ଭୁବନେଶ୍ବର: ଗତମାସ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ବିରୋଧୀ ଓ ସମାଲୋଚକ ନାନା କଥା କହିଥିବା ବେଳେ ମୁସଲିମ୍ ଜନସଂଖ୍ୟା ବହୁଳ ୟୁନାଇଟେଡ୍ ଆରବ ଇମିରାତ୍ (ୟୁଏଇ)ର ରାଜଧାନୀ ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହି ମନ୍ଦିରର ଉଚ୍ଚତା ୧୦୮ ଫୁଟ୍ ହୋଇଥିବା ବେଳେ ୧୮୦ ଚଉଡ଼ା। ରାଜସ୍ଥାନରୁ ଯାଇଥିବା ଗୋଲାପି ବାଲିପଥର ଓ ଇଟାଲିର ମାର୍ବଲରେ ଏହାର ନିର୍ବାଣ ହୋଇଛି, ଯେଉଁଠି ଲୁହାର ବ୍ୟବହାର ହୋଇନାହିଁ। ୨୦୦୦୦ ଟନ୍ ପଥ ଓ ୭୦୦ କଣ୍ଟେନ୍ରରେ ମାର୍ବଲ ଆମଦାନୀ ହୋଇଛି। ମନ୍ଦିରରେ ୭୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଆବୁଧାବିରେ ବୃହତ୍ ହିନ୍ଦୁ ମନ୍ଦିର ନିର୍ମାଣରେ ସେଠାକାର ସରକାର ବଡ଼ଧରଣର ସହଯୋଗ କରି ଇତିହାସ ରଚିଛନ୍ତି। ଏହି ମନ୍ଦିର ନିର୍ମାଣ ସହିତ ୟୁଏଇ ଭାରତକୁ ବଡ଼ ସମର୍ଥନ ଯୋଗାଇଛି।
ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ହୋଇଛି। ଭଗବାନ ସ୍ବାମୀନାରାୟଣଙ୍କ ବ୍ୟତୀତ ରାମ, କୃଷ୍ଣ, ଶିବ, ଜଗନ୍ନାଥ, ତିରୁପତି ବାଲାଜୀ ଓ ଆୟପ୍ପା ଏହି ମନ୍ଦିରରେ ପୂଜା ପାଉଛନ୍ତି। ଏହି ମନ୍ଦିର ନିର୍ମାଣ ପାଇଁ ଶେଖ୍ ମହମ୍ମଦ୍ ବିନ୍ ଜାୟଦ୍ ଉପହାର ସୂତ୍ରରେ ଜମି ହସ୍ତାନ୍ତର କରିଛନ୍ତି। ୟୁଏଇ ସରକାର ମନ୍ଦିର ପାଇଁ ପୂର୍ବରୁ ୧୩.୫ ଏକର ଜମି ଦେଇଥିଲେ। ୨୦୨୧୯ରେ ପୁଣି ଥରେ ୧୩.୫ ଏକର ଜମି ହସ୍ତାନ୍ତର କରିଥିଲେ। ୨୭ ଏକର ଜମିରେ ଭବ୍ୟ ମନ୍ଦିର ପରିସର ନିର୍ମାଣ ହୋଇଛି, ଯେଉଁଥିରେ କି ଭଗବାନ ସ୍ବାମୀନାରାୟଣଙ୍କ ମନ୍ଦିର ପାଇଁ ୧୩.୫ ଏକର ଜମି ବ୍ୟବହୃତ ହୋଇଛି। ଅବଶିଷ୍ଟ ଜମି ବାହନ ପାର୍କିଂ ଓ ଅନ୍ୟ ସୁବିଧା ଲାଗି ବ୍ୟବହାର ହେବ। ପାର୍କିଂସ୍ଥଳରେ ୧୪୦୦ କାର୍ ଓ ୫୦ଟି ଯାତ୍ରୀବାହୀ ବସ୍ ରହିପାରିବ। ଏକ ସଭାଗୃହରେ ୩୦୦୦ ଲୋକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।
କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
ଆବୁଧାବିରେ ସ୍ବାମୀନାରାୟଣ ମନ୍ଦିର ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ସେ କହିଛନ୍ତି, ୟୁଏଇ ସରକାର କୋଟିକୋଟି ଭାରତୀୟଙ୍କ ଇଚ୍ଛା ପୂରଣ କରିଛନ୍ତି। ମୋର ବନ୍ଧୁ ରାଷ୍ଟ୍ରପତି ଜାୟଦଙ୍କ ଲକ୍ଷ୍ୟ ହେଉଛି, ଆମେ ଭାଇଭାଇ। ସେ ଆବୁଧାବିରେ ହାଉସ୍ ଅଫ୍ ଅବ୍ରାହମ୍ ଫ୍ୟାମିଲି ନିର୍ମାଣ କରିଛନ୍ତି। ଭଗବାନ ସ୍ବାମୀନାରାୟଣ ମନ୍ଦିର ହେଉଛି ଭିନ୍ନତା ମଧ୍ୟରେ ଏକତାର ସୂତ୍ର। ୟୁଏଇ ଉପରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ରଶିଦ୍ ଦୁବାଇରେ ଭାରତୀୟ ଶ୍ରମିକମାନଙ୍କ ପାଇଁ ଏକ ଡାକ୍ତରଖାନା ନିର୍ମାଣ ଲାଗି ଜମି ଦେବାକୁ ଘୋଷଣା କରିଛନ୍ତି। ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି।
ବିଶ୍ବବ୍ୟାପୀ ୧୫୦୦ ମନ୍ଦିର
ହିନ୍ଦୁଧର୍ମର ବୈଷ୍ଣବ ଗୋଷ୍ଠୀର ସ୍ବାମୀନାରାୟଣ ସଂପ୍ରଦାୟର ଏକ ସମୂହ ହେଉଛି ବୋଚାସାନ୍ୱାସି ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (ବାପ୍ସ୍), ଯିଏକି ଆବୁଧାବିରେ ଭବ୍ୟ ମନ୍ଦିର ନିର୍ମାଣ କରିଛି। ଏହି ସଂସ୍ଥା ଦ୍ବାରା ବିଶ୍ବବ୍ୟାପୀ ପ୍ରାୟ ୧୫୦୦ ମନ୍ଦିର ନିର୍ମାଣ କରାଯାଇଛି, ଯେଉଁଥିରେ କି ନୂଆଦିଲ୍ଲୀ ଓ ଗୁଜରାଟର ଅକ୍ଷରଧାମ ମନ୍ଦିର, ଲଣ୍ଡନ, ହୋଷ୍ଟନ୍, ଚିକାଗୋ, ଆଟଲାଣ୍ଟା, ଟରଣ୍ଟୋ, ଲାସ୍ଏଞ୍ଜେଲେସ୍ ଓ ନାଇରୋବିର ସ୍ବାମୀନାରାୟଣ ମନ୍ଦିର ସାମିଲ ରହିଛି। ଏହି ସଂସ୍ଥା ବିଶ୍ବବ୍ୟାପୀ ଦ୍ବାରା ୩୮୫୦ କେନ୍ଦ୍ର ପରଚାଳିତ ହେଉଛି।
ମନ୍ଦିରର ମହତ୍ତ୍ବ
ଏକଦା ମୋଗଲ ଶାସନ କାଳରେ ଭାରତର ବହୁ ପୁରାତନ ମନ୍ଦିରଗୁଡ଼ିକ ଧ୍ବସଂ ପାଇଥିଲା। କିଛି ମୁସଲିମ ଶାସକ ମନ୍ଦିର ଭାଙ୍ଗି ଦେଇ ସେଠାରେ ମସ୍ଜିତ ନିର୍ମାଣ କରୁଥିଲେ। ମନ୍ଦିର ପ୍ରତି ମୋଗଲ ସମ୍ରାଟମାନଙ୍କର ଚିନ୍ତାଧାରା ଭିନ୍ନ ଥିବା ବେଳେ ଆବୁଧାବି ସରକାର ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ବଡ଼ ପଦକ୍ଷେପ ନେଇଥିଲେ। ବିଏପିଏସ୍ର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, “ଜଣେ ମୁସଲମାନ ରାଜା ହିନ୍ଦୁ ମନ୍ଦିର ପାଇଁ ଜମି ଦାନ କରିଥିଲେ, ଯେଉଁଠାରେ ମୁଖ୍ୟ ସ୍ଥାପତ୍ୟ ଜଣେ କ୍ୟାଥୋଲିକ୍ ଖ୍ରୀଷ୍ଟିଆନ। ସେହିପରି ପ୍ରୋଜେକ୍ଟ ମ୍ୟାନେଜର ଜଣେ ଶିଖ ଥିବା ବେଳେ ମୂଳ ଡିଜାଇନର୍ ଜଣେ ବୌଦ୍ଧ। କିନ୍ତୁ ମନ୍ଦିର ନିର୍ମାଣ କମ୍ପାନି ହେଉଛି ପାର୍ସୀ ଗୋଷ୍ଠୀ ଏବଂ ଜୈନ ଧର୍ମାବଳମ୍ବି ହେଉଛନ୍ତି ଏହାର ନିର୍ଦ୍ଦେଶକ।
ବିଶ୍ବର ବଡ଼ କୃଷ୍ଣ ମନ୍ଦିର
ବିଶ୍ବର ସବୁଠାରୁ ବଡ଼ କୃଷ୍ଣ ମନ୍ଦିର କୋଲକାତାଠାରୁ ୧୩୦ କିଲୋମିଟର ଦୂର ନଦୀଆ ଜିଲ୍ଲାର ମାୟାପୁରୀରେ ଅଛି। ଆମେରିକାର ପ୍ରସିଦ୍ଧ ଅଟୋ ମୋବାଇଲ କମ୍ପାନି ‘ଫୋର୍ଟ’ର ପ୍ରତିଷ୍ଠାତା ଆଲଫ୍ରେଡ ଫୋର୍ଡ ଏହି ମନ୍ଦିରର ଚେୟାରମ୍ୟାନ୍ ଅଟନ୍ତି । ୩୫୦ ଫୁଟ୍ ଉଚ୍ଚ ୭ ମହଲା ବିଶିଷ୍ଟ ଏହି ମନ୍ଦିର ନିର୍ମାଣ ପାଇଁ ଏହି ମନ୍ଦିର ନିର୍ମାଣ ପାଇଁ ବହୁ ବର୍ଷ ସମୟ ଲାଗିଥିଲା। ପ୍ରାୟ ଦେଢ ଏକର ଜମିରେ ଏଠାରେ କୀର୍ତ୍ତନ ହଲ ନିର୍ମାଣ କରାଯାଇଛି, ଯେଉଁଠି ପ୍ରାୟ ୧୦ ହଜାର ଭକ୍ତ ଏକାସଙ୍ଗରେ ବସି କୀର୍ତ୍ତନ କରିପାରିବେ। ୮୦୦ କୋଟିରୁ ଉର୍ଦ୍ଧ୍ବ ବ୍ୟୟ ବରାଦରେ ଏହି ମନ୍ଦିର ନିର୍ମିତ ହୋଇଛି। ଏହି ମନ୍ଦିରରେ ଏକ ଶିକ୍ଷାଦାନ ମନ୍ଦିର ମଧ୍ୟ ରହିଛି, ଯେଉଁଠାରେ ଭାଗବତ ଗୀତା ସମ୍ବନ୍ଧରେ ଆଲୋଚନା ହୁଏ।
ବିଶ୍ବର ବୃହତ୍ ମନ୍ଦିର
ଭାରତରେ ବୃହତ୍ ରାମମନ୍ଦିର, କୃଷ୍ଣମନ୍ଦିର, ବିଷ୍ଣୁମନ୍ଦିର, ଜଗନ୍ନାଥ ମନ୍ଦିର ରହିଛି। କିନ୍ତୁ କମ୍ବୋଡିଆର ଅଙ୍ଗକୋରୱାଟ ମନ୍ଦିର ହେଉଛି ବିଶ୍ୱର ସବୁଠାରୁ ବଡ ହିନ୍ଦୁ ମନ୍ଦିର । ଏହା ବ୍ୟତୀତ ଏହା ଦୁନିଆର ସବୁଠୁ ବଡ ଧାର୍ମିକ ସ୍ମାରକ ଅଟେ। ଏହା କମ୍ବୋଡିଆର ଅଙ୍ଗକୋରରେ ଅବସ୍ଥିତ। ଅଙ୍ଗକୋର ସିମ୍ରିପ ସହରର ମେକୋଙ୍ଗ ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିର। ଏହି ମନ୍ଦିର ଏକ ଶହ ବର୍ଗ ମାଇଲ ସ୍ଥାନରେ ରହିଛି। ଏହା ଭଗବାନ ବିଷ୍ଣୁଙ୍କର ଏକ ମନ୍ଦିର। ଏହା ପୂର୍ବ ଏଠାକାର ଶାସକମାନେ ଏଠାରେ ଭଗବାନ ଶିବଙ୍କର ବଡ଼ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ। ଏହାର ପୁରୁଣା ନାମ ଯଶୋଦାପୁର ଥିଲା । ଏହି ମନ୍ଦିର ୧୧୧୨ ରୁ ୧୧୫୩ ଖ୍ରୀଷ୍ଟାବ୍ଦରେ ରାଜା ସୂର୍ଯ୍ୟବର୍ମନ ଦ୍ୱିତୀୟଙ୍କ ସମୟରେ ନିର୍ମିତ ହୋଇଥିଲା। ଏହି ମନ୍ଦିରର ଚିତ୍ର କମ୍ବୋଡିଆର ଜାତୀୟ ପତାକାରେ ରହିଛି। ଏହା ଦୁନିଆର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନମାନଙ୍କରେ ଅନ୍ତର୍ଭୁକ୍ତ ଏବଂ ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟରେ ମଧ୍ୟ ସ୍ଥାନ ପାଇଛି।