Saturday, September 14, 2024
Homeଆବେଦନର ୬ ମାସ ପରେ ମିଳୁଛି ଯୁକ୍ତ୨ ସାର୍ଟିଫିକେଟ
Array

ଆବେଦନର ୬ ମାସ ପରେ ମିଳୁଛି ଯୁକ୍ତ୨ ସାର୍ଟିଫିକେଟ

ଭୁବନେଶ୍ବର: ଶିକ୍ଷାର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ୫-ଟି ଓ ‘ମୋ ସରକାର’ ଭଳି ବିଭାଗ ଖୋଲିଛନ୍ତି। କିନ୍ତୁ ପ୍ରଶାସନିକ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ସାଧାରଣ ଜନତାଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମୁତୟନ ଥିବା କିଛି କର୍ମଚାରୀଙ୍କ ବ୍ୟବହାର ଯୋଗୁଁ ଜନତାଙ୍କୁ ହତାଶ ହେବାକୁ ପଡୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ଯୁକ୍ତ ୨ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ପାଇବା ପାଇଁ ଜଣେ ଆବେଦନକାରୀଙ୍କୁ ପ୍ରାୟ ୬ ମାସ ସମୟ ଲାଗୁଛି। ଏହା ପୁଣି ସରଳ ଉପାୟରେ ନୁହେଁ। ସାର୍ଟିଫିକେଟ୍ ପାଇବାକୁ ହେଲେ ଯୁକ୍ତ୨ ବୋର୍ଡ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡୁଛି। କୋଠାର ତଳ ମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ଦୌଡ଼ିବାକୁ ହେଉଛି। ଏହା ଡିଜିଟାଲ ଇଣ୍ଡିଆକୁ ଉପହାସ କଲା ଭଳି ଲାଗୁଛି।

ଯୁକ୍ତ ୨ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଆବେଦନ କରାଯିବା ସମୟରେ ଆବେଦନକାରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି ଯେ, ୪-୫ ମାସ ମଧ୍ୟରେ ଏହା ମିଳିଯିବ। କିନ୍ତୁ ଦିଆଯାଇଥିବା ପ୍ରତିଶ୍ରୁତିରେ ବ୍ୟତିକ୍ରମ ଦେଖାଯାଉଛି। ଜଣେ ଲୋକଙ୍କୁ ସାର୍ଟିଫିକେଟ୍ ପାଇବା ପାଇଁ ବାରମ୍ବାର ଦୌଡ଼ିବାକୁ ପଡୁଛି। ସାର୍ଟିଫିକେଟ୍ ବିଳମ୍ବରେ ମିଳିବା ଯୋଗୁଁ ଅନେକଙ୍କ କ୍ୟାରିୟର ଉପରେ ଘୋର ପ୍ରଭାବ ପଡୁଛି। ଏନେଇ କର୍ମଚାରୀଙ୍କୁ ଅଭିଯୋଗ କଲେ ଓଲଟା କୁହାଯାଉଛି ଯେ, ଏହା ଆମ ହାତରେ ହେଉନାହିଁ। ସାର୍ଟିଫିକେଟ୍ ହାଇଦ୍ରାବାଦରେ ତିଆରି ହେଉଛି, ଯେଉଁଥି ପାଇଁ ବିଳମ୍ବ ହେଉଛି। ଦ୍ବିତୀୟ ମହଲାରେ ଥିବା ସାର୍ଟିଫିକେଟ୍ ବିଭାଗର କର୍ମଚାରୀଙ୍କ କିଛି କର୍ମଚାରୀଙ୍କ ବ୍ୟବହାର ଆବେଦନକାରୀଙ୍କୁ ଅଧିକ ନିରୁତ୍ସାହିତ କରୁଛି। ସୀମାନ୍ତ ମୟୂରଭଂଜ, ସୁନ୍ଦରଗଡ଼ ଓ ମାଲକାନଗିରିରୁ ଆସୁଥିବା ଆବେଦନକାରୀଙ୍କୁ ଅଧିକ ହଇରାଣ ହେବାକୁ ପଡୁଛି। ଏହି ସ୍ଥାନଗୁଡ଼ିକ ଭୁବନେଶ୍ବର ଠାରୁ ୫୦୦ରୁ ଅଧିକ କିଲୋମିଟର ଦୂରତା ହୋଇଥିଲା ବେଳେ ବାରମ୍ବାର ଭୁବନେଶ୍ବର ଆସି କେତେ ଖର୍ଚ୍ଚାନ୍ତ ହେଉଥିବେ ତାହା ବି ବୁଝିବା ଦରକାର। ଯଦି ଠିକ୍ ସମୟରେ ସାର୍ଟିଫିକେଟ ନମିଳିବ, ସେମାନଙ୍କର ମାନସିକତା କିଭଳି ହେଉଥିବ?

ଚିନ୍ତାର ବିଷୟ

ଜଣେ ପ୍ରାର୍ଥୀ ଯେତେବେଳେ ନିଜର ଅସଲି (ଓରିଜିନାଲ) ସାର୍ଟିଫିକେଟ୍ ହଜିବା, ଚୋରି, ନଷ୍ଟ ଅଥବା ଅନ୍ୟ କୌଣସି କାରଣ ପାଇଁ ନକଲି (ଡୁପ୍ଲିକେଟ୍) ସାର୍ଟିଫିକେଟ ଆବେଦନ କରିଥାଏ। ଉଚ୍ଚ ମାଧ୍ୟମିକ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀର ଡୁପ୍ଲିକେଟ୍ ସାର୍ଟିଫିକେଟ ସର୍ବାଧିକ ୯୦ ଦିନ ଭିତରେ ଦିଆଯାଉଛି। ବିଶ୍ବବିଦ୍ୟାଳୟ ସ୍ତରରେ ଏକ ସପ୍ତାହ ଭିତରେ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ମିଳିପାରୁଛି। ଡିଜିଟାଲ ଯୁଗରେ ଆବେଦନକାରୀଙ୍କୁ ସର୍ବାଧିକ ୯୦ ଦିନ ଭିତରେ ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଦିଆଯାଇପାରିବ। ଏହି ଭଳି ବ୍ୟବସ୍ଥା କରାଯାଇପାରିଲେ ଭଲ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି। କିନ୍ତୁ କ୍ଷୋଭର ବିଷୟ ହେଲା ଯେ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଡୁପ୍ଲିକେଟ୍ ସାର୍ଟିଫିକେଟ ପାଇବା ପାଇଁ ୬ ମାସ ଲାଗୁଛି। ଏହା ଚିନ୍ତାର ବିଷୟ।

ଦୌଡି ଦୌଡ଼ି ନୟାନ୍ତ

୨୦୦୨ରେ ଉତୀର୍ଣ୍ଣ ହୋଇଥିବା ଜଣେ ଆବେଦନକାରୀ ଯୁକ୍ତ ୨ କାର୍ଯ୍ୟାଳୟରୁ ଡୁପ୍ଲିକେଟ୍ ମାର୍କସିଟ ଓ ସାର୍ଟିଫିକେଟ୍ ପାଇବା ପାଇଁ ୨୦୨୨ ଅକ୍ଟୋବର ୧୯ ତାରିଖରେ ଆବେଦନ କରିଥିଲେ। ଆବେଦନ ସମୟରେ ଏହି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ଯେ, ୪-୫ ମାସ ପରେ ସାର୍ଟିଫିକେଟ୍ ମିଳିବ। ସେହି ହିସାବରେ ଆବେଦନକାରୀ ଜଣକ ଫେବ୍ରୁଆରି ତୃତୀୟ ସପ୍ତାହରେ ବୋର୍ଡ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ୨ୟ ମହଲାରେ ଥିବା ବିଭାଗୀୟ ମୁଖ୍ୟ ତଥା ସେକ୍ସନ ଅଫିସର ସୂର୍ଯ୍ୟକାନ୍ତ ବେହେରା (ବଡ଼ବାବୁ) କହିଥିଲେ ଆହୁରି ସମୟ ଲାଗିବ। କାମ ଚଳା ପାଇଁ ଏକ ପ୍ରମାଣ ପତ୍ର ମାଗିବାରୁ ଏଠାରେ ସେମିତି ବ୍ୟବସ୍ଥା ନାହିଁ କହିଥିଲେ। ଆବେଦନକାରୀ ତୃତୀୟ ଥର ପାଇଁ ମାର୍ଚ୍ଚ ୬ ତାରିଖରେ ପୁଣି ଥରେ ଯାଇଥିଲେ। ସେହି ସମୟରେ ଜଣେ କର୍ମଚାରୀ କହିଥିଲେ ଯେ, ଅଳ୍ପ କିଛି ଦିନ ପରେ ଆସିଯିବ। ଫଳରେ ଆବେଦନକାରୀ ପୁଣି ନିରାଶ ହୋଇ ଫେରିଥିଲେ। ଦୁଇ ସପ୍ତାହ ପରେ ଅର୍ଥାତ ମାର୍ଚ୍ଚ ୨୭ ତାରିଖରେ ଆବେଦନକାରୀଙ୍କୁ ମାର୍କସିଟ୍ ମିଳିଥିଲା। କିନ୍ତୁ ସାର୍ଟିଫିକେଟ ପାଇବା ପାଇଁ ପୁଣି ହଟହଟା ହେବାକୁ ପଡ଼ିଥିଲା। ଫଳରେ ବୋର୍ଡ ସେକ୍ରେଟାରି ଶୁଭ୍ରବାଳା ବେହେରାଙ୍କ ପାଖକୁ ଯାଇ ହସ୍ତକ୍ଷେପ ଲୋଡ଼ିଥିଲେ।

ସୁବ୍ୟବସ୍ଥାରେ ଅବହେଳା

ଅଭିଯୋଗ ଶୁଣିଲା ପରେ ଶ୍ରୀମତୀ ବେହେରା ସଂପୃକ୍ତ ଆବେଦନକାରୀଙ୍କୁ ପରୀକ୍ଷା ନିୟନ୍ତ୍ରକଙ୍କ ପାଖକୁ ପଠାଇଥିଲେ। ପରୀକ୍ଷା ନିୟନ୍ତ୍ରକଙ୍କ ଚ୍ୟାମ୍ବରରେ ଆବେଦନକାରୀଙ୍କ ସାର୍ଟିଫିକେଟ ଟ୍ରାକ କରାଗଲା। ବୋର୍ଡ କର୍ମଚାରୀ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ସଂସ୍ଥା ସହିତ ଯୋଗାଯୋଗ କରି ରିପୋର୍ଟ ମାଗିବାରୁ ଜଣାପଡ଼ିଲା ଯେ, ସାର୍ଟିଫିକେଟ ବୋର୍ଡ କାର୍ଯ୍ୟାଳୟ ଭିତରେ ହିଁ ଅଛି। କିନ୍ତୁ ମିଳିପାରୁ ନାହିଁ। ତେଣୁ ସେ ଆଉ ଥରେ ସାର୍ଟିଫିକେଟ ପ୍ରିଣ୍ଟ କରିବାକୁ କହିଲେ ଏବଂ ଆବେଦନକାରୀଙ୍କୁ ମାର୍ଚ୍ଚ ୩୧ ତାରିଖରେ ସାର୍ଟିଫିକେଟ ନେବା ପାଇଁ କହିଥିଲେ। ସୁବ୍ୟବସ୍ଥିତ ଭାବେ କାଗଜପତ୍ର ରଖାଯାଉ ନଥିବାରୁ ଲୋକଙ୍କୁ ହଇରାଣ ହେବାକୁ ପଡୁଛି।

ବିରକ୍ତି ପ୍ରକାଶ କରନ୍ତି ବାବୁ

ମାର୍ଚ୍ଚ ୩୧ ତାରିଖର ଘଟଣା। ପୂର୍ବାହ୍ନ ୧୧ଟା ପୂର୍ବରୁ ଆବେଦନକାରୀ ବୋର୍ଡ କାର୍ଯ୍ୟାଳୟର ପରୀକ୍ଷା ନିୟନ୍ତ୍ରଣ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଫୋନ୍ରେ ଯୋଗାଯୋଗ କରିଥିଲେ। ଆବେଦନକାରୀଙ୍କୁ କୁହାଯାଇଥିଲା ଯେ, ଦିନ ୧୨ଟାରେ ଆସି ୨ୟ ମହଲାରେ ସୁରଭୀ ମ୍ୟାଡମ୍ଙ୍କୁ ଦେଖା କରନ୍ତୁ। ସେଠାରେ ସାର୍ଟିଫିକେଟ ମିଳିଯିବ। ସେହି ହିସାବରେ ଆବେଦନକାରୀ ବୋର୍ଡ କାର୍ଯ୍ୟାଳୟ ପହଞ୍ଚି ଥିଲେ। ଆବେଦନକାରୀଙ୍କୁ ଦେଖିଲା ମାତ୍ରେ ଶ୍ରୀ ଦାସ ବିରକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ସାର୍ଟିଫିକେଟ ଆସିନାହିଁ। ଆହୁରି ସମୟ ଲାଗିବ। ସକାଳୁ ଫୋନ କରିଥିଲି, ଆଜି ମିଳିବ ବୋଲି କୁହାଯାଇଛି ବୋଲି ଆବେଦନକାରୀ କହିବାରୁ ତଳେ ଅପେକ୍ଷା କରନ୍ତୁ ବୋଲି ବଡ଼ବାବୁ କହିଥିଲେ। ଶେଷରେ ଆବେଦନକାରୀଙ୍କୁ ବହୁ ହଟହଟା ହେଲା ପରେ ସାର୍ଟିଫିକେଟ ମିଳିଥିଲା।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments