ଭୁବନେଶ୍ବର: ଉପନିର୍ବାଚନର ଅଢ଼େଇ ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତ କରିଛନ୍ତି। ସେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ସଭାରେ ଯୋଗଦେଇ ଏଠାରେ ନିର୍ମାଣ ହୋଇଥିବା ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ସେହିପରି ନବୀନ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ କୋଟିଏ ୨୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଉପନିର୍ବାଚନ ହେଉଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ଯେଭଳି ଗୁରୁତ୍ବ ଦେଉଛନ୍ତି, ରାଜ୍ୟର ଅନ୍ୟ ଅଞ୍ଚଳରେ ସମାନ ପରିମାଣରେ ବିକାଶ ହେଉ ନଥିବା ଚର୍ଚ୍ଚା ହେଉଛି। ଉଦାହରଣ ସ୍ବରୂପ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପଦ୍ମପୁର, ଧାମନଗର, ବ୍ରଜରାଜନଗର, ତିର୍ତ୍ତୋଲ, ପିପିଲି ଆଦି ସ୍ଥାନକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଥିଲେ, ପୁଣି ଥରେ ଝାରବନ୍ଧ, ପଦ୍ମପୁର ଓ ପାଇକମାଳ ଆସି ମୁଁ ବହୁତ ଖୁସି ଅନୁଭବ କରୁଛି। ଆପଣମାନଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ମୋତେ ଅଭିଭୂତ କରିଛି। ଏଥିପାଇଁ ମୁଁ ସବୁବେଳେ ଆପଣମାନଙ୍କ ନିକଟରେ ଋଣୀ। ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରୁଛନ୍ତି। ଏଠାରେ ମା’ମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି । ମୋର ଆଶା ଆପଣମାନେ ଏହି ଟଙ୍କାରେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ। ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରାଯାଇଛି। ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି ସବ୍ଷ୍ଟେସନ ପାଇଁ ଜମି ଚିହ୍ନଟ ହୋଇସାରିଛି। ମୁଁ କଥା ନୁହେଁ, କାମରେ ବିଶ୍ବାସ କରେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ମୁଁ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ।
କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ
ମୁଖ୍ୟମନ୍ତ୍ରୀ ପଦ୍ମପୁରରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଧାନରେ ଏମ୍ଏସ୍ପି ବୃଦ୍ଧି, ଫସଲ ବୀମା, ରେଳଲାଇନ୍ ଓ କେନ୍ଦୁ ପତ୍ର ଉପରେ ଜିଏସ୍ଟି ନେଇ ଅନେକ ପ୍ରତିଶ୍ରୁତି ଦେଇଥିଲେ। ପ୍ରଭୁ ନୃସିଂହନାଥଙ୍କ ନିକଟରେ ମୋର ବିନମ୍ର ପ୍ରାର୍ଥନା ଯେ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ପ୍ରଭୁ ଟିକେ ମନେ ପକାଇ ଦିଅନ୍ତୁ। ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ୬୪ କୋଟି ଟଙ୍କା ମଂଜୁର କରିଛି। ପ୍ରତି ପଞ୍ଚାୟତ ଓ ପ୍ରତି ଏନ୍ଏସି ପ୍ରତି ୱାର୍ଡର ବିକାଶ ପାଇଁ ଆପଣମାନେ ମୋତେ ପ୍ରସ୍ତାବ ଦେଇଥିଲେ। ମୁଁ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ମଂଜୁରୀ କରାଯାଇଛି।
ଜଳସେଚନ ପ୍ରତିଶ୍ରୁତି କେବେ ପୂରା ହେବ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଭାଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ବରଗଡରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ? ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡର ନାଗରିକଙ୍କୁ ମିଳିବ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ? ଆପଣ ନିଜ ରାଜନୈତିକ ଫାଇଦା ଦେଖି ପ୍ରତ୍ୟେକ ଯୋଜନା ପ୍ରଣୟନ କରନ୍ତି। ଆମ ଦଳ ବିଜେପି ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବାରେ ବିଶ୍ୱାସ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ।
ନବୀନଙ୍କୁ ପ୍ରଶ୍ନରେ ପୋତିଲେ ଧର୍ମେନ୍ଦ୍ର
ଆପଣ ବରଗଡ ଜିଲ୍ଲାରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ ଜିଲ୍ଲା ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ-ଯୁବତୀ ବାହାରକୁ ଏବେବି ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ ବରଗଡ ରୋଡ-ନୂଆପଡା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିଛନ୍ତି କି? ଫସଲ ବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି? ଦୀର୍ଘ ୨୩ ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍?