କେମିତି ଅଛନ୍ତି କାଶୀପୁର ଜନତା
ଭୁବନେଶ୍ବର: ରାଜ୍ୟରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ଆରମ୍ଭ ହୋଇଥିବା ପରିସ୍ଥିତି ଏବେ କୋରାପୁଟ ଜିଲ୍ଲା ଦଶମନ୍ତପୁର, ନୂଆପଡ଼ା ଜିଲ୍ଲା କୋମନା ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ପହଞ୍ଚିଛି। ଗତ ୬ ତାରିଖ ଠାରୁ କାଶୀପୁରରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଏବେ ଏହି ପରିସ୍ଥିତି ଯୋଗୁଁ ୪ଟି ଜିଲ୍ଲାରେ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। କାଶୀପୁରବାସୀ ଏକ ସଂକଟ ଭିତରେ ଜୀବନ ଜିଉଁଛନ୍ତି। ସବୁଠାରେ ପାନୀୟ ଜଳର ସମସ୍ୟା କାରଣରୁ ଏହି ଭଳି ପରିସ୍ଥିତ ଦେଖାଯାଇଥିବା ଅଭିଯୋଗ ହେଉଛି।
ବର୍ତ୍ତମାନର ସରକାର ଦୀର୍ଘ ୨୨ ବର୍ଷ ହେଲା ରାଜ୍ୟର ଶାସନ ଗାଦି ଧରି ବସିଛନ୍ତି। କିନ୍ତୁ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ କିଭଳି ଭାବରେ ଗମନାଗମନ ବ୍ୟବସ୍ଥା କରିଛନ୍ତି। ସ୍ବାସ୍ଥ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କେତେ ଉନ୍ନତ କାଶୀପୁର, ନୂଆପଡ଼ା, ତରଭାରେ ଝାଡ଼ାବାନ୍ତି ଘଟଣାରୁ ଅନୁମେୟ। ରାଜ୍ୟ ସରକାର କହୁଛନ୍ତି ସ୍ବାସ୍ଥ୍ୟ ଓ ପାନୀୟ ଜଲ ପାଇଁ ବ୍ୟୟକୁ ଅଧିକ କରାଯାଉଛି। ସାଧାରଣ ଜନତାଙ୍କ ଜୀବନ ସହଜ କରିବା ଲାଗି ସରକାର ସବୁବେଳେ ଉଦ୍ୟମ କରୁଛନ୍ତି। କିନ୍ତୁ ବୁଦ୍ଧିଜୀବୀମାନଙ୍କ କହିବା ଅନୁସାରେ ଏସବୁ ଭାଷଣବାଜୀ।
ସ୍ବାସ୍ଥ୍ୟ ବଜେଟ୍ ୩୮% ବୃଦ୍ଧି!
ରାଜ୍ୟର ଜନସାଧାରଣଙ୍କ ପାଖରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଲାଗି ସରକାର ଆଥିର୍କ ବର୍ଷ ୨୦୨୨-୨୩ ବଜେଟ୍ରେ ସ୍ବାସ୍ଥ୍ୟ ଅଟକଳକୁ ସରକାର ୩୮% ବୃଦ୍ଧି କରି ୧୨,୬୨୪ କୋଟି ଟଙ୍କା କରିଛନ୍ତି। ରାଜ୍ୟର ୯୬ ଲକ୍ଷ ଆର୍ଥିକ ଦୁର୍ବଳ ବର୍ଗର ପରିବାରଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨,୬୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ସେବା ଗଠନ ଲାଗି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନରେ ୨,୩୨୫ କୋଟି ଟଙ୍କା ଦିଆଯାଇଛି। ଆନୁଷଙ୍ଗିକ ସେବାକୁ ଦୃଢ଼ କରିବା ଲାଗି ୬୫୨ କୋଟି ଟଙ୍କା ଓ ପରିବାର କଲ୍ୟାଣ ସ୍କିମ୍ ପାଇଁ ୫୧୪ କୋଟି ଟଙ୍କା ଦିଆଯାଇଛି। ସ୍ବାସ୍ଥ୍ୟ ଓ ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ମାନବ ସମ୍ବଳ ପାଇଁ ୩୧୨ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ତେବେ ଯଦି ଏତେ ଟଙ୍କା ଦିଆଯାଉଛି, ତା’ହେଲେ ଅସୁବିଧା ପୁଣି କାହିଁକି ହେଉଛି।
ବିଧାନସଭାରେ ବିରୋଧୀଙ୍କ ମନ୍ତବ୍ୟ
କାଶୀପୁର ଘଟଣା ବିଧାନସଭାର ଶୁନ୍ୟକାଳରେ ମଙ୍ଗଳବାର ଚର୍ଚ୍ଚା ହୋଇଛି। ଏହି ଘଟଣାକୁ ନେଇ ଗୃହରେ କିଛି ସମୟ ପାଇଁ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟଗୋଳ କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। କାଶୀପୁରରେ ଏପର୍ଯ୍ୟନ୍ତ ୧୪ ଜଣ ମୃତ୍ୟୁବରଣ କରିଥିବା ବେଳେ ସରକାର କିନ୍ତୁ ୯ ଜଣ ବୋଲି କହୁଛନ୍ତି। ଅନ୍ୟ ୫ ଜଣଙ୍କର ସ୍ୱଭାବିକ ମୃତ୍ୟୁ ହୋଇଥିବା ସରକାର କହୁଛନ୍ତି। ତେବେ ଏହି ୫ ଜଣଙ୍କର ପୋଷ୍ଟମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ସେ ଦାବି କରିଥିଲେ। କେବଳ କାଶୀପୁର ନୁହେଁ ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିବା ମଧ୍ୟ ଗୃହରେ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ। ଏକ ଘରୋଇ କାରଖାନାର ପାଣିକୁ ଟ୍ରିଟମେଣ୍ଟ ନ କରି ଦୂଷିତ ଭାବେ ଛଡ଼ାଯାଉଥିବାରୁ ଝାଡ଼ାବାନ୍ତି ବ୍ୟାପିଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି।
ଦଶମନ୍ତପୁର-କୋମନା-ତରଭାରେ ବି ସଂକଟ
କେବଳ କାଶୀପୁରରେ ନୁହେଁ। ବରଂ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଏବେ ଝାଡ଼ାବାନ୍ତି ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଛଅଟି ପଞ୍ଚାୟତକୁ ବ୍ୟାପି ଝାଡ଼ାବାନ୍ତି ବ୍ୟାପିଛି। ଡାଇରିଆ ଲୋକଙ୍କୁ ଆତଙ୍କିତ କରୁଛି । ସର୍ବମୋଟ ୫୪ ଜଣ ରୋଗୀ ତାଲିକାରେ ଅଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଯାଇ ଥିବା ବେଳେ ଏବେ ବିଭିନ୍ନ ପଞ୍ଚାୟତର ମୋଟ ୧୨ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ଦୁବୁଲା ପଞ୍ଚାୟତ ଅନ୍ତର୍ଗତ ସୁର୍ଜିମୁଣ୍ଡା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଝାଡ଼ାବାନ୍ତି ହୋଇସାରିଛି। ନୂଆପଡ଼ା ଜିଲ୍ଲାରେ ଜଣେ ୬୦ ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଖବର ମିଳିଛି।