Saturday, September 14, 2024
Homeଅସହ୍ୟ ହେଲା ଯନ୍ତ୍ରଣା: ଝୁଲିପଡ଼ିଲେ ଦଂପତି
Array

ଅସହ୍ୟ ହେଲା ଯନ୍ତ୍ରଣା: ଝୁଲିପଡ଼ିଲେ ଦଂପତି

ଭୁବନେଶ୍ୱର: ରାଜ୍ୟର ବିକାଶ ନେଇ ବିଜେଡି ସରକାର ଯଦିଓ ବାହାସ୍ପଟ ମାରୁଛି, ପ୍ରକୃତ ପକ୍ଷେ ଲୋକେ କିଭଳି ଜୀବନଯାପନ କରୁଛନ୍ତି, ସେହି ଦୃଶ୍ୟ ତୃଣମୂଳସ୍ତରରେ ଦେଖିପାରୁ ନାହିଁ । ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ମଧ୍ୟରୁ ପ୍ରାୟ ୧ କୋଟି ଲୋକ ଦୁଃଖଦ ଜୀବନଯାପନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ଲକ୍ଷ ଲୋକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ରାଜ୍ୟ ବାହାରକୁ ଯାଇପାରୁ ନଥିବା ଆହୁରି ଲକ୍ଷଲକ୍ଷ ଲୋକ ଘୋର ଜୀବନ ସଂକଟ ମଧ୍ୟରେ ଦିନ ବିତାଉଛନ୍ତି । ଯେଉଁମାନେ ଅଭାବ ଯନ୍ତ୍ରଣା ଓ କଷ୍ଟକୁ ସହିପାରୁ ନାହାନ୍ତି ବାଧ୍ୟ ହୋଇ ଶେଷରେ ଜୀବନ ହାରୁଛନ୍ତି ।

ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାମରେ ମିଶନ ଶକ୍ତି ଖୋଲିଛନ୍ତି । ମହିଳାଙ୍କୁ କର୍ମ ଯୋଗାଇବା ପାଇଁ ମିଲେଟ ମିଶନ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱତନ୍ତ୍ର ରିହାତିରେ ବ୍ୟାଙ୍କ ଋଣ ଦେଉଛନ୍ତି । ମାତ୍ର କ୍ଷୋଭର ବିଷୟ ହେଲା ଯେ, ଏହି ଯୋଜନାଗୁଡ଼ିକରୁ ଏକ ସ୍ୱତନ୍ତ୍ର ରାଜନୈତିକ ଦଳକୁ ସମର୍ଥନ କରୁଥିବା ମହିଳାମାନେ ଲାଭନ୍ୱିତ ହୁଅନ୍ତି । କିନ୍ତୁ ଅନ୍ୟ ମହିଳାମାନଙ୍କର ସ୍ୱାର୍ଥରେ ମହିଳା ସଶକ୍ତୀକରଣ ଓ ମିଶନ ଶକ୍ତି କାମକୁ ଆସି ନଥାଏ । ଗାଁ ଗଣ୍ଡାରେ ଆଜି ବି ଅନେକ ମହିଳା ଦିନକୁ ୫୦ ଟଙ୍କା ରୋଜଗାର କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ ରାଜ୍ୟର ମା’ମାନଙ୍କୁ ବହୁତ ଭଲ ପାଆନ୍ତି ବୋଲି ଭାଷଣବାଜୀ କରନ୍ତି । ସେ ଏମିତି ଭାବେ ରାଜ୍ୟର ମହିଳାଙ୍କୁ ସମ୍ମାନ ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି ।

ଦିନକରେ ୨ ଦଂପତି ଝୁଲିପଡ଼ିଲେ

ରାଜ୍ୟରେ ଗତ ୩ ତାରିଖ ଦିନ ଦୁଇଟି ସ୍ଥାନରେ ଅଭାବନୀୟ ଅଘଟଣ ଘଟିଛି । ଦୁଇ ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କ ସହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗରିବୀ ସେମାନଙ୍କ ପାଇଁ କାଳ ସାଜିଛି । ଋଣଭାର ମାତ୍ରାଧିକ ହେବା କାରଣରୁ ଶେଷରେ ଏଭଳି ନିଷ୍ପତ୍ତି ନେଇଥିଲେ । ଭଦ୍ରକ ଜିଲ୍ଲା ତିହିଡି ଥାନାଅଞ୍ଚଳରେ ଏକ ଦଂପତି ଆତ୍ମହତ୍ୟା କରିଥିଲେ । ସେହିପରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଏକ ଦଂପତି ଋଣ ସୁଝି ନପାରି ଶେଷରେ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।

ମାନସିକ ଚାପରେ ଆତ୍ମହତ୍ୟା

କାଁପଡ଼ା ପଞ୍ଚାୟତ ବାରଣାକୁଳ ଗାଁର ଉପେନ୍ଦ୍ର ମଳିକ ଓ ତାଙ୍କ ପତ୍ନୀ ମୀନତିଙ୍କ ମଧ୍ୟରେ ଗତ ୩ ତାରିଖ ଦିନ ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ସେମାନେ ଭୁଲ ନିଷ୍ପତ୍ତି ନେଇଥିଲେ । ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।  ଉପେନ୍ଦ୍ର ଜଣେ ଦିନ ମଜୁରିଆ ଥିବା ବେଳେ ତାଙ୍କ ପତ୍ନୀ ଆଶାକର୍ମୀ ଥିଲେ । ଉଭୟଙ୍କର ରୋଜଗାର ତୁଳନାରେ ପାରିବାରିକ ଖର୍ଚ୍ଚ ଅଧିକ ଥିଲା । ତେଣୁ ଦୁଇପୁଅଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ଯୋଗାଇବା ସମ୍ଭବ ହେଉନଥିଲା । ଏହି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଯୁକ୍ତିତର୍କ ହେଉଥିଲା ।

ବଳିଗଲା ଅର୍ଥଲଗାଣକାରୀ ସଂସ୍ଥାର ନିର୍ଯାତନା

ସେହିପରି ଗତ ୩ ତାରିଖ ଦିନ କଣାସ ଥାନା ମନ୍ଦାରବସ୍ତ ଫାଣ୍ଡି ଅଧୀନ ଅଁଳାଯୋଡ଼ି ପଞ୍ଚାୟତର ଅଁଳାଯୋଡ଼ି ଗ୍ରାମରେ ଏକ ଦଂପତି ଆତ୍ମହତ୍ୟା କରିଥିଲେ । ବାନାମ୍ବର ବେହେରା ଜଣେ ରାଜମସ୍ତ୍ରୀ ଥିବା ବେଳେ ତାଙ୍କ ପତ୍ନୀ ବନିତା ବେହେରା ଘରୋଇ ବ୍ୟାଙ୍କ ଓ ଅର୍ଥଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲେ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଦଂପତି ଋଣ ଟଙ୍କା ସୁଝି ପାରୁ ନଥିଲେ । ଅନ୍ୟପକ୍ଷରେ ଅର୍ଥଲଗାଣକାରୀ ସଂସ୍ଥା ବାରମ୍ବାର ବାନାମ୍ବରଙ୍କ ପାଖକୁ ଆସି ଟଙ୍କା ମାଗୁଥିଲେ । ଶେଷରେ ଗତ ୨ ତାରିଖ ଦିନ ଋଣପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ବାନାମ୍ବରଙ୍କୁ ଋଣ ଟଙ୍କା ଫେରାଇବା ପାଇଁ କହିଥିଲେ । ଏଥି ସହିତ ସେମାନେ ବାନାମ୍ବରଙ୍କ ଦୁଆର ସାମ୍ନାରେ ବିଳମ୍ବିତ ରାତି ଯାଏଁ ବସିଥିଲେ । ଏଥିରେ ପତି-ପତ୍ନୀ ମ୍ରିୟମାଣ ହୋଇ ଘର ଭିତରେ ବସିଥିଲେ । ଲୋକଲଜ୍ୟା ସହ୍ୟ କରି ନପାରି ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।
 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments