ଭୁବନେଶ୍ୱର: ମାତ୍ର ୪ ଦିନ ପରେ ସରିଯିବ କ୍ୟାଲେଣ୍ଡର ବର୍ଷ । ଆରମ୍ଭ ହେବ ୨୦୨୧ ମସିହା । ଚଳିତ ବର୍ଷ ସମର୍ଗ ବିଶ୍ୱ ସତେମ ଓଡ଼ିଶାର ଅଧିବାସୀ ମଧ୍ୟ କରୋନା ଜାଲରେ ଛନ୍ଦି ହୋଇଗଲେ । ଜୀବନ-ଜୀବୀକା ମଧ୍ୟରେ ସଂଘର୍ଷ ଜାରି ରହିଲା । ମାର୍ଚ୍ଚ ୧୫ ତାରିଖ ଦିନ ଜଣେ ବିଦେଶ ଫେରନ୍ତା ଭୁବନେଶ୍ୱର ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ଦିନକୁ ଦିନ ମହାମାରୀର କାୟା ବିସ୍ତାର ହୋଇଚାଲିଲା । ରାଜ୍ୟବାସୀ ଲକଡାଉନ, ସଟଡାଉନ, ଜନତା କର୍ଫ୍ୟୁ ଭଳି ଶବ୍ଦ ଶୁଣିଲେ ଓ ସମ୍ମୁଖୀନ ହେଲେ । ପୂର୍ବରୁ ଏହି ଶବ୍ଦ ଶୁଣାଯାଇଥିଲା । ମାର୍ଚ୍ଚ ୨୨ ତାରିଖ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଜୀବନ ଅଧିକ ଘାଣ୍ଟି ହୋଇଯାଇଥିଲା । ଜୁଲାଇ ପରଠାରୁ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଡିସେମ୍ବର ମାସ ଶେଷ ହେବା ପୂର୍ବରୁ ଆସିଛି କରୋନା ଭାଇରସର ନୂଆ ଷ୍ଟ୍ରେଣ୍ଡ (ବି.୧.୧.୭)
କରୋନାର ନୂଆ ଷ୍ଟ୍ରେନ୍ ବ୍ରିଟେନରୁ ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଏହି ରୋଗ ଏବେ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରେ ବ୍ୟାପକ ଭାବେ ବ୍ୟାପିଛି, ଯେଉଁଥି ପାଇଁ ଭାରତ ସମେତ ଅନ୍ୟ ଦେଶମାନେ ମଧ୍ୟ ସତର୍କ ରହିଛନ୍ତି । ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାକୁ ଅନ୍ତର୍ଜାତୀୟ ବିମାନ ସେବା କଟକଣା ଲାଗିଛି । ବ୍ରିଟେନରେ କିଛି ଦିନ ହେବ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଭାରତୀୟ ଲୋକଙ୍କ ମନରେ ମଧ୍ୟ ଆଶା ଓ ଆଶଙ୍କା ଜାରି ରହିଛି ।
ନୂଆ ଏସ୍ଓପି ଜାରି କଲେ ରାଜ୍ୟ ସରକାର
କରୋନାର ନୂଆ ପ୍ରାରୂପ ଦେଖାଯିବା ପରେ ଓଡ଼ିଶା ସରକାର ନୂଆ ଏସ୍ଓପି ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏସଓପିରେ କୁହାଯାଇଛି ଯେ, ଭୁବନେଶ୍ୱର ବିମାନ ବନ୍ଦର ଟର୍ମିନାଲ ପରିସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀମାନଙ୍କ ଯାଞ୍ଚ କରାଯାଉଛି । ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଯାତ୍ରୀମାନଙ୍କର ସଂପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି ।
୬ ଜଣ ବ୍ରିଟେନ ଫେରନ୍ତାଙ୍କୁ କରୋନା
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ କରୋନା ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଜଗତସିଂହପୁର ଓ ଭୁବନେଶ୍ୱରର ୩-୩ ଜଣ । ବ୍ରିଟେନରୁ ଓଡ଼ିଶାକୁ ଗୋଟିଏ ମାସ ଭିତରେ ୧୮୧ ଜଣ ଲୋକ ଫେରିଛନ୍ତି, ଯେଉଁଥିରେ ଭୁବନେଶ୍ୱରରୁ ଅଛନ୍ତି ୮୮ ଜଣ । ବାକି ୬୧ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କର ଗସ୍ତ ବିବରଣୀ ଥିବା ବେଳେ ଅନ୍ୟ ୧୮ ଜଣଙ୍କ ମଧ୍ୟରେ ସଠିକ ସୂଚନା ନାହିଁ । କୁହାଯାଉଛି ଯେ, ଯେଉଁମାନେ ବ୍ରିଟେନରୁ ଓଡ଼ିଶା ଆସିଥିଲେ ସେଥି ମଧ୍ୟରୁ କିଛି ଲୋକ ପୁଣି ଥରେ ଫେରିଯାଇଛନ୍ତି । ବ୍ରିଟେନ ଫେରନ୍ତାଙ୍କ ଲାଗି ଆର-ଟି ପିସିଆର ନମୁନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି ।
କରୋନା ନେଲା ୧୮୫୭ ଜୀବନ
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଡିସେମ୍ବର ୨୭ ଯାଏଁ ରାଜ୍ୟରେ ୩ ଲକ୍ଷ ୨୮ ହଜାର ୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ବାହାର ରାଜ୍ୟର ୩୩୪ ଜଣ ଲୋକ ଅଛନ୍ତି । ଏପର୍ଯ୍ୟନ୍ତ ୩ ଲକ୍ଷ ୨୩ ହଜାର ୭୪୯ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥମାନଙ୍କ ମଧ୍ୟରୁ ୩୭୧ ଜଣ ବାହାର ରାଜ୍ୟର ଅଧିବାସୀ । ଅପରପକ୍ଷେ ୧ ହଜାର ୮୫୭ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛନ୍ତି । କୋଭିଡ-୧୯ରୁ ସୁସ୍ଥ ହୋଇ ୫୩ ଜଣ ଲୋକ ପ୍ରାଣ ହରାଇଛନ୍ତି ।