ଭୁବନେଶ୍ୱର: ବିଶ୍ୱର ପ୍ରସିଦ୍ଧ ପୂଣ୍ୟସ୍ଥାନ ଗୁଡ଼ିକ ମଧ୍ୟରେ ପୁରୀ ଶ୍ରୀମନ୍ଦିରର ସ୍ଥାନ ସ୍ୱତନ୍ତ୍ର। ଏଠାକାର ଧାର୍ମିକ ଭାବନା ସୀମାହୀନ ହୋଇଥବାରୁ ହଜାର ହଜାର କିଲୋମିଟରରୁ ଶ୍ରଦ୍ଧାଳୁ ପହଂଚି ଯାଇଥାନ୍ତି। ଏଠାରେ ପହଂଚିବା ପୂର୍ବରୁ ଭକ୍ତଙ୍କ ମନରେ ବଡ଼ ଉତ୍କଣ୍ଠା ଥାଏ। ଜଗତରନାଥ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ହୋଇଥିବାରୁ ଭକ୍ତର ଆନନ୍ଦର ସୀମା ନଥାଏ। ଶ୍ରୀମନ୍ଦିରର ପରିବେଶ କିପରି ଥିବ, ଅବଢ଼ାର ସ୍ୱାଦ କେମିତି ରହିବ ଆଦି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ। କିନ୍ତୁ ଏବେ କିଛି ବର୍ଷ ହେଲା ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ପାପ କର୍ମ ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଶ୍ରୀମନ୍ଦିରରେ ପାପ ହେଉ ଅଥବା କୌଣସି ହିଂସାତ୍ମକ ଘଟଣା ଘଟିବା ଦ୍ୱାରା କେବଳ ଜଗନ୍ନାଥ ପ୍ରେମୀଙ୍କୁ ନୁହେଁ, ବରଂ ଆଧ୍ୟାତ୍ମବାଦୀ ଓ ଈଶ୍ୱରବାସୀଙ୍କ ମନରେ ବଡ଼ ଆଘାତ ଲାଗୁଛି।
ଶ୍ରୀମନ୍ଦିର ପରିସରରେ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କେବଳ ପୁରୀରେ ନୁହେଁ, ସମଗ୍ର ରାଜ୍ୟରେ ଏହି ଘଟଣା ହଇଚଇ ଖେଳାଇ ଦେଇଛି। ଘଟଣା ହେଲା ଯେ, ଦଧିବାମନ ମନ୍ଦିରର ଜଣେ ପୂଜକଙ୍କ ବିରୋଧରେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏଥି ସହିତ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକକୁ ସିଂହଦ୍ୱାର ପୁଲିସ ଗିରଫ କରିଛି।
କ୍ଷୁର୍ଣ୍ଣ ହେଉଛି ଶ୍ରୀମନ୍ଦିରର ଭାବମୂର୍ତ୍ତି
ଶ୍ରୀମନ୍ଦିର ପରିସରରେ ଜଣେ ନାବାଳିକା ପୂଜକଙ୍କ ଦ୍ୱାରା ଅସଦାଚରଣ ହେବା ପରେ ଏହି ଘଟଣାକୁ ଜନମାନସରେ ନିନ୍ଦା କରାଯାଉଛି। ଏହି ଲଜ୍ଜାଜନକ ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ପବିତ୍ର ପୁରୀ ଧାମକୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ଜଗନ୍ନାଥ ଭକ୍ତି ଭାବନାରେ ଶ୍ରଦ୍ଧାଳୁ ଲୀନ ହୋଇଯାଆନ୍ତି। କିନ୍ତୁ ଏଭଳି ଏକ ପବିତ୍ର ସ୍ଥାନରେ ମନ୍ଦିରର ପୂଜକ ଜଣେ ନାବାଳିକା ଉପରେ ଖରାପ ନଜର ରଖିବା ନିଶ୍ଚିତ ଭାବେ ଏକ ଘୃଣ୍ୟ କାମ କୁହାଯିବ। ତେବେ ଅଭିଯୋଗ ପରେ ପୂଜକ ନିଜର ଦୋଷ ସ୍ୱୀକାର କରିଥିବା ଡିଡବ୍ଲ୍ୟୁସିର ସଦସ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଭଳି ନିନ୍ଦନୀୟ ଘଟଣା ଯୋଗୁଁ ଶ୍ରୀମନ୍ଦିରର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଶ୍ରୀମନ୍ଦିର ପରିସରରେ ଅସଦାଚରଣ ଘଟଣା ଘଟିବା ପରେ ପ୍ରତ୍ୟେକ ଅଭିଭାବକଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ।
ଏକୁଟିଆ ଦେଖି ଖରାପ ଚିନ୍ତା
ତେଲେଙ୍ଗାନାର ହାଇଦ୍ରାବାଦରୁ ଶୁକ୍ରବାର ଅପରାହ୍ନରେ ନିଜ ପରିବାର ସହିତ ଆସିଥିବା ଜଣେ ନାବାଳିକାଙ୍କୁ ଏକୁଟିଆ ପାଇ ଦଧିବାମନ ମନ୍ଦିରର ପୂଜକ ସଂଗ୍ରାମ ଦାଶର ମୁଣ୍ଡରେ ଖରାପ ଚିନ୍ତା ପ୍ରବେଶ କରିଥିଲେ। ସୁଯୋଗ ଦେଖି ସେ ଅସଦାଚରଣ କରିଥିଲେ । ସେ ଭୁଲିଯାଇଥିଲେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ବସିଛନ୍ତି। ପୂଜକ ଯେଉଁଠାରେ ବସିଛନ୍ତି, କେବଳ ଭଗବାନଙ୍କୁ ସ୍ମରଣରେ କାମ କରାଯାଇଥାଏ, ତାହା ଭୁଲି ଯାଇଥିଲେ। ପୂଜକଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ପୀଡିତା ନିଜ ପରିବାର ଲୋକଙ୍କୁ କହିଥିଲା।
ଜଣକ ପାଇଁ ବଦ୍ନାମ ହେଉଛି ଓଡ଼ିଶା
ଘଟଣା ପ୍ରଘଟ ହେବା ପରେ ସିଡବ୍ଲ୍ୟୁସି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଶ୍ରୀମନ୍ଦିର ପରିସରର ଶିଶୁ ସୁରକ୍ଷା ନେଇ କର୍ମଶାଳା କରିବାକୁ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ପୀଡ଼ିତାଙ୍କ ପରିବାର ବାହାର ରାଜ୍ୟର ହୋଇଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛି। ସେବାୟତ ମାନେ ଶ୍ରୀମନ୍ଦିର ପରିସରରେ ଅସଦାଚରଣ ଘଟଣାକୁ ନିନ୍ଦା କରିଛନ୍ତି। ଘଟଣାର ପୁନରାବୃତି ଯେପରି ନହେବ ସେ ନେଇ କଡ଼ା ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି। ତେବେ ଜଣଙ୍କର ଖରାପ କାମ ପାଇଁ ଓଡ଼ିଶା ବଦ୍ନାମ ହେଉଛି।