ଭୁବନେଶ୍ବର: ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଗରିବ ଅନୂସୁଚିତ ଜାତି ଓ ଜନଜାତି ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ଶିକ୍ଷାନୁଷ୍ଠାନ ଓ ଛାତ୍ରାବାସର ବ୍ୟବସ୍ଥା କରିଛନ୍ତି। କିନ୍ତୁ ପିଲାଙ୍କୁ ଛାତ୍ରାବାସଗୁଡ଼ିକରେ ନିମ୍ନମାନର ଖାଦ୍ୟ ସହ ଏହା ପେଟପୁରା ଦିଆଯାଉନଥିବା ଅଭିଯୋଗ ହେଉଛି। ଏପରିକି ଅତୀତରେ ଛାତ୍ରାବାସର ଦାୟିତ୍ବରେ ଥିବା ଶିକ୍ଷକମାନେ ପିଲାମାନଙ୍କୁ ଦୁର୍ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ତୁମେ ଘରେ ଏଭଳି ଖାଦ୍ୟ ଖାଉଛ କି ବୋଲି ପ୍ରଶ୍ନ କରୁଛନ୍ତି। ପାଟିକଲେ ଟିସି ଦେଇ ବିଦା କରିଦେବି ବୋଲି ଧମକ ଦେଉଛନ୍ତି। ନିଜର ଅଧିକାର ପାଇବା ପାଇଁ ପିଲାମାନେ ଜଙ୍ଗଲ ଭିତରେ ପାଦରେ ଚାଲିଚାଲି ଯାଇ ଅଧିକାରୀଙ୍କୁ ମଧ୍ୟ ଭେଟି ଛାତ୍ରାବାସରେ ରହିଥିବା ପୁଳା ପୁଳା ସମସ୍ୟାଗୁଡିକ ବଖାଣିଥିଲେ।
୨କିମି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ
ଗତମାସ ୨ ତାରିଖର ଘଟଣା। ରାୟଗଡ଼ାସ୍ଥିତ ଆରଏସ୍ଇଡବ୍ଲୁସି ହାଇସ୍କୁଲରେ ଥିବା ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ସହ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର ଏବଂ ମାସିକ ସାମଗ୍ରୀ ନଦେଇ ଧମକାଇବା ନେଇ ଛାତ୍ରମାନେ ସଂଗୀନ ଅଭିଯୋଗ ଆଣିଥିଲେ। ହାଇସ୍କୁଲରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଛାତ୍ରାବାସର ସୁବିଧା ରହିଛି। କିନ୍ତୁ ଏଠାରେ ଲାଗି ରହିଥିବା ଅବ୍ୟବସ୍ଥା ସଂପର୍କରେ ମଙ୍ଗଳବାର ଶତାଧିକ ପିଲା ପ୍ରାୟ ୨ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ସେହିପରି ଛାତ୍ରାବାସରେ ପିଲାଙ୍କୁ ମିଳୁଥିବା ଦୈନନ୍ଦିନ ସାମଗ୍ରୀ କମ୍ ଦେଇ ୬ ମାସର ଦିଆଯାଇଥିବା କହି ଦସ୍ତଖତ କରାଉଥିବା ଛାତ୍ରମାନେ ଅଭିଯୋଗ କରିଥିଲେ। ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କଲେ ଘରକୁ ଚାଲିଯିବାକୁ ଧମକ ଦେଉଛନ୍ତି ବୋଲି ମଧ୍ୟ ପିଲାମାନେ ଅଭିଯୋଗ ଆଣିଥିଲେ।
୩କିଲୋମିଟର ଚାଲିଲେ ଛାତ୍ର
ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକଲବ୍ୟ ମଡେଲ ସ୍କୁଲରେ ମଧ୍ୟ ଅତୀତରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଗତବର୍ଷ ମାର୍ଚ୍ଚ ମାସରେ ୭ ତାରିଖରେ ନୂଆପଡ଼ା ଜିଲ୍ଲା ଏନଏସି ଓ୍ବାଡ ନଂ ୧ ଗଡ଼ତୋଳର ଏକମାତ୍ର ବିଦ୍ୟାଳୟ ଏକଲବ୍ୟ ମଡେ଼ଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଯାଇଥିଲା। ସ୍କୁଲର ଛାତ୍ରମାନେ ଏକତ୍ର ହୋଇ ସ୍କୁଲରୁ ବାହାରି ପ୍ରାୟ ୩ କିଲୋମିଟର ଚାଲିଚାଲି ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ପରେ ସ୍କୁଲର ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଇଥିଲେ। ଖବର ପାଇ ତତ୍କାଳୀନ ନୂଆପଡ଼ା ଉପଜିଲ୍ଲାପାଳ ଧାରଣା ସ୍ଥଳକୁ ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ।
ଅନ୍ବେଷା ଛାତ୍ରାବାସରେ ଅବ୍ୟବସ୍ଥା
କେବଳ ଅନୁସୁଚିତ ଜାତି ଓ ଜନଜାତି ଛାତ୍ରାବାସରେ ନୁହେଁ। ବରଂ ଏହା ପୂର୍ବରୁ ଅନ୍ବେଷା ଛାତ୍ରାବାସରେ ମଧ୍ୟ ପିଲାଙ୍କୁ କିଭଳି ଦୟନୀୟ ଅବସ୍ଥାରେ ରଖାଯାଉଛି ସେନେଇ ପିଲାମାନେ ରାୟଗଡ଼ା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କୁଟଲଗୁଡାଠାରେ ଥିବା ଅନ୍ବେଷା ଛାତ୍ରାବାସରେ ଅବ୍ୟବସ୍ଥା ବୃଦ୍ଧି ପାଇବା ନେଇ ଅଭିଯୋଗ ହୋଇଥିଲା। ପିଲାମାନଙ୍କୁ ଖାଇବାକୁ ଦିଆଯାଉନଥିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥା ପିଲାଙ୍କ ନକହିବା ଭଲ ବୋଲି ଅଭିଯୋଗ ହୋଇଥିଲା। ବାରମ୍ବାର ହଷ୍ଟେଲ ଇନଚାର୍ଜଙ୍କୁ ଛାତ୍ରମାନେ ଅଭିଯୋଗ କରିବା ପରେ ମଧ୍ୟ ସଂପୃକ୍ତ ଇନଚାର୍ଜ ପିଲାଙ୍କୁ ଗାଳିଗୁଲଜ କରିବା ସହ ତୁମ ବାପା ଟାଂକା ଦେଉଛି ଯେ ଖାଇବ ବୋଲି ଛାତ୍ରମାନଙ୍କୁ ଧମକାଉଥିବା ଅଭିଯୋଗ ହୋଇଛି। ଏହାପରେ ଛାତ୍ରମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
ଅନ୍ବେଷା କାର୍ଯ୍ୟକ୍ରମ
ସହରାଞ୍ଚଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅନ୍ବେଷା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ୨୦୨୪-୨୫ ବର୍ଷ ମଧ୍ୟରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୫୬୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ୨୦୧୫-୧୬ ଆର୍ଥିକ ବର୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ ପାଇଁ ଅନ୍ବେଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଯୋଜନାରେ ଏସ୍ସି-ଏସ୍ଟି ପିଲାମାନଙ୍କୁ ପ୍ରତିବର୍ଷ ସହରାଞ୍ଚଳରେ ଅବସ୍ଥିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ସରକାରୀ ଓ ବେସରକାରୀ ମାନ୍ୟତା ପ୍ରାପ୍ତ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ରାଜ୍ୟର ୧୭ଟି ଜିଲ୍ଲାର ୧୭୭ଟି ବିଦ୍ୟାଳୟରେ ୨୧ ହଜାର ୬୮୨ ଜଣ ଛାତ୍ର ଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଶିକ୍ଷା ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ନିମନ୍ତେ ଆର୍ଥିକ ଓ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୫ ହଜାର ଏସ୍ସି-ଏସ୍ଟି ପିଲାଙ୍କୁ ଅନ୍ବେଷା ହଷ୍ଟେଲ୍ରେ ରଖାଯାଇ ଶିକ୍ଷା ପ୍ରଦାନ କରାଯିବ।