ଭୁବନେଶ୍ବର: ଶିଶୁମାନେ ହେଉଛନ୍ତି ଭବିଷ୍ୟତ ପିଢ଼ିର ଉଜ୍ବଳ ତାରକା। ଆଗାମୀ ଦଶନ୍ଧିର ବିକାଶରେ ସେମାନଙ୍କର ରହିବ ଗୁରୁତ୍ବପୂର୍ଣ୍ଣ ଭୂମିକା। ଏମାନଙ୍କୁ ବିକଶିତ ଭାବେ ଗଢ଼ିବା ପାଇଁ ପରିବାର, ଆମ ପାଖରେ ଥିବା ଗୋଷ୍ଠୀ, ସମାଜ, ପ୍ରଶାସନ ଓ ସରକାର ସମସ୍ତେ ଯତ୍ନବାନ ହେବା ଦରକାର। ଏମାନଙ୍କୁ ସଠିକ୍ ଦିଗଦର୍ଶନ ଦେଇ ଏକ ଉନ୍ନତ ସମାଜ ଗଢ଼ିବା ପାଇଁ ଉଦ୍ୟମ କରାଯାଇପାରିବ। ସର୍ବୋପରି ଶିଶୁର ଅଭିଭାବକ ଏହାର ବିକାଶ ପାଇଁ ପ୍ରଥମେ ଚିନ୍ତା କରିବା ଦରକାର। ଏମାନେ ଭଲ ଓ ବଡ଼ ମଣିଷ ହେବା ପାଇଁ ଯତ୍ନବାନ ହେବାର ଆବଶ୍ୟକତା ରହିଛି।
କ୍ଷୋଭର ବିଷୟ ହେଲା ଯେ, ଆମ ଚତୁଃପାର୍ଶ୍ବରେ ଦେଖାଯାଉଥିବା ସମସ୍ତ ଶିଶୁ ସୁରକ୍ଷିତ ନାହାନ୍ତି। ବ୍ୟକ୍ତିଗତ ଅବହେଳା ହେଉ ଅଥବା ପ୍ରଶାସନିକ ଅବ୍ୟବସ୍ଥା ହେଉ ଆମ ରାଜ୍ୟରେ ହଜାର ହଜାର ଶିଶୁ ବିପଦଆଡ଼କୁ ଠେଲି ହୋଇଯାଉଛନ୍ତି। ବ୍ୟକ୍ତିଗତ କାରଣରୁ ଦୁର୍ଘଟଣା କାରଣରୁ ଅନେକ ଶିଶୁଙ୍କର ଅକାଳ ମୃତ୍ୟୁ ହେଉଛି। ସେହିପରି ପ୍ରଶାସନିକ ଅବହେଳା କାରଣରୁ ଶିକ୍ଷା, ସ୍ବାସ୍ଥ୍ୟରୁ ବଞ୍ଚିତ ରହୁଛନ୍ତି ଅନେକ ଶିଶୁ, ଯେଉଁଥି ପାଇଁ ଶ୍ରମିକ ଭାବେ କାମ କରିବାକୁ ପଡ଼ିଥାଏ। ଆହୁରି ଅନେକ ଶିଶୁ ମନ୍ଦିର, ରାସ୍ତାକଡ଼ରେ ଭିକ୍ଷା ମାଗୁଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଥାଏ।
କୂଅରେ ପଡ଼ିଗଲେ ୨ ଶିଶୁକନ୍ୟା
ଗତ ୪ ତାରିଖ ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପରିତ୍ୟକ୍ତ କୂଅରେ ପଡ଼ି ୨ ଜଣ ନିଷ୍ପାପ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ସହରକୁ ସ୍ତବ୍ଧ କରିଦେଇଥିଲା। ଶିଶୁକନ୍ୟା ଦ୍ବୟର ପରିତ୍ୟକ୍ତ କୂଅକୁ ଯଦି ପୋତି ଦେଇଥାନ୍ତେ, ଅଥବା ଏହାର ଉପରକୁ ଠିକ୍ ଭାବେ ଆବଦ୍ଧ କରିଥାନ୍ତେ, ସେହିଭଳି ଅଘଟଣ ଘଟି ନଥାନ୍ତା। ଅନ୍ୟପଟରେ ଘଟଣା ଦିନ ଘରର ପୋଷାକୁକୁର କୂଅ ଆଡ଼କୁ ଚାହିଁ ଅନବରତ ଭୁକି ଥିଲେ ମଧ୍ୟ ପରିବାର ଲୋକେ ଅଘଟଣ ସମ୍ପର୍କରେ ଆଦୌ ଚିନ୍ତା କରି ନଥିଲେ। ସେମାନେ କୁକୁର ଭୁକିବାର କାରଣ ଖୋଜି ନଥିଲେ। ବିଳମ୍ବରେ ଶିଶୁକନ୍ୟାଙ୍କୁ ଖୋଜିଲା ବେଳକୁ ସବୁ ଶେଷ ହୋଇଯାଇଥିଲା। କୂଅରୁ ଉଦ୍ଧାର କରି ୨ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସତ କିନ୍ତୁ ସେମାନଙ୍କର ଆଉ ଜୀବନ ଫେରି ନଥିଲା।
କୀଟନାଶକ ପିଇଲେ ୪ଶିଶୁ
ଭଦ୍ରକ ଜିଲ୍ଲା ତିହିଡି ଥାନା ଝିଙ୍କିରିଆ ଗାଁରେ ଗୁରୁବାର ୨ରୁ ୩ ବର୍ଷ ବୟସର ୪ ଜଣ ଶିଶୁ ବିଲରେ ଖେଳୁଥିବା ସମୟରେ କୀଟନାଶକ ପିଇଦେଇଛନ୍ତି। ବିଲରେ ପଡ଼ିଥିବା ଆକ୍ଟିଭ ୮୦ ନାମକ ଏକ ହର୍ବାଲ କୀଟନାଶକକୁ ପିଇଲା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଗତିବିଧି ଦେଖିଲା ପରେ ସେମାନଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ସେମାନଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଚିକିତ୍ସା ମିଳିଲା ପରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ଶିଶୁମାନଙ୍କର ଅଭିଭାବକମାନେ ପୂର୍ବରୁ ଯଦି ଠିକ୍ଭାବେ ହେପାଜତ କରିଥାନ୍ତେ, ସେମାନେ ବିଲକୁ ଯାଇ କୀଟନାଶକ ପିଇପାରି ନଥାନ୍ତେ। ଅପରପକ୍ଷେ ବିଲରେ କୀଟନାଶକ ଫିଙ୍ଗିବା ପୂର୍ବରୁ ଚାଷୀ ଜଣକ ମଧ୍ୟ ଚିନ୍ତା କରିବାର ଥିଲା ଯେ, ଏହାକୁ ଠିକ୍ ଭାବରେ ଫିଙ୍ଗାଯିବା ଦରକାର।
ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର
କିଛି ଦିନ ପୂର୍ବରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କେହି ଜଣେ ଅଜଣା ମହିଳା ଏକ ନବଜାତ ଶିଶୁକନ୍ୟାକୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ପ୍ରାୟ ୪ ଦିନର ଶିଶୁକନ୍ୟାକୁ ଆଣି ଜଣେ ମହିଳା ମାତୃ ଓ ଶିଶୁ ଚିକିତ୍ସାଳୟ ବେଡ୍ରେ ଶୁଆଇଦେଇ ସେଠାରୁ ପଳାଇ ଯାଇଥିଲେ। ଚିକିତ୍ସାଧୀନ ଅନ୍ୟାନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ନଜରରେ ଏହି ଘଟଣା ପଡ଼ିବା ପରେ ସେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ପୁଲିସ ଓ ଚାଇଲ୍ଡ ଲାଇନ୍କୁ ସୂଚନା ପ୍ରଦାନ କରାଯାଇଛି, ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ରହିଥିବା ଜଣାପଡ଼ିଛି। ଜନ୍ମଦାତ୍ରୀ ମା’ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ଶିଶୁକନ୍ୟାକୁ ଛାଡ଼ିଗଲା। କିନ୍ତୁ ସେ ପାପ ସଂପର୍କ ରଖିବା ପୂର୍ବରୁ ଶିଶୁର ଭବିଷ୍ୟତ ସଂପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଥିଲା।