Tuesday, September 10, 2024
Homeଅପରାଧୀଙ୍କ ଅମରାବତୀ କି ଭୁବନେଶ୍ବର?
Array

ଅପରାଧୀଙ୍କ ଅମରାବତୀ କି ଭୁବନେଶ୍ବର?

ଭୁବନେଶ୍ବର: ରାଜ୍ୟର ଏକାମ୍ର କ୍ଷେତ୍ର ତଥା ମନ୍ଦିରମାଳିନୀ ସହର ଭୁବନେଶ୍ବର ଆଉ ପୂର୍ବ ଅବସ୍ଥାରେ ନାହିଁ। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଏଠାରେ ଆସି ଲୋକମାନେ ରହୁଛନ୍ତି। ଆଧୁନିକ ସହର ଭାବେ ଭୁବନେଶ୍ବର ବିକଶ ଆଡକୁ ଗତି କରୁଥିବା ବେଳେ ଚୋରି, ଡକାୟତି, ଲୁଟ, ରାହାଜାନୀ, ଅପହରଣ, ଦୁଷ୍କର୍ମ ଭଳି ଅପରାଧ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଏକ ପ୍ରକାର ଅମରାବତୀରେ ପରିଣତ ହୋଇଛି କହିଲେ ଭୁଲ ହେବ ନାହିଁ।

ଭୁବନେଶ୍ବରରେ ନିଶା ବେପାରୀଙ୍କ ଦୈରାତ୍ମ୍ୟ ମଧ୍ୟ ସୀମା ଟପିଛି। କିଛି ଅଞ୍ଚଳରେ ଧଳାଜହର କାରବାର ଆଶାତୀତ ଭାବେ ବଢ଼ିଛି। ରାତି ୧୦ଟା ପରେ ରାଜଧାନୀର ନିଛାଟିଆ ରାସ୍ତାରେ ଚୋର ଓ ଡକାୟତଙ୍କର କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଭୁବନେଶ୍ବରର କିଛି ରାସ୍ତା ଅଛି, ଯେଉଁଠାରେ ଏକାକୀ ଯିବା ସାହସ ହୋଇ ନଥାଏ। କାରଣ ମଦ୍ୟପ ଅଥବା ବ୍ରାଉନସୁଗାର ସେବନ କରୁଥିବା ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଗଲେ ପାଖରେ ଥିବା ମୋବାଇଲ, ପର୍ସ ଓ ଗାଡ଼ି ଲୁଟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏପରିକି ବିରୋଧ କଲେ ଜୀବନ ଶେଷ କରିଦେବାକୁ ଦୁର୍ବୃତ୍ତମାନେ ପଛେଇବେ ନାହିଁ।  

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଗତ ୧୬ତାରିଖ ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ପଟିଆ ଅଞ୍ଚଳର ଦୁଇ ନାବାଳିକା ସ୍ଥାନୀୟ ରେଳ  ଷ୍ଟେସନର ରେଲବାଇ ଓଭରବ୍ରିଜ୍ ଉପରକୁ ଟେକି ନେଇ ଦୁଇଜଣ ଯୁବକ ଯେଉଁଭଳି ଭାବେ ଅମାନୁଷିକ ଭାବେ ଦୁଷ୍କର୍ମ କଲେ, ଏହା କେବଳ ଭୁବନେଶ୍ବର ନୁହେଁ ପୁରା ରାଜ୍ୟରେ ଚର୍ଚ୍ଚା ହୋଇଛି। ରାତିତମାମ ନାବାଳିକା ଦ୍ବୟ ଦୁଷ୍କର୍ମର ଶିକାର ହୋଇଥିଲେ ବି ଯୁବକ ଦ୍ବୟଙ୍କ କବଳରୁ ବର୍ତ୍ତିପାରି ଖସିଆସି ପାରିନଥିଲେ। ୧୭ ତାରିଖ ଦିନ ସକାଳେ ନାବାଳିକା ଦୁହେଁ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଗଣଦୁଷ୍କର୍ମ ମାମଲାରେ ଆଜି ଜିଆର୍‌ପି ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଗିରଫ କରିଛି। ସେ ହେଲା ବାଙ୍କୀ ବଦନପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ମଲ୍ଲିକ(୨୩)। ସେ ଏଠାରେ ପଟିଆ ଅଞ୍ଚଳରେ ରହି ଏକ ଚିକେନ୍‌ ଦୋକାନରେ କାମ କରୁଥିଲା।

ନୂଆବର୍ଷରେ ମହିଳା ପୁଲିସଙ୍କୁ ଆକ୍ରମଣ ଉଦ୍ୟମ

ନୂଆବର୍ଷ ରାତିରେ ମହିଳା ଥାନା ପୁଲିସ୍ ଏସ୍ଆଇ ଶୁଭଶ୍ରୀ ନାୟକ ଥାନାରୁ ଡ୍ୟୁଟି ସାରି ନିଜ କାରରେ ଘରକୁ ଫେରୁଥିବା ବେଳେ ଆଚାର୍ଯ୍ୟବିହାର ନିକଟ ସାଇନ୍ସ ପାର୍କ ପାଖରେ ସାମ୍ନାପଟୁ ଆସୁଥିବା ଏକ ଇନୋଭା କାର୍ ତାଙ୍କ କାର୍ ସାମ୍ନାକୁ ମାଡ଼ିଆସିଥିଲା। କାର୍ଟି ଅଚାନକ ତାଙ୍କ ଆଗକୁ ମାଡ଼ିଆସିବାରୁ ଭୟରେ ନିଜ କାରକୁ ରାସ୍ତା କଡ଼କୁ ନେଇଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ।  ଶୁଭଶ୍ରୀ ପୋଷାକରେ ଥିଲେ ମାନେ ମଧ୍ୟ ଦୁର୍ବୃତ୍ତମାନେ ଏହାକୁ ଖାତିର କରି ନଥିଲେ। ବରଂ ନିଜର ପ୍ରଭାବ ଦେଖାଇଥିଲେ। ଏହ ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି।

ଅସୁରକ୍ଷିତ ଭୁବନେଶ୍ବର!

ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଛି। କମିସନରେଟ ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଧିକ ପ୍ରଭାବ ଦେଖାଉଛନ୍ତି। କଥାକଥାକେ ହଣାକଟା ହେଉଛି। ରାଜରାସ୍ତାକୁ ଦୁର୍ବୃତ୍ତମାନେ ଅଧିକାର କରିନେଇଛନ୍ତି। ସାଧାରଣ ନାଗରିକଟିଏ ରାସ୍ତାରେ ଯିବା ବେଳେ ବହୁ ସତର୍କତାର ସହିତ ବାଟ ଚାଲିବାକୁ ପଡୁଛି। ମହିଳା ଓ ଯୁବତୀଙ୍କୁ ଅଧିକ ସତର୍କ ହେବାକୁ ପଡୁଛି। ଘରୁ ଗୋଡ଼ କାଢ଼ିଲେ ପ୍ରଥମ ସୁରକ୍ଷା ଚିନ୍ତା କରିବାକୁ ପଡୁଛି। ଅଥଚ ରାଜଧାନୀ ଭୁବନେଶ୍ବରର ଅବିବେକୀ ମଣିଷ ହାବୁଡ଼ରେ ପଡ଼ିଗଲେ ଅବସ୍ଥା ଖରାପ ହୋଇଯିବାର ଆଶଙ୍କା ରହୁଛି। ସର୍ବସାଧାରଣଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସକୁ ଅଧିକ ସତର୍କ ରହିବାର ଅଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments