ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଗଣପର୍ବ ‘ରଜ’ ଆରମ୍ଭ ହୋଇଯାଇଛି । କିଛି ସ୍ଥାନରେ ଏହା ୩ ଦିନ ଓ ଅନ୍ୟ ଜାଗାରେ ୪ଦିନ ପାଇଁ ପାଳନ ହେଉଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗ ଅନୁକୂଳ ଥିବାରୁ ପହିଲି ରଜରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳୁଛି । ଗତ ୧୨ ଓ ୧୩ ତାରିଖ ରାତିରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ପର୍ବ ପାଳନରେ ଖୁସି ବଢ଼ାଇଛି । ଅନ୍ୟପଟରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଛଟପଟ କରୁଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ରଜ ହେଉଛି ଏକ ଏଭଳି ପର୍ବ ଯେଉଁଥିରେ କି ରାଜ୍ୟର ସବୁ ଲୋକ ସାମିଲ ରୁହନ୍ତି । ଚାଷୀ, ବ୍ୟବସାୟୀ, ପିଲାଛୁଆ, ଯୁବକ-ଯୁବତୀ ଏବଂ ବୟସ୍କମାନେ ମଧ୍ୟ ରଜରେ ଆମୋଦପ୍ରମୋଦ ପାଇଁ ଅବସର ପାଇଥାନ୍ତି । କିନ୍ତୁ ପ୍ରାୟ ସାଢ଼େ ୪ କୋଟି ଜନବସତିର ଓଡ଼ିଶାର ବିଭିନ୍ନ କୋଣରେ ରଜ ପର୍ବର ପାଳନ ଭିନ୍ନ ଭିନ୍ନ ଶୈଳୀରେ ଅନୁଭୂତ ହୋଇଥାଏ । ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପହିଲି ରଜ ଅବସରରେ ଘରେ ଘରେ ପିଠାପଣା ଓ ନିରାମିଶ ଭୋଜନ ପ୍ରସ୍ତୁତି ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ପହିଲି ରଜର ଦିନକ ପୂର୍ବରୁ ୫ ଦିନ ଯାଏଁ ଘରକୁ ଆମିଷ ପ୍ରବେଶ କରେନାହିଁ । ଲୋକେ ଘର ଦ୍ୱାର ଲିପାପୋଛା କରନ୍ତି । ପୂରା ଘରକୁ ପରିଷ୍କାର ରଖନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ସମୟରେ ଲୋକେ ଭଲ ଖାଇବା-ପିଇବା କରନ୍ତି । ପୁରୁଷମାନେ ତାସ ଓ ଜୁଆ ଖେଳନ୍ତି ।
ବର୍ଷା ନାହିଁ, ଚାଷୀ ହତାଶ
ପଶ୍ଚିମ ଓଡ଼ିଶାରେ ରଜକୁ ମୁଖ୍ୟତଃ ଚାଷ କାର୍ଯ୍ୟର ଆଦ୍ୟାରମ୍ଭ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଗଣପର୍ବର ଚତୁର୍ଥ ଦିନରେ ଧାନବୁଣିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ଚାଷୀମାନେ ଧାନ ବୁଣିବା ସହିତ ଘରେ କ୍ଷୀରୀ ଓ ପିଠା ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଚାଷ ଯେହେତୁ ଚାଷୀର ଜୀବନଧାରଣ ପାଇଁ ଶ୍ରେଷ୍ଠ ପନ୍ଥା, ଏହି ଦିନଟି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆଷାଢ଼ ମାସ ଆଠ ଦିନ ଅତିକ୍ରମ କରିଛି । ବର୍ଷାକୁ ଚାଷୀମାନେ ଅପେକ୍ଷା କରି ରହିଥିବା ବେଳେ ଲୋକେ ଖରା ଓ ଗରମାରେ ଛଟପଟ ହେଉଛନ୍ତି । ଚଳିତ ବର୍ଷ ମୌସୁମୀ ଆଗମନରେ ବିଳମ୍ବ କାରଣରୁ ବସୁମତୀ ସ୍ନାନ ଦିବସରେ ଧାନବୁଣା କାର୍ଯ୍ୟ ଆରମ୍ଭ ହେବା ନେଇ ଆଶଙ୍କ ଉପୁଜିଛି ।
ଗଜରାଜ ଅସୁରକ୍ଷିତ
ରଜ କଥା ଯେତେବେଳେ ଆସେ, ଗଜରାଜ ମନେ ପଡ଼ିବା ସ୍ୱାଭାବିକ । ଅତୀତରେ ଆମ ପୂର୍ବ ପୂରୁଷମାନେ “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ।” ଏହି ପର୍ବରେ ହାତୀଙ୍କୁ ସମସ୍ତେ ମନେ ପକାଉଥିଲେ । ଗ୍ରୀଷ୍ମପରେ ପ୍ରଥମ ବର୍ଷାରେ ଜଙ୍ଗଲରେ ନୂଆ ପତ୍ର କଅଁଳି ସବୁଜ ଦେଖାଯାଉଥାଏ । ତେଣୁ ବନ୍ୟ ପଶୁପକ୍ଷୀମାନେ ମଧ୍ୟ ଖୁସିରେ ଥାଆନ୍ତି । ହାତୀମାନଙ୍କର ଶବ୍ଦ ଶୁଣାଯାଉଥିଲା । ଆଜି କାଲି ହାତୀର ଶବ୍ଦ ଆଉ ଜଙ୍ଗଲରେ ଶୁଭୁନାହିଁ । ବରଂ ଗଜରାଜ ହ୍ରିଂସ୍ର ପାଲଟି ଯାଉଛି । ରକ୍ତମୁଖା ହୋଇ ମନୁଷ୍ୟଙ୍କୁ ଆକ୍ରମଣ କରୁଛି । ଜଙ୍ଗଲର ପରିବେଶ ଉପକୂଳ ରହୁ ନଥିବାରୁ ସେମାନେ ଗାଁମୁହାଁ ହେଉଛନ୍ତି । ହାତୀମାନଙ୍କୁ ଟାର୍ଗେଟ କରୁଥିବା ତେଣୁ ମଣିଷମାନେ ଆକ୍ରମଣର ଶିକାର ହେଉଛନ୍ତି । ଅନ୍ୟପଟରେ ରାଜ୍ୟରେ ପ୍ରତି ସପ୍ତାହରେ ହାତୀ ମୃତ୍ୟୁଜନିତ ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେଣୁ ଗଜରାଜ ସଂପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡ଼ିଛନ୍ତି ।
ରଜରେ ଫ୍ୟାସନ୍ର ମିଶ୍ରଣ
ରଜ ପରଂପରାରେ ପରିବର୍ତ୍ତନ ଦେଖାଯାଇଛି । ଲୋକଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିଥିବାରୁ ରଜ ପର୍ବରେ ଫ୍ୟାସନ ମିଶି ଯାଇଛି । ଲୋକେ ବ୍ୟକ୍ତିଗତ ଭାବେ ଘର ଭିତରେ ରଜକୁ ଯେମିତ ପାଳନ କରୁଛନ୍ତି, ତା’ଠାରୁ ସରକାର, ଘରୋଇ ସଂସ୍ଥା ଏବଂ ବ୍ୟବସାୟୀମାନେ ଆକର୍ଷିତ ଭାବେ ପାଳନ କରୁଛନ୍ତି । କିଛି ବର୍ଷ ହେଲା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ପର୍ବ ପାଳନ କରାଯାଉଛି । ସହରାଞ୍ଚଳର ସପିଂ ମଲ୍ଗୁଡ଼ିକରେ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରାଯାଉଛି । ପାର୍ଲରଗୁଡ଼ିକରେ ଯୁବତୀ ଏବଂ ମହିଳାଙ୍କର ପ୍ରବଳ ଭିଡ଼ ରହୁଛି । କପଡ଼ା ଦେକାନରେ ମଧ୍ୟ ସମାନ ଅବସ୍ଥା । ପାନ, ମିଠା, ହୋଟେଲଗୁଡ଼ିକରେ ଗ୍ରାହକଙ୍କ ଭିଲ ପରିଲକ୍ଷିତ ରହୁଛି । ଅତୀତରେ ରଜ ପାଇଁ ଯେମିତି ଘରେ ଘରେ ଦୋଳି ଲାଗୁଥିଲା, ଆଜିକାଲି ଆଉ ସେହି ଭଳି ନାହିଁ ।