ଭୁବନେଶ୍ୱର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ଫାଇନାଲ ମ୍ୟାଚ୍ ଆଜି ଖେଳାଯାଉଛି । କରୋନା କଟକଣା ଯୋଗୁଁ ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ନହୋଇ ୟୁଏଇରେ ଆୟୋଜନ କରାଯାଇଛି । ଦୁବାଇ, ଆବୁଧାବି ଓ ଶାରଜାରେ ୮ଟି ଟିମ୍ ଖେଳିଛନ୍ତି । ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଟ୍ରଫି ପାଇଁ ମୁକାବିଲା ହେବ । ଭାରତୀୟ ସମୟ ରାତି ସାଢ଼େ ୭ଟାରେ ଶ୍ରେୟସ ଆୟରଙ୍କ ନେତୃତ୍ୱକୁ ଭେଟିବ ରୋହିତ ଶର୍ମାଙ୍କ ଟିମ୍ । ତେବେ ଦରିଆ ଆରପାରିରେ ଆଇପିଏଲ୍ ମ୍ୟାଚ ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଟିଂ ଚାଲିଛି । ୟୁଇଏର ଖେଳ ପଡ଼ିଆରେ କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ଓଡ଼ିଶାର ହୋଟେଲ ଓ ଅନ୍ୟ ଗୁପ୍ତ ସ୍ଥାନରେ ଅନଲାଇନ ମାଧ୍ୟମରେ ବେଟିଂ ରୂପକ ଜୁଆ ଆଡ୍ଡା ଜମିଛି ।
ବାରିପଦାରେ ଆଇପିଏଲ୍ ବେଟିଂ
ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ବେଟିଂ ଚାଲିଥିବା ପୁଲିସକୁ ସୂଚନା ମିଳିଛି । ଏସ୍ପି ସ୍ମିତ୍ ପରମାରଙ୍କ ନେତୃତ୍ୱରେ ପୁଲିସ ଟିମ ୨ ଜଣ ବୁକିଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଅଟକ ୨ ବୁକିଂ ଅନଲାଇନରେ ବେଟିଂ କାରବାର କରୁଥିଲେ । ସେମାନେ ଗୁଗୁଲ ପେ’, ଫୋନ୍ ପେ’ ମାଧ୍ୟମରେ ଟଙ୍କା ନେଣଦେଣ କରି ‘କ୍ରିକେଟ ଲାଇନ୍ ଗୁରୁ’ ଆପ ଜରିଆରେ କାରବାର ଚଳାଇଥିଲେ । ବାରିପଦାର ବଡ଼ବଜାର, ଲାଲବଜାର, ପାଲବଣି, ମଧୁବନ, ବେଲଗଡ଼ିଆ, ମୁର୍ଗାବାଡ଼ି, କେଏମ୍ବିଏମ୍ ଅଂଚଳରେ ଆଇପିଏଲ ବେଟିଂ ଚାଲୁଥିବା ପୋଲିସ ହାତରେ ସୂଚନା ରହିଛି । ଆଇପିଏଲ୍ ସମୟରେ ଏହି କଳା ଧନ୍ଦାରେ ନିୟୋଜିତ ଯୁବକମାନେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କମ ପରିଶ୍ରମରେ ଲକ୍ଷପତି ହେବାକୁ ମଧ୍ୟ ଚାହୁଁଛନ୍ତି ଯୁବ ସମାଜ । ସେଥିପାରି ଖରାପ ରାସ୍ତାକୁ ବାଛି ନେଇଛନ୍ତି ।
ଓଡ଼ିଶାରେ ୧୭ ଜଣ ଗିରଫ
ଆଇପିଏଲ-୨୦୨୦ ଗତ ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହୋଇଥିଲା । ଆଜି ୬୦ତମ ମ୍ୟାଚ ଖେଳାଯାଉଛି । ଏହାରି ମଧ୍ୟରେ ବେଟିଂ ରୂପକ ଜୁଆ ସହ ସଂପୃକ୍ତ ଜଡ଼ିତ ଓଡ଼ିଶାରେ ଏପର୍ଯ୍ୟନ୍ତ ୧୭ ଜଣ ଗିରଫ ହୋଇସାରିଛନ୍ତି । ଅକ୍ଟୋବର ୧୪ ତାରିଖରେ ପ୍ରଥମ ବ୍ୟକ୍ତି ରାଉରକେଲାରୁ ଗିରଫ କରାଯାଇଥିଲା । ପ୍ରଥମ ବ୍ୟକ୍ତି ଗିରଫ ହେବାର ଏକ ସପ୍ତାହ ପରେ ଗଂଜାମ ଜିଲ୍ଲା ଆସିକା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହା ଥିଲା ଅକ୍ଟୋବର ୨୧ ତାରିଖର ଘଟଣା । ସେହିପରି ଅକ୍ଟୋବର ୩୦ ତାରିଖରେ ବ୍ରହ୍ମପୁର ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ୩୩ ଲକ୍ଷ ୬୧ ହଜାର ୨୦୦ ଟଙ୍କା ଜବତ କରିଥିଲା । ଅକ୍ଟୋବର ୩୧ ତାରିଖରେ ସମ୍ବଲପୁରରେ ୫ ବୁକି ଗିରଫ ହୋଇଥିଲେ । ସେଦିନ ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୧୫ ହଜାର ଟଙ୍କା ମଧ୍ୟ ଜବତ କରିଥିଲା । କିନ୍ତୁ ନଭେମ୍ବର ୬ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୋଲିସକୁ ବଡ଼ ସଫଳତା ମିଳିଥିଲା । ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ ସହ ସେମାନଙ୍କ ପାଖରୁ ଳକ୍ଷାଧିକ ଟଙ୍କା, ମୋବାଇଲ, ଲ୍ୟାପଟପ, ୨୦ଟି ମୋବାଇଲ ଆଦି ଜବତ କରିଥିଲା ।
ପଶ୍ଚିମ ଓଡ଼ିଶାରେ ବେଟିଂ ଅଧିକ ସକ୍ରିୟ!
ଉପରୋକ୍ତ ମାମଲା ଗୁଡ଼ିକ ସୂଚିତ କରୁଛି ଯେ, ଆଇପିଏଲ ବେଟିଂ ପଶ୍ଚିମ ଓଡ଼ିଶାରେ ଅଧିକ ସକ୍ରିୟ ରହିଛି । ଉଦାହରଣ ସ୍ୱରୂପ ଝାରସୁଗଡ଼ା ଜିଲ୍ଲାର ୨ ପ୍ରମୁଖ ପଡୋଶୀ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଗୋଟିଏ ମାସ ମଧ୍ୟରେ ୧୨ ଜଣ ଅଭିଯୁକ୍ତ ପୋଲିସ ନଜରକୁ ଆସିଛନ୍ତି । ପଶ୍ଚିମ ଓଡ଼ିଶାରେ ପରେ ଗଂଜାମ ୨ୟ ସ୍ଥାନ ନେଇଛି । ମାତ୍ର ଗଂଜାମରେ ଚାଲିଥିବା ବ୍ୟାଟିଂର ଚେର କଟକ ଓ ଭୁବନେଶ୍ୱରକୁ ମଧ୍ୟ ଲମ୍ବିଥିବା ସନ୍ଦେହ କରାଯାଉଛି ।