ଭୁବନେଶ୍ୱର: ପ୍ରେଟ୍ରୋଲିୟମରୁ ଉତ୍ପାଦିତ ସାମଗ୍ରୀ ଦର ବୃଦ୍ଧି ହେବା ପରେ ଖାଇବା ତେଲ ମୂଲ୍ୟ ଲୋକଙ୍କୁ କନ୍ଦାଉଛି। ବିଗତ ଦେଢ଼ ମାସ ମଧ୍ୟରେ ଖାଇବା ତେଲ ଦର ଢେର ମାତ୍ରାରେ ବଢ଼ଯାଇଛି। ସୋରିଷ, ସୂର୍ଯ୍ୟମୁଖୀ ଓ ରିଫାଇନ୍ ତେଲ ଦର ବଢ଼ିବା କାରଣରୁ ସାଧାରଣ ଜନତାଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେଲଦର ବୃଦ୍ଧିର ମୂଳ କାରଣ ହେଲା ପେଟ୍ରୋଲ-ଡିଜେଲ ଦର ବୃଦ୍ଧି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା କାରଣରୁ ପରିବହନ କ୍ଷେତ୍ରରେ ବ୍ୟବସାୟୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି, ଯେଉଁଥି ପାଇଁ ସେମାନେ ଖାଇବା ତେଲ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଆଉ ଏକ ଅନ୍ୟ କାରଣ ହେଲା ଯେ, ଭାରତ ନିଜ ଖାଇବା ତେଲ ବିଦେଶ ଉପରେ ନିର୍ଭର କରିଥାଏ। ଏବେ ବିଦେଶରେ ମଧ୍ୟ ଖାଇବା ତେଲ ଦର ବଢ଼ିଥିବାରୁ ଆମେ ଦରବୃଦ୍ଧିର ଶିକାର ହେଉଛେ।
ଖାଇବା ତେଲ ଦର ବୃଦ୍ଧି କେବଳ ରୋଷେଇ ଘରକୁ ପ୍ରଭାବ ପକାଇନାହିଁ। ବରଂ ରାସ୍ତାକଡ଼ର ଠେଲାଦୋକାନ ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ମଧ୍ୟ ପ୍ରଭାବିତ ହୋଇଛି। ତେଲ ବୃଦ୍ଧି ଯୋଗୁଁ ରାସ୍ତାକଡ଼ର ଜଳଖିଆ ଦୋକାନରେ ମଧ୍ୟ ଖାଇବା ଦାମ୍ ବଢ଼ିଯାଇଛି। ହୋଟେଲର ମାଲିକାମାନେ ତେଲ ବୃଦ୍ଧି କହି ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ନେଉଛନ୍ତି। ଏକ ବର୍ଷ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଓ ରାସ୍ତାକଡ଼ର ଠେଲାଗାଡ଼ିରେ ଖାଇବା ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ହୋଇଯାଇଛି, ଯାହାକି କମ୍ ରୋଜଗାରକାରୀ ସାଧାରଣ ଜନତାଙ୍କୁ ଅଧିକ ବାଧୁଛି। ସେହିପରି ମଧ୍ୟମ ଧରଣର ରୋଜଗାର କରୁଥିବା ବ୍ୟକ୍ତିମାନେ ମଧ୍ୟ ଦରବୃଦ୍ଧି ଯୋଗୁଁ ଅତିଷ୍ଠ ହୋଇଯାଇଛନ୍ତି। ଅଧିକାଂଶ ଖାଦ୍ୟ ପ୍ରସ୍ତୁତିରେ ତେଲର ବ୍ୟବହାର ହେଉଥିବାରୁ ଏହା ଏକ ଜରୁରୀ ସାମଗ୍ରୀ ହୋଇଯାଇଛି।
ଆଗକୁ ଆହୁରି ବଢ଼ିବ ତେଲ ଦର
ବର୍ତ୍ତମାନ ପର୍ଯ୍ୟନ୍ତ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ କରି ସାରିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଏବେଠାରୁ ଏହି ସଙ୍କେତ ମିଳିସାରିଛି। ଇଣ୍ଡୋନେସିଆ ଏପ୍ରିଲ ୨୮ ତାରିଖ ଠାରୁ ଖାଇବା ତେଲ ‘ପାମ ଅଏଲ’ର ରପ୍ତାନୀ ବନ୍ଦ କରିଦେଇଛି। ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଭାରତ ଉପରେ ଘୋର ପ୍ରଭାବ ପକାଇବ। ଇଣ୍ଡୋନେସିଆରୁ ଭାରତ ଖାଇବା ତେଲର ସବୁଠାର ଅଧିକ ଆମଦାନୀ କରିଥାଏ। ନିଜର ଆବଶ୍ୟକତାର ୫୦-୬୦ ପ୍ରତିଶତ ଖାଇବା ତେଲ କେବଳ ଇଣ୍ଡୋନେସିଆ ଠାରୁ ଆମଦାନୀ କରିଥାଏ।
ତେଲ ବୃଦ୍ଧିର କାରଣ ଯୁଦ୍ଧ!
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଯୁଦ୍ଧ ଚାଲିଛି। ଏହି କାରଣରୁ ସୂର୍ଯ୍ୟମୂଖୀ ଓ ସୋୟାବିନ ତେଲ ଦର ବଢ଼ିବାରେ ଲାଗିଛି। ରୁଷିଆ-ୟୁକ୍ରେନ୍ରେ ବିଶ୍ୱରର ସବୁଠାରୁ ଅଧିକ ସୂର୍ଯ୍ୟମୂଖୀ ଓ ସୋୟବିନ ତେଲ ଉତ୍ପାଦନ ହୋଇଥାଏ। ଯୁଦ୍ଧ ଯୋଗୁଁ ଏବେ ରୁଷିଆ ଓ ୟୁକ୍ରେନ୍ରୁ ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଆସିପାରୁ ନାହିଁ। ଏଣେ ଇଣ୍ଡୋନେସିଆରୁ ପାମ୍ ଅଏଲ ଆସିବା ବନ୍ଦ ହୋଇଯିବା ପରେ ଦର ଅଧିକ ବଢ଼ିଯିବ। ଏଯାଏଁ ବିଦେଶରୁ କମ୍ ଦରରେ ତେଲ ଆମଦାନୀ ହେଉଥିବାରୁ ଜନସାଧାରଣଙ୍କୁ କମ୍ ଦରରେ ମିଳିପାରୁ ଥିଲା। ଖାଇବା ତେଲ ବଜାରରେ ଅଦାନୀ ୱିଲମାର ଓ ରୁଚି ସୋୟା ନିୟନ୍ତ୍ରଣରେ ରହିଛି। ଏଥି ପାଇଁ ଉଭୟ ଶେୟାରରେ ଲଗାତାର ଖାଇବା ତେଲ ଦର ବିଚାଲିଛି। ଖାଇବା ତେଲ ଦର ବଢ଼ିବା ଫଳରେ ଏହି ୨ କଂପାନୀକୁ ଲାଭ ପହଞ୍ଚାଇବ। ରୁଚି ସୋୟା ପାଖରେ ପାମ୍ ଅଏଲ ଚାଷ ପାଇଁ ୩ ଲକ୍ଷ ହେକ୍ଟର ଜମି ଅଛି। ଏହି ଲକ୍ଷ ହେକ୍ଟରରୁ ୫୬ ହଜାର ହେକ୍ଟରରେ ଚାଷ ହେଉଛି। ବ୍ରାଣ୍ଡେଡ ପାମ ତେଲରେ କଂପାନୀର ୧୨ ପ୍ରତିଶତ ମାର୍କେଟ ସେୟାର ରହିଛି।