ଭୁବନେଶ୍ବର: ଆଜିକାଲିର ଯୁବପିଢ଼ି ଶାରୀରିକ ଭାବେ କାମ କରିବାକୁ ଚାହୁଁ ନାହାନ୍ତି। ପ୍ରତିଟି କାମ କରିବାକୁ ସହଜ ମାଧ୍ୟମ ଆଗ ଖୋଜୁଛନ୍ତି। ଘରେ ବସି ସବୁ କାମ ଶେଷ କରିବାକୁ ଚାହୁଁଛନ୍ତି। ଟଙ୍କା ଅଧିକ ଖର୍ଚ୍ଚ ହେଉ। ବରଂ ହାତପାଆନ୍ତାରେ ସମସ୍ତ ସୁବିଧା ମିଳୁ। ଆଉ ଡିଜିଟାଲ ଯୁଗରେ ସବୁକାମ ସୁବିଧାରେ ମଧ୍ୟ ମିଳିଯାଉଛି। ଯବୁପିଢ଼ିଙ୍କ ପାଇଁ ଅନ୍ଲାଇନ୍ ହେଉଛି ସବୁଠାରୁ ବଡ଼ ମାଧ୍ୟମ। ଏହାରି ଜରିଆରେ ବହୁତ କିଛି କାମ କରାଯାଇପାରୁଛି। ଖାଇବା-ପିଇବା, ସପିଂ କରିବା, ବ୍ୟାଙ୍କିଂ ସଂପର୍କିତ, ମେଡିସିନ ସେବା, ପାଠପଢ଼ିବା ଓ ଅନ୍ୟାନ୍ୟ ସେବା ଅନ୍ଲାଇନ୍ ମାଧ୍ୟମରେ କରାଯାଇପାରୁଛି।
ତେବେ ଅନ୍ଲାଇନ୍ ମାଧ୍ୟମରେ ଯେତିକି କାମ ହୋଇପାରୁଛି, ଏହାରି କାରଣରୁ ଠକେଇ ମଧ୍ୟ ସେହିପରି ହେଉଛି। ସରଳ ଓ ନିରିହ ଲୋକଙ୍କୁ ଟାର୍ଗେଟ କରି ସାଇବର ଠକମାନେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଠକେଇ କରୁଥିବା ଅଭିଯୋଗ ହେଉଛି। ସପିଂ କ୍ଷେତ୍ରରେ ମଧ୍ୟ ଠକେଇ ହେଉଛି। ଗୋଟିଏ ନିର୍ଦ୍ଦିଷ୍ଟ ଜନିଷ ଅର୍ଡର କରିଥିଲେ, ପ୍ୟାକେଟରେ ଅନ୍ୟ ଜିନିଷ ଆସୁଛି। ସେହିପରି ଅନ୍ଲାଇନ୍ ମାଧ୍ୟମରେ ଖାଦ୍ୟ ମଗାଇ କିଛି ଗ୍ରାହକ ହଟହଟା ହେଉଛନ୍ତି। ଏପରିକି ମାମଲା ଥାନାକୁ ଯାଉଛି।
ଭୁଜାଲିରେ ଆକ୍ରମଣ
ଦୁଇ ବର୍ଷ ପୂର୍ବରୁ ଜୁନ୍ ମାସରେ ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଂଚଳରେ ଅନ୍ଲାଇନ୍ ଖାଦ୍ୟ ଯୋଗାଣକାରୀ ସଂସ୍ଥାର କର୍ମଚାରୀ ଖାଦ୍ୟ ପୁଡ଼ିଆ ପହଞ୍ଚାଇବାରେ ସାମାନ୍ୟ ବିଳମ୍ବ ହେବାରୁ ଗ୍ରାହକ ଉଗ୍ର ରୂପ ଦେଖାଇଥିଲେ। ଅନ୍ଲାଇନ୍ରେ ଖାଦ୍ୟ ମଗାଇଥିବା ଗ୍ରାହକ ଜଣକ ଜମାଟୋ କର୍ମଚାରୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଶିକାର ହୋଇଥିଲେ ଖଣ୍ଡଗିରି ଥାନା ଜାଗମରା ଗାଁର ଦୀପକ ପାତ୍ର। ସୌଭାଗ୍ୟନଗରରେ ରହୁଥିବା ଜଣେ ଯୁବକ ଜମାଟୋ ଜରିଆରେ ଖାଇବା ମଗାଇଥିଲେ। କିନ୍ତୁ ରାତି ୯ଟା ବାଜିବା ପରେ ମଧ୍ୟ ତାଙ୍କ ପାଖରେ ଖାଦ୍ୟ ପହଞ୍ଚିନଥିଲା। ତେଣୁ ସେ ବାରମ୍ବାର ଫୋନ୍ କରିଥିଲେ। ପାର୍ସଲ ନେଇ ଯାଉଥିବା ମନୋରଂଜନ ଓ ଦୀପକ ରାସ୍ତାରେ ଅଛନ୍ତି ଓ ଖୁବ୍ ଶୀଘ୍ର ପହଞ୍ଚୁଛନ୍ତି ବୋଲି କହିଥିଲେ।ଗ୍ରାହକଙ୍କୁ ଠିକ୍ ସମୟରେ ଖାଦ୍ୟ ନ ମିଳିବାରୁ ଆକ୍ରମଣ ଘଟଣା ଘଟିଥିଲା।
ଡାକ୍ତରଙ୍କୁ ହତ୍ୟା ଧମକ
ତେବେ ଅନ୍ୟ ଏକ ଘଟଣା ପାଠକଙ୍କୁ ଆଶ୍ଚର୍ଯ୍ୟ କରିଦେବ। କରୋନା ସମୟରେ ଡାକ୍ତରଙ୍କ ଭୂମିକାକୁ ଯେ କେହି ବି ପ୍ରଶଂସା କରିବ। କାରଣ ସେମାନେ ଦିନରାତି ଏକ କରିଦେଇଥିଲେ। କିନ୍ତୁ କୋଭିଡ-୧୯ର ପ୍ରଥମ ଲହର ସମୟରେ ଏପ୍ରିଲ ୧୨ ତାରିଖରେ ଅନ୍ଲାଇନ୍ରେ ଖାଦ୍ୟ ମଗାଇ ଜଣେ କାର୍ଯ୍ୟରତ ଡାକ୍ତର ବିପଦରେ ପଡ଼ିଥିଲେ। ଜଣେ ଜମାଟୋ ବୟ ଡାକ୍ତରଙ୍କୁ ହତ୍ୟା ଧମକ ଦେଇଥିଲେ। ନୂଆପଲ୍ଲୀ ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା। ଡାକ୍ତର ଅମୃତ ପାଟ୍ଟଯୋଶୀଙ୍କ ଅଭିଯୋଗକୁ ଆଧାର କରି ନୂଆପଲ୍ଲୀ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ୮୩୪ ଟଙ୍କା ଅନ୍ଲାଇନ୍ରେ ପ୍ରଦାନ କରି ଖାଦ୍ୟ ମଗାଇ ଥିଲେ। କିନ୍ତୁ ଠିକ୍ ସମୟରେ ଖାଦ୍ୟ ଆସିନଥିଲା। ବିଳମ୍ବ ନେଇ ପଚାରିବାରୁ ଜମାଟୋ ବୟ ଜଣକ ଗାଳିଗୁଲଜ କରିବା ସହ ଡାକ୍ତରଙ୍କୁ ହତ୍ୟା ଧମକ ଦେଇଥିଲା।
ଯୁବତୀଙ୍କୁ ଚୁମ୍ବନ
ମହାରାଷ୍ଟ୍ରର ପୁଣେ ସହରରେ ଗତ ୧୭ ତାରିଖ ରାତି ସାଢ଼େ ୯ଟାରେ ଏକ ବିରଳ ଘଟଣା ଘଟିଛି। ଜଣେ ୪୨ ବର୍ଷୀୟ ଜମାଟୋ ଖାଦ୍ୟ ଡେଲିଭରି ମ୍ୟାନ ୧୯ ବର୍ଷୀୟ ଯୁବତୀଙ୍କୁ ବଳପୂର୍ବକ ଚୁମ୍ବନ କରି ଗିରଫ ହୋଇଛି। ୟେବଲେୱାଡି ଅଂଚଳର ଯୁବତୀଙ୍କ ଅଭିଯୋଗ ଅନୁସାରେ ସେ କୋଢ଼ବାସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ଛାତ୍ରୀ। କଲେଜ ଛାତ୍ରୀ ଜଣକ ଜମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । ଡେଲିଭରି ମ୍ୟାନ ଠିକ ସମୟରେ ଖାଦ୍ୟ ନେଇ ତାଙ୍କର ଆପାର୍ଟମେଣ୍ଟକୁ ଆସିଥିଲା । ସେ ଯୁବତୀଙ୍କୁ ଏକାକୀ ପାଇ ୨ ଥର ପାଣି ପିଇବାକୁ ମାଗିଥିଲ। ସୁଯୋଗ ଦେଖି ବଳପୂର୍ବକ ଚୁମ୍ବନ ଦେଇଥିଲା। ଘଟଣା ଦିନ ଯୁବତୀଙ୍କ ପାଖରେ ଆଉ କେହି ନ ଥିବାରୁ ଖାଦ୍ୟ ଡେଲିଭରି ମ୍ୟାନ୍ ଯୁବତୀଙ୍କୁ ଅସଦାଚରଣ କରିଥିଲା।