ଭୁବନେଶ୍ବର: କଳାହାଣ୍ଡିର କାଳନାଗୁଣୀ ଅର୍ଚ୍ଚନା ନାଗ ମାମଲାକୁ ନେଇ ଆଗାମୀ ଦିନରେ ବଡ଼ ରହସ୍ୟ ଆସିବାର ସମ୍ଭାବନା ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନେଇ ତଦନ୍ତ ଆଗକୁ ବଢ଼ାଇଛି। ଇଡିର ଅଧିକାରୀମାନେ କିଛି ଦିନ ମଧ୍ୟରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପ୍ରମୁଖ ସହଯୋଗୀ ଖଗେଶ୍ବର ପାତ୍ର, ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନା ନାଗଙ୍କ କଳା କାରନାମାକୁ ପଦାରେ ପକାଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ପଚାରଉଚରା କରିଛି। ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ଇଡି ଜେରା କରିଛି। ଏମାନଙ୍କ ଠାରୁ ବହୁ ତଥ୍ୟ ହାସଲ କରିଛି। ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ଇଡିକୁ କ’ଣ କହିଲେ, ଯଦିଓ ତାହା ସାର୍ବଜନିକ ହୋଇପାରି ନାହିଁ ତଥାପି ଅନୁମାନ କରାଯାଉଛି ଯେ, ଏମାନଙ୍କର ମାଧ୍ୟମରେ ଇଡିକୁ ବହୁତ ତଥ୍ୟ ହାସଲ ହୋଇଥିବ, ଯାହାକି ଆଗାମୀ ଦିନରେ ଅନ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ।
ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତ ଅକ୍ଟୋବର ୭ ତାରିଖ ଦିନ ସତ୍ୟବିହାରରୁ ଗିରଫ ହେଲା ପରେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଉଛି। ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ଖଗେଶ୍ବର ପାତ୍ର ଜେଲରେ ଥିବା ବେଳେ ଇଡି ଏବେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା ଜାରି ରଖିଛି। ଏହି ୨ ଜଣଙ୍କ ଠାରୁ ସବିଶେଷ ତଥ୍ୟ ହାସଲ କଲା ପରେ ଅର୍ଚ୍ଚନା ନାଗର ଫାଶରେ ପଡ଼ିଥିବା ଅନେକ ବଡ଼ବଡ଼ିଆଙ୍କ କାରନାମା ପଦାରେ ପଡ଼ିବେ ବୋଲି ଆଶା କରାଯାଉଛି।
ଅର୍ଚ୍ଚନା ଗିରଫ ହେଲା ସମୟରେ ତାଙ୍କର କଳାକାରନାମାରେ ରାଜ୍ୟର ଅନେକ ଜଣାଶୁଣା ବ୍ୟକ୍ତି ସଂପୃକ୍ତ ଥିବା ନେଇ ଗଣମଧ୍ୟମରେ ଚର୍ଚ୍ଚା ହୋଇଥିଲା। ରାଜ୍ୟ ସରକାର ଓ ପ୍ରଶାସନରେ ଗୁରୁତ୍ବ ଦାୟିତ୍ବବହନ କରୁଥିବା ବ୍ୟକ୍ତି ବିଶେଷଙ୍କ ସମେତ କିଛି ବିଧାୟକଙ୍କର ମଧ୍ୟ ଲିଙ୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ଅର୍ଚ୍ଚନାଙ୍କ ସହିତ ଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁ ନେତାମାନଙ୍କର ସହିତ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଥିଲା, ପ୍ରକୃତରେ ଯଦି ସେମାନେ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବେ, ତା’ହେଲେ ଆଗାମୀ ଦିନରେ ବଡ଼ଧରଣର ରାଜନୈତିକ ଓଲଟପାଲଟ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ ଅର୍ଚ୍ଚନାଙ୍କ ଜାଲରେ ବ୍ୟବସାୟୀ ଓ ବଡ଼ ବାବୁମାନେ ମଧ୍ୟ ସଂପର୍କ ରଖିଥିଲେ ବୋଲି ଚର୍ଚ୍ଚା ହୋଇଥିଲା।
ଇଡିର ଅଧିକାରୀମାନେ ବୁଧବାର ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଦିନ ସାରା ଜେରା କରିଥିଲେ। ଆଗାମୀ ଦିନରେ ଇଡି ଆହୁରି ବଡ଼ମାଛକୁ ଧରିପାରେ। ଏନେଇ ଦ୍ବନ୍ଦ୍ବ ଲାଗି ରହୁଛି। ଅକ୍ଷୟ ପରିଜାଙ୍କୁ ଇଡି ଦ୍ବିତୀୟ ଥର ପାଇଁ ପଚରାଉଚରା କରିଛି। ତାଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିଛି। ଇଡି ରିମାଣ୍ଡରେ ଥିବା ଖଗେଶ୍ୱରକୁ ବସାଇ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ସହିତ ଜେରା କରିଛି। ଅକ୍ଷୟ ପରିଜାଙ୍କୁ ଶ୍ରଦ୍ଧାଞ୍ଜଳି କେମିତି ଚିହ୍ନିଲେ? ଅର୍ଚ୍ଚନାକୁ ଅକ୍ଷୟ ମୋଟା ଅଙ୍କର ଟଙ୍କା ଦେଇଥିଲେ କି? ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା କେତେ ଟଙ୍କା ଦେଉଥିଲା? ହନିଟ୍ରାପ୍ରେ କେବେଠୁ ବ୍ୟବହାର ହେଉଥିଲେ ଶ୍ରଦ୍ଧାଞ୍ଜଳି? ନାଗ-ଚାନ୍ଦ ଦମ୍ପତି କେଉଁଠୁ ଏତେ ସଂପତ୍ତି ଅର୍ଜିଲେ? ଏବାଦରେ ପ୍ରଶ୍ନ ପଚାରିଛନ୍ତି।
ଅର୍ଚ୍ଚନା ନାଗ ମାମଲାରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ପୂରା ଓଡ଼ିଶାବାସୀ ଅପେକ୍ଷାରତ। ଅର୍ଚ୍ଚନାର ଫାଶରେ ପଡ଼ିଥିବା ବ୍ୟକ୍ତି ବିଶେଷ ଯଦି ଲୋକଲୋଚନକୁ ଆସିପାରନ୍ତେ, ତା’ହେଲେ ଲୋକେ ସରକାର ଓ ପ୍ରଶାସନ ପ୍ରତି ବିଶ୍ବାସ ରଖିପାରିବେ। ତେବେ ଏହି ଘଟଣାକ୍ରମର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଠାରୁ ଇଡି ଯଦି ପ୍ରକୃତ ତଥ୍ୟ ଆଦାୟ କରିପାରିଲା, ତା’ହେଲେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଶା କରାଯାଉଛି।