ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣର ୨ୟ ଲହରକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ରାଜ୍ୟ ସରକାର ସ୍ୱତନ୍ତ୍ର ନଜର ଦେଇଛନ୍ତି । ସେଥିପାଇଁ ଅଫ୍ଲାଇନ୍ କ୍ଲାସ ବଦଳରେ ଗତ ଜୁନ୍ ମାସ ୨୧ ତାରିଖ ଠାରୁ ଅନ୍ଲାଇନ୍ କ୍ଲାସ ଆରମ୍ଭ କରିଦେଇଛନ୍ତି । ଦୁର୍ଗମ ଅଂଳଚରେ ମୋବାଇଲ ନେଟୱର୍କ ସମସ୍ୟା ଓ ଗରିବ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ଅନ୍ଲାଇନ୍ ପାଠ ବ୍ୟାପକ ଭାବରେ ବାଧାପ୍ରାପ୍ତ ହୋଇଛି । ଉଦାହରଣ ସ୍ୱରୂପ ଦଶମ ଶ୍ରେଣୀରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିବା ବେଳେ ସେଥିରୁ ପାଖାପାଖି ୪୦ ହଜାର ପିଲା ଅନ୍ଲାଇନ୍ କ୍ଲାସ କରୁଛନ୍ତି । ସେହିପରି ଅନ୍ୟ କାରଣରୁ ଅନ୍ଲାଇନ୍ କ୍ଲାସରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ବହୁତ କମ ରହୁଥିବାରୁ ସରକାର ଆଗାମୀ ଦିନରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ପିଲାମାନଙ୍କର ଅନଲାଇନ ପାଠପଢ଼ା ଜାରି ରହିଛି । କିନ୍ତୁ ଏଥିରୁ ଲକ୍ଷାଧିକ ଛାତ୍ରଛାତ୍ରୀ ବଂଚିତ ରହୁଥିବା ଅଭିଯୋଗ ହେଉଛି । ତେଣୁ ପିଲାମାନଙ୍କର କ୍ୟାରିୟର ପ୍ରତି ଦୃଷ୍ଟି ଦେଇ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ୨୬ ତାରିଖ ଠାରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଦ୍ୟାଳୟ ଖୋଲିଲେ କ’ଣ ଗାଇଡଲାଇନ୍ ରହିବ ସେନେଇ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଖୁବ୍ ଶୀଘ୍ର ଆଦେଶ ମିଳିଯିବ ।
ଜାରି ରହିବ ଅନ୍ଲାଇନ୍ କ୍ଲାସ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି ବିଦ୍ୟାଳୟ ଗୁଡ଼ିକୁ ସାନିଟାଇଜ୍ କରାଯିବ । ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବେ । ଆସନ୍ତା ୩୦ ତାରିଖରୁ ଶିକ୍ଷାବର୍ଷ ୨୦୨୦-୨୧ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରୀଙ୍କ ପରୀକ୍ଷା ହେବ । ଏହି ପରୀକ୍ଷା କେନ୍ଦ୍ର ଗୁଡ଼ିକ ଯେଉଁ ସ୍କୁଲରେ ହୋଇଛି, ସେଠାରେ ପିଲାମାନେ ପରେ ପାଠ ପଢ଼ିବେ । ପ୍ରଥମରୁ ୯ମ ଶ୍ରେଣୀ ପିଲାଙ୍କ ଅନଲାଇନ କ୍ଲାସ ଜାରି ରହିବ । ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ସ୍କୁଲରେ ସମସ୍ତ କୋଭିଡ-୧୯ ଗାଇଡଲାଇନ ପାଳନ କରାଯିବ । ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ । ବିଦ୍ୟାଳୟଗୁଡ଼ିକ ପରିଷ୍କାର ରହିବ ।
ଅଭିଭାବକଙ୍କ ଅନୁମତି ନେବେ ପିଲା
ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଏକ ପ୍ରେସ ବାର୍ତ୍ତାରେ ଶନିବାର କହଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଅଫ୍ଲାଇନ୍ କ୍ଲାସ ପାଇଁ ପିଲାମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ପିଲାମାନେ ଅଭିଭାବକଙ୍କ ଠାରୁ ଅନୁମତି ନେଇ ସ୍କୁଲ ଆସିବେ । ୟୁଟ୍ୟୁବ୍ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍ଲାଇନ୍ରେ କ୍ଲାସ କରିପାରିବେ ।
ଋବିବାର ଓ ସରକାରୀ ଛୁଟିରେ ସ୍କୁଲ ବନ୍ଦ
ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ । ଜିଲ୍ଲାପାଳମାନେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ବା ବନ୍ଦ କରିବା ନିଷ୍ପତ୍ତି ନେବେ । ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ବିଦ୍ୟାଳୟ ଖୋଲା ରହିବ । ଖେଳ ଛୁଟିକୁ ବାତିଲ କରାଯାଇଛି । ଛୁଟିରେ ଯିବା ପରେ ପିଲାଏ ଘରେ ମଧ୍ୟାହ୍ନ ଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ ।