ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅଧିକ ଅସୁରକ୍ଷିତ ହେବାରେ ଲାଗିଛି। ମହିଳାଙ୍କ ପାଇଁ ଏହା ଅଧିକ। ପୂର୍ବରୁ ଚୋରି, ଡକାୟତି ରାହାଜନୀ, ଲୁଟ୍ ବଢ଼ିଚାଲୁଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଯାଇଛି ମହିଳାଙ୍କ ପ୍ରତି ହିଂସା। ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ବ୍ୟାପକ ପୋଲିସ ଓ ସିସିଟିଭିର ବ୍ୟବସ୍ଥା ଥିଲେ ବି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଏହା ମୂଲ୍ୟହୀନ। ଅକ୍ଟୋବର ୨୮ ତାରିଖରେ ରସୁଲଗଡ଼ ଛକ ଉପରେ ଜଣେ ଯୁବତୀଙ୍କ ଉପରେ ହୋଇଥିବା ଆକ୍ରମଣ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଯୁବତୀ ଜଣକ ରାକ୍ଷସରୁ ବର୍ତ୍ତିବା ପାଇଁ ଜୋରରେ ଚିତ୍କାର କରୁଥିବା ବେଳେ କୌଣସି ସହାୟତା ମିଳିଥିଲା। ବିଚ୍ ରାସ୍ତାରେ ଘଟଣାକୁ ବହୁ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିପାରି ନଥିଲେ।
ରାଜ୍ୟ ସରକାର ଜନସାଧାରଣଙ୍କ ସୁରକ୍ଷା ପାଇଁ ମୋ ସରକାର, ଆମ ପୋଲିସ, ୫-ଟି, ଆଦର୍ଶ ଥାନା, ମହିଳା ଥାନା ଆଦି ସବୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ସବୁ ସ୍ଥାନ ଗୁଡ଼ିକରେ ଯେଉଁ ବ୍ୟକ୍ତିମାନେ ଅବସ୍ଥାପିତ ହୋଇଛନ୍ତି, ସେମାନଙ୍କର ବ୍ୟକ୍ତିତ୍ୱ ଓଲଟା। ରାଜ୍ୟର ପୋଲିସ ବିଭାଗରେ ବହୁତ କମ୍ କର୍ମଚାରୀ ଥିବେ, ଯେଉଁମାନେକି ନୀରିହ, ପୀଡିତା, ଅବହେଳିତଙ୍କ ପାଇଁ କାମ କରୁଥିବେ। ଜଣେ ମହିଳା ଯେତେବେଳେ ଅସାମାଜିକ ବ୍ୟକ୍ତିର ଆକ୍ରମଣ ଅଥବା ଦୁଷ୍କର୍ମର ଶିକାର ହୋଇ ଥାନାକୁ ଯାଉଛନ୍ତି, ସେଠାରେ ପୁଣି ପୋଲିସର ନିର୍ଯାତନାର ଶିକାର ହେବାକୁ ପଡୁଛି। ତାଙ୍କୁ ସହଜରେ ନ୍ୟାୟ ମଧ୍ୟ ମିଳୁ ନାହିଁ। ଏପରିକି ପୋଲିସ ତଦନ୍ତ କରିବାର ତ ଦୂରର କଥା, ଅଭିଯୋଗ ମଧ୍ୟ ରଖିବାକୁ ନାରାଜ ହେଉଛନ୍ତି।
ବିଚ୍ ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ
ଅକ୍ଟୋବର ୨୮ ତାରିଖ ରସୁଲଗଡ଼ ଛକ ଉପରେ ଘଟିଥିବା ଘଟଣା ସମଗ୍ର ସଭ୍ୟ ସଭ୍ୟତାକୁ ହତବାକ୍ କରୁଛି। କାରଣ ଏହା ଏକ ଲୋମହର୍ଷଣକାରୀ ଘଟଣା ଥିଲା। ଜଣେ କର୍ମଜୀବୀ ଯୁବତୀଙ୍କୁ ଜଣେ ଯୁବକ ଗୋଡାଇ ଗୋଡାଇ ଦୁଷ୍କର୍ମ ଉଦ୍ୟମ ସହ ରକ୍ତାକ୍ତ କରିବା ଘଟଣା ଲଜ୍ଜାଜନକ। ବ୍ୟସ୍ତବହୁଳ ରାସ୍ତାରେ ରାତି ସାଢ଼େ ୧୦ଟାରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅତି ଅସଭ୍ୟ ହିଁ କୁହାଯିବ। ସବୁଠାରୁ କ୍ଷୋଭର ବିଷୟ ଯେ, ମଞ୍ଚେଶ୍ୱର ଥାନା ଠାରୁ ୫ ଶହ ମିଟର ଓ ଫାଣ୍ଡି ଠାରୁ ୧୦୦ ମିଟର ଦୂରରେ ଏହି ଘଟଣା ଘଟିଥିବାରୁ ପୋଲିସର ପାରିବା ଦକ୍ଷତା ପଦାରେ ପଡ଼ିଛି। କୁହାଯାଉଛି ଯେ ପୋଲିସ ଘଟଣା ସଂପର୍କରେ ସବୁ ଜାଣିଶୁଣି ମାମଲାକୁ ଚାପି ଦେବାକୁ ଉଦ୍ୟମ ମଧ୍ୟ କରିଛି। ଫୋନ୍ କଲ ପାଇଲା ପରେ ବି ପୋଲିସ ଘଟଣାସ୍ଥଳକୁ ପହଂଚିବା ପାଇଁ ୨୦ ମିନିଟ ସମୟ ନେଇଥିଲା।
ନୀରବଦ୍ରଷ୍ଟା ସାଜିଲେ ଲୋକେ
ଆମେ ଖାଲି ପୋଲିସକୁ ଦୋଷ ଦେଇ ବି କିଛି ଲାଭ ନାହିଁ। ଜଣେ ମହିଳା ବା ଯୁବତୀ ଯେତେବେଳେ ଅସଦାଚରଣର ସାମ୍ନା କରୁଛି, ଏହାକୁ ବିରୋଧ କରିବା ସଚେତନ ନାଗରିକଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହୁଛି। ଯୁବତୀଙ୍କୁ ବାଇକ୍ ଚାଳକ ଧକ୍କା ଦେଇଥିଲା। ଯୁବତୀ ତଳେ ପଡ଼ିଯିବା ପରେ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ ବି କରିଥିଲା। ଏହାକୁ ଯୁବତୀଙ୍କ ସହ ରାସ୍ତାରେ ଯାଉଥିବା ଅନ୍ୟମାନେ ଅଥବା ସ୍ଥାନୀୟ ଲୋକେ ବିରୋଧ କରିପାରି ନଥିଲେ। ଯଦି ସେମାନେ ଚାହିଁଥାନ୍ତେ, ତା’ହେଲେ ଅଭିଯୁକ୍ତକୁ ଧରିପାରିଥାନ୍ତେ। ଉତ୍ତମ ମଧ୍ୟମ ଦେଇ ପୋଲିସ ନିକଟରେ ଜିମା ଦେଇପାରିଥାନ୍ତେ। କିନ୍ତୁ ଏହା କରି ନପାରିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏପରିକି ଜୀବନ ପାଇଁ ସଂଘର୍ଷ କରୁଥିବା ଯୁବତୀଙ୍କୁ ମଧ୍ୟ କେହି ଉଦ୍ଧାର କରି ନଥିଲେ।
ମୁହଁ ଖୋଲିଲାନି ପୋଲିସ
ଯୁବତୀ ଜଣକ ହିଂସାର ଶିକାର ହେବା ୨ ଦିନ ହୋଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟରେ କାର୍ଯ୍ୟାନୁଷ୍ଠାନ ଶୂନ। କୁହାଯାଉଛି ଯେ, ଅଭିଯୁକ୍ତ ଯୁବକର ପ୍ରଭାବରେ ପୋଲିସ ନିଷ୍କ୍ରିୟ ପାଲଟି ଯାଇଛି। ଏହି ଘଟଣା ନେଇ ନାଁ ପୋଲିସ ମୁହଁ ଖୋଲିଛି, ନାଁ ଶାହି ଏକ୍ସ୍ପୋର୍ଟ ନାମକ ସୂତା କମ୍ପାନୀ, ଯେଉଁଠି ଯୁବତୀ କାମ କରୁଥିଲେ, କିଛି କହିଛି। ଯୁବକ ଜଣଙ୍କ ରସୁଲଗଡ଼ ଅଞ୍ଚଳରର ହୋଇଥିବା ବେଳେ, ଏହା ଜାଣି ପୋଲିସ ତଦନ୍ତ ପ୍ରକିୟାକୁ ଶୀତଳ କରିଦେଇଛି। କୁହାଯାଉଛି ଯେ, ମାମଲା ରୁଜୁ ନ କରିବା ପାଇଁ ପୋଲିସ ପ୍ରଥମେ ଯୁବତୀଙ୍କ ଉପରେ ଚାପ ପକାଇଥିଲା। ଚାକିରୀ ଓ ହଷ୍ଟେଲରେ ରହିବାକୁ ସ୍ଥାନ ମିଳି ନ ପାରେ ବୋଲି ମଧ୍ୟ କହିଥିଲା।