ଭୁବନେଶ୍ବର: ଆମେରିକାରେ ଦୀର୍ଘ ୩୫ ବର୍ଷ ପୂର୍ବରୁ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା କେନେଥ ଇୟୁଜିନ୍ ସ୍ମିଥକୁ ମୃତ୍ୟୁଦଣ୍ଡ ମିଳିଛି। ଅଲବାମାରେ କୋର୍ଟରେ ଜାନୁଆରି ୨୬ ତାରିଖରେ ଆସିଥିବା ରାୟରେ ଦୋଷୀଙ୍କୁ ନାଇଟ୍ରୋଜେନ୍ ଗ୍ୟାସ ଜରିଆରେ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଏହିଭଳି ଭାବେ ଜଣେ ଦୋଷୀଙ୍କୁ ଦଣ୍ଡ ଦେଇ ଜୀବନ ଶେଷ କରିବାରେ ଆମେରିକା ହେଉଛି ବିଶ୍ବର ପ୍ରଥମ ରାଷ୍ଟ୍ର। ତେବେ ଏଭଳି ମୃତ୍ୟୁ ଦଣ୍ଡ ନେଇ ଦେଶବିଦେଶରେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ଇରାନର ନାମ ଶୁଣିଲେ ମୁସଲିମ କଟ୍ଟରପନ୍ଥୀ ଚିନ୍ତାଧାରା ସ୍ୱୟଂଚାଳିତ ଭାବରେ ମନକୁ ଆସେ। ୨୦୨୨ ମସିହାରେ ହିଜାବକୁ ନେଇ ବହୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଯିଏ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା, ସେଠାରେ ଥିବା ସରକାର ତାଙ୍କୁ କଠୋର ଦଣ୍ଡ ଦେଇଥିଲେ। ୨୦୨୨ ଡିସେମ୍ବର ୧୨ ତାରିଖରେ, ଜଣେ ୨୩ ବର୍ଷୀୟ ଯୁବକଙ୍କୁ ହିଜାବ ବିରୋଧ କରିବାରୁ ସର୍ବସାଧାରଣରେ ଫାଶୀ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଥିଲା ଯେ ଯୁବକ ଲୋକଙ୍କୁ ନିବେଦନ କରୁଥିଲେ ଯେ ତାଙ୍କ ମୃତ୍ୟୁ ପରେ କୁରାନ ନପଢ଼ିବାକୁ, ବରଂ ତାଙ୍କ ମୃତ୍ୟୁକୁ ଏକ ଉତ୍ସବ ପରି ପାଳନ କରାଯିବା ଉଚିତ୍। କେବଳ ଏତିକି ନୁହେଁ ଇରାନରେ ମଦପିଇଲେ ମଧ୍ୟ ମୃତ୍ୟୁ ଦଣ୍ଡ ମିଳିଥାଏ।
ଦୋଷୀ ଦଣ୍ଡ ପାଇବ। ଏହା କେବଳ ଓଡ଼ିଶା କି ଭାରତର କଥା ନୁହେଁ। ବରଂ ସମଗ୍ର ବିଶ୍ବରେ ଦୋଷୀ ପାଇଁ ଦଣ୍ଡର ବ୍ୟବସ୍ଥା ହୋଇଛି। କିନ୍ତୁ ଜଣେ ଦୋଷୀକୁ କେଉଁଭଳି ଦଣ୍ଡ ଦିଆଯିବ, ତାହା ଦେଶର ଆଇନ୍କାନୁନ ଉପରେ ନିର୍ଭର କରୁଛି। ତେଣୁ ବିଶ୍ବର ଦଣ୍ଡାଦେଶ ନିୟମ ଅଲଗା ଅଲଗା। ଭାରତରେ ଦୋଷୀଙ୍କୁ ଜେଲଦଣ୍ଡ ଓ ପାଶୀ ଦଣ୍ଡର ବ୍ୟବସ୍ଥା ଅଛି। ଘଟଣା ବହୁ ସାଂଘାତିକ ହୋଇଥିଲେ ଫାଶୀ ଦଣ୍ଡ ମିଳିଥାଏ। ମାତ୍ର ଘଟଣାର ଗୁରୁତ୍ବ ଅନୁସାରେ ଦୋଷୀଙ୍କୁ କିଛି ବର୍ଷ ଅଥବା ଆଜୀବନ ଦଣ୍ଡ ମିଳିଥାଏ। ଆଜୀବନ ଦଣ୍ଡର ସମୟ ସୀମା ମଧ୍ୟ ଭିନ୍ନଭିନ୍ନ ହୋଇଥାଏ।
କେନେଥ ସ୍ମିଥଙ୍କୁ କାହିଁକି ଏଭଳି ଦଣ୍ଡ?
୩୫ ବର୍ଷ ପୂର୍ବରୁ ଜଣେ ଆମେରିକୀୟ ମହିଳାଙ୍କର ହତ୍ୟା ହୋଇଥିଲା, ଯାହାକୁ ସ୍ମିଥ ସୁପାରି ଦେଇ ହତ୍ୟା କରିଥିଲେ। ୨୦୨୨ରେ ସ୍ମିଥକୁ ବିଷାକ୍ତ ଇଞ୍ଜେକସନ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ସେହି ସମୟରେ ଡେଥ ସେଲରେ ଡାକ୍ତର ତାର ସ୍ନାୟୁର ଠିକଣା ପାଇପାରି ନଥିଲେ। ଅନେକ ଥର ଇଞ୍ଜେକସନ ଦିଆଯିବା ପରେ ମଧ୍ୟ ସ୍ମିଥ ବଞ୍ଚି ଯାଇଥିଲା। ଏଥର ସ୍ମିଥକୁ ଅତିକମରେ ୧୫ ମିନିଟ ଯାଏଁ ନାଇଟ୍ରୋଜେନ୍ ଗ୍ୟାସ ଭିତରେ ରଖାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ନାଇଟ୍ରୋଜେନ୍ ଗ୍ୟାସ ଭିତରେ ରହିବା ପରେ ସ୍ମିଥ ଅଳ୍ପ ସମୟ ମଧ୍ୟରେ ଚେତାଶୂନ୍ୟ ହୋଇଯାଇଥିଲା। ଶେଷରେ ତାର ମୃତ୍ୟୁ ହୋଇଥିଲା। ବାୟୁମଣ୍ଡଳରେ ଅକ୍ସିଜେନ ସହିତ ନାଇଟ୍ରୋଜେନ ମଧ୍ୟ ମିଶିକି ଥାଏ। କିନ୍ତୁ ନାଇଟ୍ରୋଜେନ ଓ ଅକ୍ସିଜେନ ଗ୍ୟାସ ଏକ ସାଥୀରେ ନିଆଯିବାର କୌଣସି କ୍ଷତି ପହଞ୍ଚି ନଥାଏ। ମାତ୍ର କୌଣସି ବ୍ୟକ୍ତିଙ୍କ ଶରୀରକୁ ଅକ୍ନିଜେନ ବନ୍ଦ କରିଦେଇ କେବଳ ନାଇଟ୍ରୋଜେନ ଯୋଗାଇ ଦିଆଯିବ, ତା’ହେଲେ ବଞ୍ଚିବା ସମ୍ଭବପର ହୋଇ ନଥାଏ।
ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା
ଆଫ୍ରିକୀୟ ଦେଶ ‘ଉଗାଣ୍ଡା’ରେ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି। ଏ ନେଇ ସେଠାକାର ରାଷ୍ଟ୍ରପତି ୟୋୱେରି ମୁସେଭେନି ଗତବର୍ଷ ଏହି ଆଇନ୍କୁ ମଂଜୁର କରିଛନ୍ତି। ଏହି ପୂର୍ବ ଆଫ୍ରିକୀୟ ଦେଶର ଅନେକ ଲୋକ ଏହି ନୂତନ ସମଲିଙ୍ଗୀ ବିରୋଧୀ ଆଇନକୁ ସମର୍ଥନ କରିଛନ୍ତି, କିନ୍ତୁ ଏହାକୁ ମାନବାଧିକାର କର୍ମୀ ଏବଂ ବିଦେଶରେ ତୀବ୍ର ସମାଲୋଚନା କରାଯାଇଛି। ସେମାନେ ଆଇନର ପୂର୍ବ ଚିଠାକୁ ମାନବାଧିକାର ଉପରେ ଏକ ଗମ୍ଭୀର ଆକ୍ରମଣ ବୋଲି ନିନ୍ଦା କରିଥିଲେ। ଯାହା ପରେ ତାହାକୁ ଫେରାଇ ନିଆଯାଇଥିଲା। ତେବେ ନୂଆ ଆଇନରେ ଗୁରୁତର ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ଆଫ୍ରିକାର ୫୪ଟି ଦେଶ ମଧ୍ୟରୁ ୩୦ରୁ ଅଧିକ ଦେଶରେ ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ।
ଭାରତରେ ବ୍ରିଟିସ୍ ଅପରାଧିକ ଆଇନ ବଦଳିବ!
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗତ ଅଗଷ୍ଟ ମାସରେ ଲୋକସଭାରେ ତିନୋଟି ବିଲ୍ ଆଗତ କରିଥିଲେ। ବିଲ୍ ଉପସ୍ଥାପନ କରି ଶ୍ରୀ ଶାହା ଗୃହରେ କହିଥିଲେ ଯେ ବ୍ରିଟିସ୍ ଯୁଗର ଅପରାଧିକ ଆଇନ ବଦଳାଯିବ। ୧୮୬୦ ମସିହାର ଇଣ୍ଡିଆନ୍ ପେନାଲ୍ କୋଡ୍( ଆଇପିସି) ପରିବର୍ତ୍ତନ ହେବ। ତେବେ ଏହି ନୂତନ ବିଲରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଦେଶଦ୍ରୋହ ଆଇନ ରଦ୍ଦ ହେବାକୁ ଥିବାବେଳେ ଧାରା ୧୫୦ ଏହାର ସ୍ଥାନ ନେବ, ଯେଉଁଥିରେ ଦେଶର ଏକତା, ଅଖଣ୍ଡତାକୁ ବିପଦରେ ପକାଉଥିବା ଅପରାଧକୁ ସାମିଲ କରାଯିବ। ସେହିପରି ଭିଡ ହିଂସା ପାଇଁ ବିଲରେ ନୂଆ ଆଇନ ଅଣାଯାଇଛି। ଭିଡ ହିଂସାରେ ସାମିଲ ଥିବା ଦୋଷୀଙ୍କ ବିରୋଧରେ ମୃତ୍ୟୁଦଣ୍ଡର ପ୍ରାବଧାନ ବିଲରେ ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବି ମୃତ୍ୟୁଦଣ୍ଡ ମିଳିବ। ନୂଆ ନିୟମରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ଦଣ୍ଡକୁ ପ୍ରାଧାନ୍ୟ ଦିଆଯାଇଛି।