Tuesday, September 17, 2024
Homeଆରମ୍ଭରୁ ଦୁର୍ଘଟଣା: ‌ସଫଳ ହୋଇପାରୁନି ଉଦ୍ୟମ 
Array

ଆରମ୍ଭରୁ ଦୁର୍ଘଟଣା: ‌ସଫଳ ହୋଇପାରୁନି ଉଦ୍ୟମ 

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ସରକାର ଏହାର ପ୍ରତିକାର ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି। ଯାନବାହନ ଚାଳକ ଓ ପଥଚାରୀ ମଧ୍ୟ ଯାତାୟତ ସମୟରେ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଚର୍ଚ୍ଚା ହୋଇଥାଏ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ନୂଆବର୍ଷ ଆରମ୍ଭ ହେବା ମାତ୍ରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ବର୍ଷର ଦ୍ବିତୀୟ ଦିନରେ ମଙ୍ଗଳବାର ୫ଟି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ପୁଣି ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି।

ରାସ୍ତା ପାଇଁ ଯାହା ଆବଶ୍ୟକ ତାହା ହୋଇପାରୁ ନାହିଁ। ରାସ୍ତା ଡିଜାଇନରେ ବ୍ୟାପକ ତ୍ରୁଟି ପାଇଁ ସଡ଼କ ଦୁର୍ଘଟଣା ହେଉଛି। ରାଜ୍ୟରେ ବିଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୫୦ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୧୯ରେ ୫୩୩୩ଜଣ, ୨୦୨୦ରେ କରୋନା ଯୋଗୁ ଲକ୍‌ଡାଉନ୍ ସତ୍ତ୍ବେ ୪୭୩୮ଜଣ, ୨୦୨୧ରେ ୫୦୮୧ଜଣ, ୨୦୨୨ରେ ୫୪୬୭ଜଣ ଏବଂ ୨୦୨୩ରେ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୪୧୭୮ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୨୩ରେ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳିତ ଶୂନ ମୃତ୍ୟୁ ସପ୍ତାହରେ ୭୦ ଜଣଙ୍କର, ୨୦୨୩ ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ଶୂନ ମୃତ୍ୟୁ ସପ୍ତାହରେ ୮୧ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା।  

ଛାତିଥରା ଦୁର୍ଘଟଣା

ଗତ ମଙ୍ଗଳବାର ଦିନ ଭୋର ସକାଳୁ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟରପଡା ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପ୍ରତକ୍ଷ୍ୟଦର୍ଶୀଙ୍କୁ ଭୟଭୀତ କରିଦେଇଥିଲା। ମନୋରମା ନାମକ ଏକ ଘରୋଇ ବସ୍ ସହିତ ରାଜସ୍ଥାନର ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା କାରଣରୁ ୩୨ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୧୨ ଗୁରୁତରଙ୍କୁ ପ୍ରଥମେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏଥିରୁ  ୪ଜଣଙ୍କୁ ଅନ୍ୟ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ବାପ-ପୁଅଙ୍କ ଉପରେ ଚଢ଼ିଗଲା ହାଇୱା

ସୋନପୁର ବ୍ଲକ ଛକ ଟ୍ରାଫିକ ପୋଷ୍ଟରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣା ଛାତି ଥରାଇ ଦେଇଥିଲା। ସ୍କୁଟରକୁ ଏକ ହାଇୱା (ଓଡି-୩୧ ଏଲ୍-୩୧୮୦) ଧକ୍କା ଦେଇଥିଲା। ଫଳରେ ସ୍କୁଟିରେ ଥିବା ରାଜକୁମାର ମହାକୁଡ଼ (୫୦) ଏବଂ ତାଙ୍କ ପୁଅ ଓମ୍‌ପ୍ରୀତ (୧୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସୋନପୁର ବ୍ଲକ ବଲାଡ଼ି ନିବାସୀ ରାଜକୁମାର ସପରିବାର ସୋନପୁର କ୍ଲଷ୍ଟର କଲୋନିରେ ରୁହନ୍ତି। ଉଭୟ ବାପ-ପୁଅ ସ୍କୁଟିରେ ଘରକୁ ଫେରୁଥିବା ବେଳେ ପଟାଭାଡ଼ି ପଟକୁ ଯାଉଥିବା ହାଇୱା ସ୍କୁଟି ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ହାଇୱାଟି ସ୍କୁଟିକୁ ଘୋଷାଡ଼ି ନେଇ ଫେରାର୍ ମାରୁଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହାଇୱାରେ ନିଆଁ ଲାଗି ଜଳିଯାଇଥିଲା। ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା।  

ପିକ୍‌ଅପ୍‌କୁ ଧକ୍କା ଦେଇ ୨ ମୃତ

ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଗୋତମା ଛକରେ ମଙ୍ଗଳବାର ରାତି ୮ଟାରେ ଠିଆ ହୋଇଥିବା ଏକ ପିକଅପ୍ ଭ୍ୟାନ୍‌ରେ ଏକ ବାଇକ ପିଟି ହୋଇଥିଲା। ଫଳରେ ବାଇକ ଆରୋହୀ ଧରମବନ୍ଧା ଥାନା କରଚୁଲ ଗ୍ରାମର ଭଗତରାମ ଶବର (୩୦) ଓ ଗୁପ୍ତଶ୍ବର ଶବର (୨୫)ଙ୍କ ମୃତ୍ୟୁ ଘଟିଥିଲା ଭଗତରାମ, ଗୁପ୍ତଶ୍ବର ଓ କବି ଏକ ବାଇକ (ଓଡି ୨୬ ଏଫ୍‌ ୩୩୧୫)ରେ ଖରିଆର ରୋଡ୍‌ରୁ ଫେରୁଥିଲେ। ଗୋତମା ଛକ ପାଖରେ ଠିଆ ହୋଇଥିବା ଏକ ପିକଅପ୍ ଭ୍ୟାନ୍‌ (ଓଡି-୨୬ ଡି-୯୨୫୬)କୁ ପଛପଟୁ ଧକ୍କା ଦେଇଥିଲେ।

ନୟାଗଡ଼, ଜୟପୁରରେ ବି ୩ ମୃତ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କୋରଡ଼ା ନିକଟରେ ମଙ୍ଗଳବାର ଅପରାହ୍ଣରେ ନୟାଗଡ଼ ଓ ଦଶପଲ୍ଲା ଉଭୟ ଆଡ଼ୁ ଆସୁଥିବା ଦୁଇଟି ବାଇକ୍ କୋରଡ଼ା ନିକଟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ଆହତ ଦୁଇଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଦଶପଲ୍ଲା ଅଞ୍ଚଳର ଅଭିମନ୍ୟୁ ନାଏକଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ଇଟାମାଟି ଥାନା ଅଧୀନ ବଡ଼ପଣ୍ଡୁସର ନିକଟରେ ପାଲାଗାୟକ ଲକ୍ଷ୍ମଣ ପରିଡ଼ା ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ନବରଂପୁର ଡାବୁଗାଁ କଲେଜର ଜୟପୁର ସଦର ଥାନା ଅନ୍ତର୍ଗତ ବିଶୋଇପୁଟ ସିମେଣ୍ଟ ଗୋଦାମ ସମ୍ମୁଖ ଜାତୀୟ ରାଜପଥରେ ଭ୍ୟାନ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା।  

ଛାତ୍ର ଉପରେ ଚଢ଼ିଗଲା ବସ୍‌

ସମ୍ବଲପୁର ଗୁରୁଦ୍ବାର ଛକର ଅରୁଣ ନାୟକଙ୍କ ପୁଅ ଦିଶାନ୍ତ ନାୟକ ଓରଫ ରୋନକ (୧୩) କେନ୍ଦ୍ରୀୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେ ଆଜି ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ସ୍କୁଟିରେ ମୁଦିପଡ଼ାରୁ କୁଂଜେଲପଡ଼ା ଆଡ଼କୁ ଯାଉଥିଲା ବେଳେ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ସମ୍ମୁଖରେ ବସ୍ଟି ତାଙ୍କୁ ପଛରୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ରୋନକଙ୍କ ମୃତ୍ୟୁ ଘଟିଥିଲା।  

ବସ୍‌-ଟ୍ରକ୍‌ ଧକ୍କା

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଗୁରୁବାର ଭୋର ସକାଳୁ ପର୍ଯ୍ୟଟକଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ବଲପୁରରେ ବଣଭୋଜି ସାରି ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଥିଲେ । ଟ୍ରକ୍ ଚାଳକ ମଧ୍ୟ ଗୁରୁତର ହୋଇଥିଲେ। ବସରେ ମୋଟ ୫୧ ଜଣ ଯାତ୍ରୀ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments