Friday, September 13, 2024
Homeଅପହରଣ: ୧୯ ଦିନରେ ୪ ଘଟଣା, ଟାର୍ଗେଟରେ ଶିଶୁ
Array

ଅପହରଣ: ୧୯ ଦିନରେ ୪ ଘଟଣା, ଟାର୍ଗେଟରେ ଶିଶୁ

ଭୁବନେଶ୍ବର: ଶିଶୁମାନେ ହେଉଛନ୍ତି ଆଗାମୀ ଦିନର ଭବିଷ୍ୟତ। ଶିଶୁ ହସିଲେ, ଦେଶ ହସିବ ଓ ସୁନ୍ଦରତାରେ ପରିପୂର୍ଣ୍ଣ ହେବ ବିଶ୍ବ। କୋମଳମତି ଶିଶୁର ବିକାଶ ପାଇଁ ଅଭିଭାବକ, ପରିବାରର ସମସ୍ତ ସଦସ୍ୟ, ପଡ଼ୋଶୀ, ଶିକ୍ଷକ ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହୁଛି। ତେବେ ବିଡ଼ମ୍ବନାର ବିଷୟ ହେଲା ଯେ, ଶିଶୁମାନେ ସୁରକ୍ଷିତ ନାହାନ୍ତି। ପାରିବାରିକ ହିଂସା, ନିର୍ଯାତନା ଓ ଅପହରଣର ଶିକାର ହେଉଛନ୍ତି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆରବି) ଦ୍ବାରା ନିକଟରେ ପ୍ରକାଶିତ ୨୦୨୨ ରିପୋର୍ଟ ଅନୁସାରେ ଦେଶରେ ଶିଶୁଙ୍କ ବିରୋଧରେ ହିଂସା ବଢ଼ିଛି। ୨୦୨୧ ତୁଳନାରେ ଏହା ୮.୭ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।  

ଗରିବୀ ହେଉ ବା ଆର୍ଥିକ ଲାଭକୁ କେନ୍ଦ୍ର କରି କିଛି ବର୍ଷ ପୂର୍ବରୁ ଅପହରଣ ଘଟଣା ଆଫ୍ରିକା ମହାଦେଶର ସୋମାଲିଆରେ ଦେଖିବାକୁ ମିଳୁଥିଲା। ସମୁଦ୍ର ଭିତରେ ବଡ଼ବଡ଼ ଜାହାଜଗୁଡ଼ିକ ସୋମାଲିଆର ଜଳଦଶ୍ୟୁମାନେ ଅପହରଣ କରି ନେଉଥିଲେ। ଠିକ୍ ସେହିପରି କିଛି ବର୍ଷ ପୂର୍ବରୁ ଉତ୍ତର ପ୍ରଦେଶ ଓ ବିହାରରେ ଅପହରଣ ଘଟଣା‌ ଦେଖିବାକୁ ମିଳୁଥିଲା। ମାତ୍ର ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଅହପରଣ ଘଟଣାଗୁଡ଼ିକ ବଢ଼ିଚାଲିଛି। ପ୍ରାୟତଃ ପ୍ରତିମାସରେ କୌଣସି ସ୍ଥାନରେ ଅପହରଣ ଘଟଣା ଘଟୁଛି। ଏଥିରେ ଶିଶୁମାନେ ମଧ୍ୟ ବାଦ୍‌ ପଡୁନାହାନ୍ତି।

୬ ବର୍ଷୀୟ କନ୍ୟା 

ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ପୌରାଚଂଳର ମାର୍କେଟ ଛକରେ ରହୁଥିବା‌ କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ନିଜ ଘର ସମ୍ମୁଖରୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଦେବଗଡ ଆଦର୍ଶ ଥାନା ପୁଲିସ ନିକଟରେ ଥିବା ଦୋକାନରେ ଥିବା ସିସିଟିଭିକୁ ଯାଂଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅପହୃତା ଶିଶୁକନ୍ୟା ‌ମଙ୍ଗଳମାର ଭୋର ସକାଳୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ଜଣେ ମହିଳା ଉଦ୍ଧାର କରିଥିଲେ।  ଭୋରରୁ କାମକୁ ଯାଉଥିବା ଉକ୍ତ ମହିଳା ଦେଖିବା ପରେ ତାକୁ ଉଦ୍ଧାର କରିଥିଲେ। ପରେ ସେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବଡ଼ଗାଁ ପୁଲିସ ପହଞ୍ଚି ନାବାଳିକାକୁ ନିଜ ହେପାଜତକୁ ଆଣିଥିଲା।  

ଏକ ସପ୍ତାହରେ ୩ ଅପହରଣ ଘଟଣା

ଅପହରଣକାରୀମାନେ ପୁଲିସକୁ ଦୁର୍ବଳ ମନେ କରୁଛନ୍ତି। ଖୋଲା ଚ୍ୟାଞ୍ଜେଜ ଦେବାକୁ ସାହାସ କରୁଛନ୍ତି। ଏକ ସପ୍ତାହ ମଧ୍ୟରେ ଅର୍ଥାତ ଡିସେମ୍ବର ୧୪ରୁ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୩ଟି ସ୍ଥାନରେ ଅପହରଣ ଗତିବିଧି ଦେଖିବାକୁ ମିଳିଛି। ଅପହରଣକାରୀମାନେ ଦେବଗଡ଼ ସହରରୁ ୬ ବର୍ଷୀୟ ଶିଶୁକୁ ସୋମବାର ଦିନ ଅପହରଣ କରିଥିଲେ। ଶିଶୁକନ୍ୟାକୁ ଅପହରଣକାରୀମାନେ ସୁନ୍ଦରଗଡ଼ରେ ଛାଡ଼ି ପଳାଇଯାଇଥିଲେ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ଜାତୀୟ ରାଜପଥରୁ ଜୁଣ ବଳଦା ପେଟ୍ରୋଲ ପମ୍ପ ନିକଟରୁ ଦ୍ପଷ୍ଟ ଦିବାଲୋକରେ କିଛି ଯୁବକ ୨ ଜଣ ଯୁବକଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ଦୁର୍ବୃତ୍ତମାନେ ଯୁବକ ଦ୍ବୟଙ୍କୁ ନେଇ ଜଳେଶ୍ବର ଅଭିମୁଖେ ଫେରାର ହୋଇଯାଇଥିଲେ। କିନ୍ତୁ ସେହିଦିନ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ସ୍ଥାନୀୟ ଲୋକେ ଅପହରଣ ଉଦ୍ୟମ କରୁଥିବା ୨ ଯୁବକଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିଲେ।

ତାମିଲନାଡୁରେ ଅପହରଣ, କଟକରେ ଉଦ୍ଧାର

ଗତ ଅକ୍ଟୋବର ମାସର ଘଟଣା। ଜଗତସିଂହପୁର ଜିଲ୍ଲା ନୂଆରତନପୁରରେ ଥିବା ମାମୁ ଘରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ରହୁଥିଲା। ସେଠାରେ ରହିବା ସମୟରେ କୁଜଙ୍ଗ ଅଭୟଚାନ୍ଦପୁର ଅଞ୍ଚଳର ୨୨ ବର୍ଷୀୟ ନିରଞ୍ଜନ ଦାସ ତାଙ୍କ ସହିତ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ତାମିଲନାଡ଼ୁର ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ତାଙ୍କ ବାପା ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଝିଅ ଅସୁରକ୍ଷିତ ଥିବା ମନେକରି ଝିଅକୁ ତାମିଲନାଡ଼ୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଝିଅ ଥିବା ସମୟରେ ଅଭିଯୁକ୍ତ ନିରଞ୍ଜନ ତାମିଲନାଡ଼ୁରେ ପହଞ୍ଚିଯାଇଥିଲା। ସେଠାରୁ ନାବାଳିକା ଝିଅକୁ ଅପହରଣ କରି ତାମିଲନାଡ଼ୁର ଏକ ଷ୍ଟେସନକୁ ନେଇଯାଇଥିଲା। ସେଠାରୁ ଟ୍ରେନରେ କଟକ ନେଇଆସିଥିଲା। ପୀଡ଼ିତାଙ୍କ ଅଭିଭାବକ ତାମିଲନାଡ଼ୁ ପୁଲିସକୁ ଏ ସମ୍ପର୍କରେ ଅବଗତ କରିଥିଲେ। ତାମିଲନାଡ଼ୁ ପୁଲିସ ଅଭିଯୁକ୍ତର ମୋବାଇଲ୍ ନମ୍ବର ଟ୍ରାକ୍ କରିଥିଲା। ସେ କଟକ ଜିଲ୍ଲା ବାରଙ୍ଗ ଷ୍ଟେସନ ଆଖପାଖରେ ଥିବା ଜାଣିବାକୁ ପାଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ଜଗତସିଂହପୁରରେ ରହୁଥିବା ପୀଡ଼ିତାଙ୍କ ମାମୁଙ୍କୁ ଜଣାଇଥିଲେ। ମାମୁ ତୁରନ୍ତ ବାରଙ୍ଗ ଥାନା ପୁଲିସକୁ ଅବଗତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments