହୁଏ ଓ ଏହାର ସୁଷମ ବଣ୍ଟନ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ଖରିଫ୍‌ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୋଭିଡ୍‌- ୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ। ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷକାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ।

ବୈଠକରେ ବିଭିନ୍ନ ସ୍ଥାନରେ ବର୍ଷାର ସ୍ଥିତି ସଂପର୍କରେ ବିଶଦ ଭାବରେ ଆଲୋଚନ କରାଯାଇଥିଲା। ଏଥି ସହିତ ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ପକ୍ଷରୁ ‘ମୋ ପୋଖରୀ’ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା। କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ ସମୟରେ ନିୟମିତ ବୃକ୍ଷରୋପଣ ସ୍ଥାନଗୁଡ଼ିକର ପରିଦର୍ଶନ କରିବା ପାଇଁ ମନ୍ତ୍ରୀ କହିଥିଲେ।

କୋଭିଡ୍‌-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ ନିମନ୍ତେ ହିତାଧିକାରୀ ଚୟନ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ‘ଆତ୍ମା’ ଆଦି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ନୋଡାଲ୍‌ ଅଧିକାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here