ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ନଗରୀ ତଥା ଉତ୍ତର ପ୍ରଦେଶର ଅନ୍ୟତମ ଆଧ୍ୟାତ୍ମିକ ସହର ‘ଅଯୋଧ୍ୟା’ରେ ୬ଷ୍ଠ ଥର ପାଇଁ ୨୦୨୨ ଅକ୍ଟୋବର ୨୩ ତାରିଖରେ ଦୀପୋତ୍ସବ’ର ଆୟୋଜନ କରାଯାଇଛି। ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଚଳିତ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଡ଼ିତ ହୋଇଛନ୍ତି। ମୋଦୀଙ୍କ ଗସ୍ତକୁ ସ୍ମରଣୀୟ ରଖିବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଗତ ଦିନରେ ଆୟୋଜିତ କାର୍ଯ୍ୟକ୍ରମ ତୁଳନାରେ ଅଧିକ ଉଦ୍ୟମ କରାଯାଇଥିଲା। ସରଯୂ ନଦୀକୂଳରେ ସେଥି ପାଇଁ ପ୍ରାୟ ୧୮ ଲକ୍ଷ ମାଟିଦୀପ ଜଳିଥିଲା।
ଅଯୋଧ୍ୟାର ଦୀପୋରତ୍ସବ କାର୍ଯ୍ୟକ୍ରମରେ ୨୦୨୧ ମସିହାରେ ‘ରାମ କୀ ପୈରୀ’ ଘାଟ ୯ ଲକ୍ଷ ୪୧ ହଜାର ଦୀପ ଜଳିଥିଲା। ୨୦୨୦ରେ ସାଢ଼େ ୫ ଲକ୍ଷ, ୨୦୧୯ ମସିହାରେ ସାଢ଼େ ୪ ଲକ୍ଷ ଲେଖାଏଁ, ୨୦୧୮ରେ ସାଢ଼େ ୩ ଲକ୍ଷ ଓ ୨୦୧୭ରେ ଲକ୍ଷାଧିକ ଦୀପ ଜଳିଥିଲା। ତେବେ ଲକ୍ଷ ଲକ୍ଷ ଦୀପ ଜାଳିବା ପାଇଁ ପାଖରେ ମାନବ ସମ୍ବଳ ମଧ୍ୟ ରହିବାର ଅଛି। ପୁଣି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦାୟିତ୍ବର ସହିତ ଜାଳିବା ସାଧାରଣ କଥା ନୁହେଁ। ଏହି କାର୍ଯ୍ୟକୁ ସଫଳତାର ସହିତ ଶେଷ କରିବା ପାଇଁ ମାନବ ସମ୍ବଳକୁ ସୁସଂ ଯୋଜିତ କରିବାର ଅଛି। ଉତ୍ତର ପ୍ରଦେଶ ସରକାର କିନ୍ତୁ ୬ ବର୍ଷ ହେବ ସଫଳତାର ସହିତ ଦୀପୋତ୍ସବ ଆୟୋଜନ କରି ଆସୁଛନ୍ତି।
ରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲାଙ୍କୁ ଦର୍ଶନ କରିବା ପରେ ଅଯୋଧ୍ୟା ଫେରିଥିବା ଭଗବାନ ରାମଙ୍କ ପ୍ରତୀକାତ୍ମକ ଭାବେ ରାଜ୍ୟାଭିଷେକ କରିଛନ୍ତି। ଏହା ପରେ କାର୍ଯ୍ୟକ୍ରମକୁ ସଂବୋଧିତ କରି କହିଛନ୍ତି ଅଯୋଧ୍ୟାର କୋଣ-ଅଣୁକୋଣରେ ଭଗବାନ ରାମଙ୍କ ଦର୍ଶନ ସମାହିତ। ସେ କହିଥିଲେ ଯେ, ଅଯୋଧ୍ୟାର ରାମଲୀଳା, ସରଯୂ ଆରତୀ, ଦୀପୋତ୍ସବ ମାଧ୍ୟମରେ ଦର୍ଶନ ବିଶ୍ବରେ ବ୍ୟାପିଛି। ଦୀପାବଳି ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଆମେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛେ। ଅମୃତ କାଳ ସମୟରେ ଭଗବାନ ରାମଙ୍କ ସଂକଳ୍ପ ଶକ୍ତି ଦେଶର ନୂଆ ଶିଖର ଛୁଇଁବ।
ଚାରିଆଡେ ଭଗବାନ ରାମଙ୍କ ନାମ
ଭାରତର ଚାରିଆଡେ ଭଗବାନ ରାମଙ୍କ ନାମ। ଜନ-ମନରେ ରାମ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଈଦ୍ ଠାରୁ ଦୀପାବଳି ପର୍ଯ୍ୟନ୍ତ ଭାରତର ସଂସ୍କୃତି। ଦୀପ ନିଜେ ଜଳେ ଏବଂ ଅନ୍ୟକୁ ଆଲୋକ ପ୍ରଦାନ କରିଥାଏ। ଅତୀତରେ ଦେଶ ଅନେକ ଗମ୍ଭୀର ସ୍ଥିତି ଦେଖିଛି। ଯେତେବେଳେ ବଡ଼ ବଡ଼ ଶକ୍ତିର ସୂର୍ଯ୍ୟ ଅସ୍ତ ହେଉଥିଲା, ସେହି ସମୟରେ ଆଶାର ଆଲୋକ ଜଳି ଉଠେ।
ଦେଶବ୍ୟାପୀ ଦୀପାବଳି
କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପ୍ରତିବର୍ଷ ଦୀପାବଳି ପାଳିତ ହୋଇଆସୁଛି। ହିନ୍ଦୁ ଧର୍ମର ଏହା ହେଉଛି ଅନ୍ୟତମ ବଡ଼ ପର୍ବ। ପୂର୍ବରେ ଓଡ଼ିଶାରୁ ପଶ୍ଚିମରେ ରାଜସ୍ଥାନ ଓ ଉତ୍ତରରେ କଶ୍ମୀର ଠାରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି ପର୍ବ ମହାଡାମ୍ବରରେ ପାଳିତ ହେଉଛି। ଶହ ଶହ ବର୍ଷ ଧରି ଏହି ପର୍ବକୁ ଭାରତରେ ନୂତନ ଆଶାର ସଂଚାର ସୃଷ୍ଟି ହୋଇଥାଏ। ବିଜୟା ଦଶମୀରେ ଲଙ୍କାପତି ରାବଣକୁ ବଧ କରି ଭଗବାନ ଶ୍ରୀରାମ ଦେବୀ ସୀତା ଓ ଅନୁଜ ଲକ୍ଷ୍ମଣକୁ ନେଇ ଯେତେବେଳେ ଅଯୋଧ୍ୟା ଫେରିଥିଲେ, ସେହିଦିନ ଠାରୁ ଦୀପାବଳି ପାଳନ ହୋଇ ଆସୁଛି। ମାତ୍ର ସଭ୍ୟତାର ଯେମିତି ବିକାଶ ହେଉଛି, ଦୀପାବଳି ଅଧିକ ଆକର୍ଷଣୀୟ ହେଉଛି। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଦୀପାବଳି ପର୍ବ ସପ୍ତାହବ୍ୟାପୀ ପାଳନ ହେଉଛି।