ଭୁବନେଶ୍ୱର: ଦେଶର ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ‘ଆଶା’ ପ୍ରତିଟି ଚ୍ୟାଲେଞ୍ଜ ସମୟରେ ସାଧାରଣ ଲୋକଙ୍କୁ ନୂଆ ଆଶା ଦେଇଥାନ୍ତି। ସହରାଞ୍ଚଳରେ ବ୍ୟାପକ ସ୍ୱାସ୍ଥ୍ୟ ବିବସ୍ଥା ରହିଥିବା ବେଳେ ଗ୍ରାମାଞ୍ଚଳରେ ଏହା ନଥାଏ। ଦୁର୍ଗମ ଅଞ୍ଚଳରେ ଯେତେବେଳେ ଗର୍ଭବତୀମାନେ ଛଟପଟ ହେଉଥାନ୍ତି, ସେହି ସମୟରେ ଆଶାକର୍ମୀମାନେ ହିଁ ମୁଖ୍ୟ ସହଯୋଗକାରିଣୀ ଭାବେ ଛିଡ଼ା ହୋଇଥାନ୍ତି। ଯୁଦ୍ଧକାଳୀନଭିତ୍ତିରେ ଗାଁରୁ ଗର୍ଭବତୀଙ୍କୁ ନେଇ ନିକଟସ୍ଥ ହସ୍୍ପିଟାଲରେ ଭର୍ତ୍ତି କରି ଗର୍ଭବତୀ ଓ ପ୍ରସୂତୀଙ୍କ ଜୀବନ ବଞ୍ଚାଇଥାନ୍ତି ଓ ସୁରକ୍ଷିତ ଭାବେ ମାତୃତ୍ୱ ଲାଭ କରାଇବାରେ ବଡ଼ ଭୂମିକା ତୁଲାଇଥାନ୍ତି। କେବଳ ସେତିକି ନୁହେଁ ନିଜ ଅଞ୍ଚଳରେ ସ୍ୱାସ୍ଥ୍ୟ ସଂପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବାରେ ଆଶାକର୍ମୀମାନଙ୍କ କାମକୁ ଭୁଲି ହେବନାହିଁ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିନରେ କାର୍ଯ୍ୟରତ ଆଶା ସ୍ୱୟଂସେବକଙ୍କ କର୍ମ ଉପରେ ସନ୍ତୁଷ୍ଟ ପ୍ରକାଶ କରିଛି। ଆଶାକର୍ମୀଙ୍କୁ କାମକୁ ପ୍ରଶଂସା କରିଛି। ଏଥି ସହିତ ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ ରବିବାର ସମ୍ମାନିତ କରିଛ। କରୋନା କାଳରେ ଆଶା ସ୍ୱୟଂ ସେବକମାନେ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇଥିଲେ। ସେହିପରି ଦେଶରେ କରୋନା ଭାଇରସ ବିରୋଧରେ ଅଭିଯାନରେ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତରେ କରୋନା ମହାମାରୀ ଯେତେବେଳେ ପିକ ସ୍ତରରେ ଥିଲା, ଲୋକେ ଅନ୍ୟମାନଙ୍କ ପାଖକୁ ଯିବାକୁ ଭୟ କରୁଥିଲେ, ସେହିଭଳି ଏକ ସଂକଟ ସମୟରେ ଆଶାକର୍ମୀମାନେ ଭୟ ନ କରି ଘରକୁ ଘର ଯାଇ ମେଡିକାଲ ସହାୟତା ପ୍ରଦାନ କରୁଥିଲେ।
ଆଶାକର୍ମୀଙ୍କ ଯୋଗଦାନ ଅମୂଲ୍ୟ
ଆଶାକର୍ମୀମାନେ ପ୍ରଶଂସା ପାଇବାର ଯୋଗ୍ୟା। ସମଗ୍ର ବିଶ୍ୱ ଯେତେବେଳେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଅଗ୍ରଗତି ହେଉଥିଲା ଡାକ୍ତର, ନର୍ସ, ପରାମେଡିକାଲ କର୍ମୀଙ୍କ ସମେତ ଆଶା କର୍ମୀମାନେ ନିୟୋଜିତ ହୋଇଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାରେ ଆଶା କର୍ମୀମାନେ ବଡ଼ ଭୂମିକା ତୁଲାଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମ୍ମାନିତ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଆଶା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ କରି ମୋଦୀ କହିଛନ୍ତି ଯେ, ସୁସ୍ଥ ଭାରତ ଗଠନରେ ଆଶାକର୍ମୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ଯୋଗଦାନ ଅମୂଲ୍ୟ।
ଦାବି ପୂରଣ ହେଲାନି
ଜାତୀୟ ସ୍ୱ୍ୟାସ୍ଥ୍ୟ ମିଶନ ଅଧୀନରେ ପରିଚାଳିତ ସ୍ୱାସ୍ଥ୍ୟ ବିଭାଗରେ ଓଡ଼ିଶାରୁ ୪୫୦୦୦ରୁ ଅଧିକ ଆଶାକର୍ମୀ କାମ କରୁଛନ୍ତି। ଆଶାକର୍ମୀଙ୍କ ସୁବିଧାଜନକ ସମର୍ଥନ, ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ ଜନସାଧାରଣଙ୍କ ଜବୀନକୁ ସରଳ କରୁଛି। ତେବେ ଆଶାକର୍ମୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ମିଳୁ ନଥିବା ଦାବି ହେଉଛି। ୨୦୨୧ ମସିହାରେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଆଶା କର୍ମୀମାନେ ରାଜ୍ୟ ସରକାରଙ୍କ କର୍ମଚାରୀଭାବେ ଘୋଷିତ ହେବାକୁ ଭୁବନେଶ୍ୱରରେ ବଡ଼ଧରଣର ଆନ୍ଦୋଳନ କରିଥିଲେ। ସେମାନେ ସେହି ସମୟରେ ମାସକୁ ଅତିକମରେ ୨୧ ହଜାର ଟଙ୍କା ଦରମା ଦାବି କରିଥିଲେ। ସେହିପରି ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଦେବାକୁ ମଧ୍ୟ ଦାବି କରିଥିଲେ।