Sunday, April 20, 2025
Home‘ଅସାନି’ ନ ଆସି କ୍ଷତି
Array

‘ଅସାନି’ ନ ଆସି କ୍ଷତି

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଦୁର୍ବଳ ହୋଇଯାଇଛି । ଓଡ଼ିଶା ଉପକୂଳରେ ବାତ୍ୟା ମାଡ଼ ହେବ ବୋଲି ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇଯାଇଛି । ବାତ୍ୟାର ପ୍ରଭାବ ପଡୋଶୀ ଆନ୍ଧ୍ରପ୍ରଦେଶରେ ସାମାନ୍ୟ ପଡ଼ିଛି । କିନ୍ତୁ ଆନ୍ଧ୍ର ପ୍ରଦେଶରେ ମଧ୍ୟ ସେହିଭଳି ବଡ଼ଧରଣର କ୍ଷତି ଘଟିନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ନ ଆସିଥିବାରୁ ଏବେ ପାଣିପାଗ ବିଶେଷଜ୍ଞ କାରଣ ଖୋଜୁଛନ୍ତି । ଅନ୍ୟପଟରେ ବାତ୍ୟା ପ୍ରତକ୍ଷ୍ୟ ଭାବରେ ଓଡ଼ିଶା ଉପକୂଳକୁ ନ ଆସିଥିଲେ ବି ଚାଷୀ ଓ ବ୍ୟବସାୟୀଙ୍କର କ୍ଷତି ହୋଇଛି । ସେହିପରି ସରକାର ମଧ୍ୟ ବାତ୍ୟା ମୁକାବିଲା ପାଇଁ ଯେଉଁ ପ୍ରସ୍ତୁତି କରିଥିଲେ, ସେଥିରେ ରାଜ୍ୟବାସୀଙ୍କର ରାଜସ୍ୱ ଖର୍ଚ୍ଚ ହୋଇଛି ।

ଦୀର୍ଘ ୧ ସପ୍ତାହ ହେବ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଦିଆଯାଇଥିଲା । ଗତ ୪ ତାରିଖ ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ, ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରିବର୍ତ୍ତୀ  ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗୋଟିଏ ଅବପାତରେ ପରିଣତ ହେବ । ପାଣିପାଗ ବିଭାଗର ଏହି ସତର୍କମୂଳକ ସୂଚନା ଆସିବା ପରେ ଏକ ସପ୍ତାହ ଧରି ଉପକୂଳ ଓଡ଼ିଶାବାସୀଙ୍କୁ ବାତ୍ୟା ଭୟ ଘାରିଥିଲା ।

ଆନ୍ଧ୍ରର କାକିନାଡାରେ ବାତ୍ୟା

ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶରେ ସାମାନ୍ୟ ଦେଖିବାକୁ ମିଳିଛି । ମଛଲିପାଟନମ ଠାରେ ଘଣ୍ଟା ପିଛା ପବନର ବେଗ ୭୦ରୁ ୮୦ କିମି ରହିଛି । ମଝିରେ ମଝିରେ ବର୍ଷା ହୋଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାକିନାଡାର ଉପାଡା ବେଳାଭୂମି କ୍ଷତିଗ୍ରସ୍ତ ହୋଇଛି । କାକିନାଡାରୁ ଉପାଡାକୁ ସଂଯୋଗ କରୁଥିବା ବେଳାଭୂମି ପିଚୁ ରାସ୍ତ କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ରର ଲହଡ଼ି ରାସ୍ତା ଉପରେ ପ୍ରଭାବିତ ହୋଇଛି । ସାଧାରଣଲୋକଙ୍କ ଯାତାୟତ ବନ୍ଦ କରିଦିଆଯିବା ପରେ ଲୋକେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବିକଳ୍ପ ଖୋଜୁଛନ୍ତି ।

ବର୍ଷା ସୂଚନା

ଭାରତୀୟ ପାଣିପାଗ ପକ୍ଷରୁ ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ଏହା ପରେ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗତ ଶୁକ୍ରବାର ଠାରୁ ଲଗାତାର ସମୟ ସମୟରେ ଲୋକଙ୍କୁ ସତର୍କ କରାଉଥିଲେ । ଉପକୂଳ ଓଡ଼ିଶାର ଲୋକଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ପୁରୀ, ଖୋର୍ଦ୍ଧା, ଗଂଜାମ ଓ ଜଗତସିଂହପୁରବାସୀଙ୍କୁ ଅଧିକ ସତର୍କ ସୂଚନା ଦେଇଥିଲେ । ଏସ୍‌ଆରସିଙ୍କ ସତର୍କ ସୂଚନା ନେଇ ଜିଲ୍ଲା ପ୍ରଶାସନଗୁଡ଼ିକ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ମୁକାବିଲା ପାଇଁ ପ୍ରସ୍ତୁତି ଥିଲା । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ନ ହେଲେ ବି ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।  

କ୍ଷତି ସହିଲେ ଚାଷୀ

ରବି ଚାଷ କରିଥିବା ଚାଷୀ ମୁଗ, ବିରି, କୋଳଥ ପାକଳ ହେବା ପୂର୍ବରୁ ବିଲରୁ ଉପାଡି ଆଣିଥିଲେ । ସେହିପରି ଧାନ ଚାଷୀ ମଧ୍ୟ କଞ୍ଚା କଞ୍ଚା ଫସଲ କାଟି ଆଣିଥିଲେ । ଏବେ ବାତ୍ୟା ନଆସିବାରୁ ସେମାନେ ପସ୍ତାଇ ହେଉଛନ୍ତି । ଏହା ତ ଗଲା ଚାଷୀଙ୍କ କଥା । ହଜାର ହଜାର ମତ୍ସ୍ୟଜୀବୀମାନେ ମଧ୍ୟ କ୍ଷତି ସହିଛନ୍ତି । ୪ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ପ୍ରବେଶ ନକରି ଘରେ ବସି ରହିଛନ୍ତି । ଫଳରେ ସେମାନେ କିଛି ରୋଜଗାର କରିପାରି ନାହାନ୍ତି । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ଆଧ୍ୟାତ୍ମିକ ସହର ପୁରୀରେ ଅନ୍ୟଦିନ ତୁଳନାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ନାହାନ୍ତି । ପୂର୍ବରୁ ସତର୍କ ସୂଚନା ମିଳିଥିବାରୁ ହଜାର ହଜାର ପର୍ଯ୍ୟଟକ ନିଜର ଗସ୍ତ ବାତିଲ କରିଥିବା ଜଣାଯାଇଛି । ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିବାରୁ ରିକ୍ସା, ଅଟୋ, ହୋଟେଲ, ରେଷ୍ଟୁରାଣ୍ଟ, ଲଜରେ ବ୍ୟବସାୟ ହ୍ରାସ ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments