Friday, October 4, 2024
Homeଆରମ୍ଭ ହେବ ଚାଷ କାମ, ମୌସୁମୀକୁ ଅପେକ୍ଷା...
Array

ଆରମ୍ଭ ହେବ ଚାଷ କାମ, ମୌସୁମୀକୁ ଅପେକ୍ଷା…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପେକ୍ଷାରେ ଓଡ଼ିଶାବାସୀ । ମେ’ ମାସ ଶେଷ ସପ୍ତାହରୁ ଚାତକ ପକ୍ଷୀ ଭଳି ଅନେଇ ବସିଛନ୍ତି ଓଡ଼ିଶାର ଜନତା । ଏପଟେ ଜୁନ ପ୍ରଥମ ସପ୍ତାହ ଶେଷ ପରେ ମଧ୍ୟ ଆସିନାହିଁ ମୌସୁମୀ । ମୌସୁମୀ ବାୟୁର ଅଭାବ ଓ ଅଦିନିଆ ତଥା କାଳବୈଶାଖୀ ବର୍ଷା ରାଜ୍ୟରେ ସାମାନ୍ୟ ଧରଣର ହେଉଥିବାରୁ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ରାଜ୍ୟର ପଶ୍ଚିମାଂଚଳରେ ଭୀଷଣ ଗରମ ଅନୁଭୂତ ହେଉଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଗୋଟିଏ ପଟେ ଜନସାଧାରଣ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ବ୍ୟସ୍ତ ହେଉଥିବା ବେଳେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲେ ଚାଷୀମାନେ ମଧ୍ୟ ନିଜକୁ ପ୍ରସ୍ତୁତି କରିବେ । ସେଥିପାଇଁ ବର୍ଷାକୁ ଅପେକ୍ଷା କରି ରହିଛନ୍ତି ।
ଜୁନ ପ୍ରଥମ ସପ୍ତାହରେ ଭୀଷଣ ଗରମ
ଜୁନ ପ୍ରଥମ ସପ୍ତାହ ବିତି ଯାଇଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି । ମଧ୍ୟାହ୍ନରୁ ଅପରାହ୍ନରେ ସମୟରେ ପ୍ରବଳ ଖରା ହେଉଛି । ପଶ୍ଚିମ ଓଡ଼ିଶାରେ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୀଷଣ ଗରମ ଅନୁଭୂତ ହେଉଛି । ଏହାରି ମଧ୍ୟରେ ମଝିରେ ମଝିରେ କାଳବୈଶାଖୀ ବର୍ଷା ହେଉଛି । କିନ୍ତୁ ଏହା ଧରାପୃଷ୍ଠର ତାତିକୁ ହ୍ରାସ କରିପାରୁ ନାହିଁ । ଲୋକେ ବର୍ଷାକୁ ଅନେଇ ରହିଛନ୍ତି । ବିଶେଷ କରି ମୌସୁମୀ ସମୟ ପାଖେଇ ଆସିଥିବାରୁ ଏହାରି ପ୍ରଭାବରେ ବର୍ଷା ହେଲେ ମାଟି ଶୀତଳ ହେବ ବୋଲି ଲୋକଙ୍କର ଆଶା ।
ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ସକ୍ରିୟ
ଦେଶର ଅନେକ ସ୍ଥାନରେ ମୌସୁମୀ ବାୟୁ ସକ୍ରିୟ ହୋଇସାରିଛି । କେରଳକୁ ମୌସୁମୀ ସ୍ପର୍ଶ କରିବା ପରେ ଉତ୍ତର-ପୂର୍ବ ଭାରତ ଅଭିମୁଖେ ଅଗ୍ରସର ହୋଇଛି । ଆସାମ, ତ୍ରିପୁରା, ମଣିପୁର, ମିଜୋରାମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି କେନ୍ଦ୍ରୀୟ ଆରବସାଗରର ଆଉ କିଛି ଅଂଶ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ସ୍ଥାନକୁ ମୌସୁମୀ ଛୁଇଁଛି । ଏବେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟ ମୌସୁମୀ ବାୟୁର ଅପେକ୍ଷାରେ ଅଛନ୍ତି ।
ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହି ଲଘୁଚାପ ମାଧ୍ୟମରେ ମୌସୁମୀ ଓଡ଼ିଶା ଆଡ଼କୁ ମୁହାଁଇବ । ପାଣିପାଗ ବିଭାଗର ଅନୁମାନ ଅନୁସାରେ ଜୁନ ୭ ତାରିଖ ଠାରୁ ଓଡ଼ିଶାର କିଛି ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବାର ଅଛି । ରାଜ୍ୟର କିଛି ସ୍ଥାନରେ ସୋମବାର କାଳବୈଶାଖୀ ବର୍ଷା ହୋଇଛି । ଆଗାମୀ ୮ ଓ ୯ତାରିଖରେ ରାଜ୍ୟର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଚାଷ କାମ ଅପେକ୍ଷାରେ ଚାଷୀ
ବିଗତ ଦିନରେ କାଳବୈଶାଖୀ ଯୋଗୁଁ ହୋଇଥିବା ବର୍ଷା ଯୋଗୁଁ ରାଜ୍ୟର ଚାଷୀମାନେ ନିଜ ଜମିକୁ ପ୍ରସ୍ତୁତି କରିସାରିଛନ୍ତି । ଏବେ ଚାଷୀମାନେ ଭଲ ବର୍ଷାକୁ ଅପେକ୍ଷା କରିଛନ୍ତି । ଆଗାମୀ ୧୪ ତାରିଖରେ ରଜ ପର୍ବ ଆରମ୍ଭ ହେବ । ରାଜ୍ୟର ଏହି ଗଣପର୍ବ ୧୭ ତାରିଖରେ ଶେଷ । ଏହା ପରେ ଆରମ୍ଭ ହୋଇଯିବ ଚାଷ କାମ । ଚାଷୀମାନେ ଧାନ ବୁଣା କାମ ଆରମ୍ଭ କରିବେ । ଧାନ ବୁଣିବା ବ୍ୟତୀତ କପା ଚାଷ ପାଇଁ କାମ ଆରମ୍ଭ କରିବେ । ସେହିପରି ଡାଲି ଜାତୀୟ ଫସଲ, ସାରୁ, କନ୍ଦମୂଳ ପାଇଁ ମାଟିକୁ ପ୍ରସ୍ତୁତି କରିବେ । ଏସବୁ କାମ ଠିକ ସମୟରେ କରିବାକୁ ହେଲେ ଠିକ ସମୟରେ ମୌସୁମୀ ବର୍ଷାର ଆବଶ୍ୟକତା ରହିଛି । ତେଣୁ ଚାଷୀମାନେ ମୌସୁମୀ ବାୟୁକୁ ଚାତକ ପକ୍ଷୀ ପରି ଅପେକ୍ଷା କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments