Tuesday, September 17, 2024
Homeଅପରାଜିତାଙ୍କୁ ମୁକାବିଲା କରିବେ କିଏ?
Array

ଅପରାଜିତାଙ୍କୁ ମୁକାବିଲା କରିବେ କିଏ?

ଭୁବନେଶ୍ବର: ପ୍ରାୟ ୪ ମାସ ପରେ ଅର୍ଥାତ ୨୦୨୪ ଏପ୍ରିଲ-ମେ’ ମାସରେ ସାଧାରଣ ନିର୍ବାଚନ ହେବ। ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ପାଇଁ ମତ ଗ୍ରହଣ କରାଯିବ। ଗଣତନ୍ତ୍ରର ଏହି ମହାନ ପର୍ବ ଆସିବାକୁ ଆଉ କିଛି ମାସ ବାକି ଅଛି। ଆଗାମୀ ନିର୍ବାଚନରେ କେଉଁ ଦଳ କାହାକୁ ଟିକେଟ ଦେବ, ତାହା ଦଳ ଭିତର କଥା ହୋଇଥିବା ବେଳେ ଗୁଜବ ଖବରକୁ ନେଇ ନେତାମାନେ ବାଡ଼ିଆ ପିଟା ହେଉଛନ୍ତି। ରାଜ୍ୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ‘ଭୁବନେଶ୍ୱର ଲୋକସଭା ଆସନ’ ପାଇଁ ବିଜେପିରୁ ପୁଣି ଥରେ ଅପରାଜିତ ଷଡ଼ଙ୍ଗୀ ନିର୍ବାଚନ ଲଢ଼ିବେ ବୋଲି ରାଜଧାନୀର କାନ୍ଥବାଡ଼ ମଧ୍ୟ କହୁଛି। ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି କାହାକୁ ଟିକେଟ ଦେବ, ତାହା ଯଦିଓ ସ୍ପଷ୍ଟ ହୋଇନାହିଁ। ତଥାପି ଭୁବନେଶ୍ବରରେ ଅନେକଗୁଡ଼ିଏ କାନ୍ଥରେ ‘ଆଉଥରେ ଅପରାଜିତା’ ଲେଖା ରହିଛି। କିଛି ସ୍ଥାନରେ ଲିଭାଇ ଦିଆଯାଇଛି। ଆଶା କରାଯାଉଛି ଯେ, ଅପରାଜିତ ଷଡ଼ଙ୍ଗୀ ୨୦୨୪ ନିର୍ବାଚନରେ ପୁଣି ଥରେ ଭୁବନେଶ୍ବରରୁ ବିଜେପିର ପ୍ରାର୍ଥୀ ହୋଇପାରନ୍ତି।   ସ୍ଥାନରେ ଅପରାଜିତାଙ୍କ ନାମରେ ଲେଖାଯାଇଥିବା ୱାଲପେଣ୍ଟିଂ ଲିଭାଯାଇଛି, ତାହା ବିରୋଧୀମାନେ କରିଛନ୍ତି ବୋଲି ଅଧିକ ସନ୍ଦେହ କରାଯାଉଛି। ଚର୍ଚ୍ଚା ହେଉଛି ଯେ, ଅପରାଜିତାଙ୍କୁ ମୁକାବିଲା କରିବା ପାଇଁ ‌ମଜବୁତ ପ୍ରାର୍ଥୀ ଦରକାର। ତାଙ୍କୁ ମୁକାବିଲା କରିବା ପାଇଁ ବିଜେଡି କାହାକୁ ଟିକେଟ ଦେବ ଘୋଷଣା ହୋଇ ନଥିବା ‌ବେଳେ ନାନା କଳ୍ପନା ଜାରି ରହିଛି। 

ବିଗତ ୫ ବର୍ଷ ମଧ୍ୟରେ ଅପରାଜିତା ଷଡ଼ଙ୍ଗୀ ତାଙ୍କ ନିର୍ବାଚନ ଅଧୀନରେ ଆସୁଥିବା ଅଞ୍ଚଳକୁ ଗସ୍ତ କରିଛନ୍ତି। ଚାଷୀ, ଶ୍ରମିକଙ୍କ ହକ୍ପାଇଁ ଲଢ଼େଇ କରିଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ଗସ୍ତ କରି ଚର୍ଚ୍ଚାରେ ରହିଛନ୍ତି। ସ୍ବେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ରାଜ୍ୟବାସୀ ଚିହ୍ନିସାରିଛନ୍ତି। ଏହାରି ମଧ୍ୟରେ ରାଜନୀତିରେ ପରିପକ୍ବ ହୋଇସାରିଛନ୍ତି ଅପରାଜିତା। ତେବେ ଯଦି ସେ ଭୁବନେଶ୍ବରରେ ଲୋକସଭା ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ଅବତୀର୍ଣ୍ଣ ହୁଅନ୍ତି, ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଚଳିତ ହେବା ସ୍ବାଭାବିକ କଥା। କାରଣ ଦଳ ପରେ ଅପରାଜିତ ନିଜସ୍ବ ମୁହଁ ଦେଖାଇ ନିର୍ବାଚନ ଲଢ଼େଇ କରୁଛନ୍ତି। କିନ୍ତୁ ବିଜେଡିରୁ ଯେଉଁ ନେତା ଲଢ଼ିବେ ସେ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପଡ଼ିଆକୁ ଓହ୍ଲାଇ ପାରନ୍ତି। ସେହିପରି କଂଗ୍ରେସ ନେତା ମଧ୍ୟ ଜାତୀୟ ରାଜନୀତିକୁ ଆଧାର କରି ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି।

ବୟାନ ବଦଳାଇଲେ ମନ୍ତ୍ରୀ

ଭୁବନେଶ୍ବରରେ ଅପରାଜିତାଙ୍କୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଶକ୍ତିଶାଳୀ ପ୍ରାର୍ଥୀଙ୍କୁ ଓହ୍ଲାଇବ। ଏକଥା ସମସ୍ତେ ଜାଣିଥିଲେ ମଧ୍ୟ ବିଜେଡି ପାଇଁ ବରିଷ୍ଠ ନେତା ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶନିବାର (୨୦୨୩, ଡିସେମ୍ବର ୧୬) ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଭୁବନେଶ୍ୱରର ୫୬ ନମ୍ବର ୱାର୍ଡର ଲେବର କଲୋନିରେ ବିଜେଡିର ଜନ ସଂପର୍କ ଯାତ୍ରା ଅବସରରେ ଶ୍ରୀ ପଣ୍ଡା କହିଥିଲେ ଆଗାମୀ ଦିନରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡିରୁ ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏଣୁ ଶ୍ରୀମୟୀ ମିଶ୍ରଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ସେ ସମସ୍ତଙ୍କୁ ଯୋଡ଼ହସ୍ତରେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ଆସିବା ପରେ ଶ୍ରୀ ପଣ୍ଡା ପ୍ରାର୍ଥୀ ଘୋଷଣା କଥାକୁ ଖଣ୍ଡନ କରିଦେଇଥିଲେ। ସେ କହିଥିଲେ, ମୁଁ ପ୍ରାର୍ଥୀ କଥା କହିନି। କିଏ ପ୍ରାର୍ଥୀ ହେବେ, ଦଳର ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀ ଆମ ସହ ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରକ୍ଷା ପାଇଁ ତାଙ୍କୁ ଜୟଯୁକ୍ତ କରିବାକୁ ଲୋକଙ୍କୁ କହିଥିଲି। ମୁଁ କେଉଁଠି ପ୍ରାର୍ଥୀ କଥା କହିନାହିଁ। ଏଥି ସହିତ ସେ ଭୁବନେଶ୍ୱରର ବର୍ତ୍ତମାନର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରିଥିଲେ। ଶ୍ରୀ ପଣ୍ଡା କହିଥିଲେ ଯେ ଗଲା ୫ ବର୍ଷ ହେଲାଣି ସବୁ ଖାଲି ରିପୋର୍ଟ କାର୍ଡରେ ରହିଗଲା। ସେ କାର୍ଡ କଳା କି ଧଳା କି ହଳଦିଆ, ତାହା ବି ଜଣାପଡ଼ିଲାନି।  

କ’ଣ କହିଲେ ପାଟ୍ଟଶାଣୀ

ପଦଯାତ୍ରାବେଳେ ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ସଂସଦୀୟ ଆସନର ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଘୋଷଣା କରିଥିବା ବେଳେ ଦଳର ଉପସଭାପତି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶ୍ରୀ ପାଟ୍ଟଶାଣୀ କହିଥିଲେ, କେତେ ଏମିତି ଆସିବେ ଆଉ ଯିବେ। ଆମେ ଲୋକଙ୍କ ସହ ଅଛୁ। ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି। ମୁଁ କେବେ ହାରିନି। ମୋତେ ଟିକେଟ ଦେଇଥିଲେ ମୁଁ ବହୁ ଭୋଟ୍ରେ ଜିତିଥା’ନ୍ତି। ଯଦି ତାଙ୍କୁ ଟିକେଟ ଦେଲେ, ତେବେ ଭଲକଥା। କିନ୍ତୁ ମୋର ବିଶ୍ୱାସ ଅଛି, ଦଳ ଏ ଭୁଲ୍ କେବେ କରିବନି। ଦଳ ଥରେ ଭୁଲ୍ କରିଥିଲା, ଯାହା ଅବସ୍ଥା ହେଲା ସମସ୍ତେ ଜାଣିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ପାଟ୍ଟଶାଣୀ ଏହି ଆସନରୁ ୫ ଥର ବିଜୟୀ ହୋଇ ଗତଥର ଟିକେଟ୍ ପାଇ ନଥିଲେ। ତାଙ୍କ ବଦଳରେ ଦଳ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା, ଯିଏକି ଅପରାଜିତାଙ୍କ ଠାରୁ ପରାସ୍ତ ହୋଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments