ଭୁବନେଶ୍ୱର: ଆମ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ପ୍ରକାରର ଦୟା-ଧର୍ମରେ ଚାଲିଛି ବୋଲି କହିଲେ କିଛି ଭୁଲ ହେବ ନାହିଁ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ନ କହିଲେ ଚଳେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରୋଗୀ ଓ ତାଙ୍କର ସଂପର୍କୀୟଙ୍କୁ ଭାରି ହଟହଟା ହେବାକୁ ପଡ଼ିଥାଏ। ଚିହ୍ନା ପରିଚୟ ଥିଲେ କିଛି ମାତ୍ରାରେ ସୁବିଧା ମିଳିଯାଇଥାଏ, ଅଥଚ ରୋଗୀର ଭଲମନ୍ଦ କଥା ଟିକେ ବୁଝିବା ପାଇଁ କେହି ନଥାନ୍ତି। ରୋଗୀ ସଂପର୍କୀୟ ଯେତେବେଳେ ନର୍ସ କିମ୍ବା ଡାକ୍ତରଙ୍କୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରନ୍ତି, ସେମାନେ ବିରକ୍ତି ପକାଶ କରନ୍ତି। ସତେ ଅବେ ସେହିଭଳି କର୍ମଚାରୀମାନେ ମାଗଣାରେ ଡାକ୍ତରଖାନାରେ କାମ କରୁଛନ୍ତି ନା ଲୋକଙ୍କୁ ଦୟା ଦେଖାଉଛନ୍ତି, ଜାଣପଡ଼ି ନଥାଏ। ରାଜ୍ୟ ସରକାରଙ୍କର ଡାକ୍ତରଖାନାରେ ଗରିବ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି। ଡାକ୍ତରୀ ସେବାରେ ଅବ୍ୟବସ୍ଥା ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଛି।
ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ସବୁବେଳେ ବାହାଦୂରୀ ମାରୁଛନ୍ତି। କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନାଗୁଡ଼ିକ ନିରୀକ୍ଷର କରୁନାହାନ୍ତି। ଅତର୍କିତ ଭାବେ ତଦନ୍ତ କରିବା ପାଇଁ ହସ୍ପିଟାଲ ପହଞ୍ଚି ରୋଗୀ ଓ ରୋଗୀ ସଂପର୍କୀୟଙ୍କ ଠାରୁ ଭଲ ମନ୍ଦ କଥା ବୁଝନ୍ତେ, ତା’ହେଲେ ଜାଣିପାରନ୍ତେ ଯେ, ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ଭଲ, କେତେ ବିକଶିତ। ରାଜ୍ୟରେ ଥିବା ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଚାହିଦା ଅନୁସାରେ ଶର୍ଯ୍ୟା ନାହିଁ। ତେଣୁ ରୋଗୀଙ୍କୁ ବାରଣ୍ଡାରେ ଗଡ଼ିବାକୁ ପଡୁଛି। ଏସ୍ ସରକାରଙ୍କ ଦ୍ୱାରା ମାଗଣାରେ ଯୋଗାଇ ଦିଆଯାଉଥିବା ରୋଗୀଙ୍କ ଖାଦ୍ୟ ମଧ୍ୟ ଠିକ୍ରେ ମିଳିପାରୁ ନାହିଁ। ପଛୁଆ ଓ ଉପାନ୍ତ ଜିଲ୍ଲା ଗୁଡ଼ିକରେ ଚିକିତ୍ସା ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି କହିଲେ କିଛି ଭୁଲ ହେବ ନାହିଁ।
ରୋଗୀଙ୍କୁ ବିରକ୍ତ ହେଉଛନ୍ତି ଡାକ୍ତର!
ରୋଗୀଙ୍କ ପାଇଁ ଡାକ୍ତର ଓ ନର୍ସମାନେ ହେଉଛନ୍ତି ଦେବତା ସଦୃଶ। ମନ୍ଦିର ରୂପକ ଡାକ୍ତରଖାନାରେ ରୋଗୀଙ୍କୁ ଶ୍ରଦ୍ଧା ଓ ସ୍ନେହ ମିଳିପାରୁ ନାହିଁ। ରୋଗୀଙ୍କୁ ସୁସ୍ଥ କରି ଡାକ୍ତରଖାନାରୁ ବିଦାୟ ଦେବା କର୍ତ୍ତବ୍ୟ କରୁନାହାନ୍ତି କର୍ମଚାରୀ। ଏଭଳି ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା। ଏଠାରେ ସବୁ ରୋଗୀଙ୍କୁ ସକାଳୁ ସରକାରଙ୍କ ଦ୍ୱାରା ଯୋଗାଣ ହେଉଥିବା କ୍ଷୀର ଓ ପାଉଁରୁଟି ମିଳିପାରି ନାହିଁ। ରୋଗୀ ସଂପର୍କୀୟ ଅଭିଯୋଗ କଲେ, କର୍ମଚାରୀମାନେ ଉତ୍ତର ଦିଅନ୍ତି ଆଜି ସରିଗଲା। କେବଳ ସେତିକି ନୁହେଁ ରୋଗୀଙ୍କୁ ଭଲ କରିବା ପାଇଁ ଡାକ୍ତର ଯେତେ ଚିନ୍ତିତ ନୁହେଁ, ବିଦାୟ ଦେବା ପାଇଁ ତା’ଠାରୁ ଅଧିକ ବ୍ୟଗ୍ର ହୋଇପଡ଼ନ୍ତି। ୧୦୮ ଆମ୍ବୁଲାନ୍ସର ଚାଳକ ରୋଗୀ ସଂପର୍କୀୟଙ୍କ ଠାରୁ ଲାଞ୍ଚ ନେଇଥାନ୍ତି।
ଲୋକେ ପାଉନାହାନ୍ତି ସୁବିଧା
ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଗତବର୍ଷ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚୀ ଉଡୁଛି। ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ଅନୁବନ୍ଧନ ହୋଇଥିଲେ ବି ସେମାନେ ସେବା ଯୋଗାଇ ଦେଉ ନାହାନ୍ତି। ଫଳରେ ରୋଗୀଙ୍କ ପରିବାରକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବା ସହିତ ମାନସିକ ନିର୍ଯାତନା ଭୋଗବାକୁ ହେଉଛି। ସ୍ମାର୍ଟ ହେଲ୍ଥ କାର୍ଡ ନେଇ ମାର୍ଚ୍ଚ ୨୮ ତାରିଖରେ ବିଧାନସଭାରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ଓ ବିଜେପିର ସଦସ୍ୟମାନେ ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି। ଅନ୍ୟପଟରେ ସରକାର କହୁଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୩୧୫ ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ ୧୫ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୧ ମସିହା ସେପ୍ଟେଟର ମାସରୁ ୨୦୨୨ ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ୧,୨୦,୫୫୨ ପରିବାର ଆବେଦନ କରିଛନ୍ତି। ରାଜ୍ୟ ସରକାର ଏଯାଏ ୨୩୧୩୮୬୩୦୯୮ ଟଙ୍କା ପଇଠ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିଧାନସଭାରେ ସୂଚନା ଦେଇଛନ୍ତି।
ଉଜୁଡି ଗଲା ହଜାର ହଜାର ପରିବାର
ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ହୋଇଛି। ଏଥି ପାଇଁ ରାଜ୍ୟର ଜନତା ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ପାଇଁ ରାଜ୍ୟପାଳଙ୍କୁ ଧନ୍ୟବାଦ ଜ୍ଞାପନ କରାଯିବା ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସହଯୋଗ, ସମୟୋଚ୍ଚିତ ହସ୍ତକ୍ଷେପ ଏବଂ ଆମ ପ୍ରସ୍ତୁତି ଯୋଗୁଁ ମହାମାରୀ ରୋକିବା ସହ ଅମୂଲ୍ୟ ମାନବ ଜୀବନ ରକ୍ଷା କରିବାରେ ଆମେ ସମର୍ଥ ହୋଇପାରିଲେ। ସମସ୍ତଙ୍କୁ ସମାନ, ସୁଲଭ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସ୍ତରରେ ଆମେ ପହଞ୍ଚିଛନ୍ତ। ୯୬.୫ ଲକ୍ଷ ପରିବାରକୁ ‘ବିଏସ୍କେୱାଇ’ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି। ଏହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେବେ ବୋଲି ନୀବନ କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଜାଣିବାକୁ ହେବ ଯେ, ତୃଣମୂଳ ସ୍ତରରେ ସ୍ମାର୍ଟ କାର୍ଡ କେମିତି କାମ କରୁଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଯଦି ଚିକିତ୍ସା ବ୍ୟବସ୍ଥା ଭଲ ତା’ହେଲେ କରୋନାରେ ୯ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲା କେମିତି। ହଜାର ହଜାର ପରିବାର ଉଜୁଡିଗଲା କାହିଁକି?