ଭୁବନେଶ୍ବର: ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଶୁକ୍ରବାର ମାନସୀ ଜେନାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଜଣେ ସରକାରୀ ଅଧିକାରୀଙ୍କ ବିରୋଧରେ ଚାଲିଥିବା ମାମଲାର ତଦନ୍ତ ଅଧିକାରୀ ଥିବା ମାନସୀ ଜେନା ରଫାଦଫା କରିବା ପାଇଁ ଗତମାସ ୧୨ ତାରିଖରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଚଢ଼ଉର ଶିକାର ହୋଇଥିଲେ। ରଂଗବୋଳା ଟଙ୍କା ତାଙ୍କ ପାଖରୁ ଜବତ ହେଲା ପରେ ସେ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିଲେ ଏବଂ ମେ’ ୧୪ ତାରିଖ ଠାରୁ ସେ ଜେଲ୍ରେ ଅଛନ୍ତି।
ମାନସୀ ଜେନାଙ୍କୁ ବହିଷ୍କାର କରାଯିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଲୋକେ ରାଜ୍ୟ ଡିଜିପି ଶ୍ରୀ ବାଂଶଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ୟୁଜର୍ସ ଲେଖିଛନ୍ତି ଯେ, ପୁଲିସ ବିଭାଗ ଭଲ ପଦକ୍ଷେପ ନେଇଛି। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉପଯୁକ୍ତ ଶାସ୍ତୀ ମିଳିଛି ବୋଲି ଉଲ୍ଲେଖ କରିଛନ୍ତି। ପୋଲିସ ଓ ଭିଜିଲାନ୍ସ ବିଭାଗ ରକ୍ଷକ ହୋଇଥିଲେ ମଧ୍ୟ ଭକ୍ଷକ ସାଜୁଛନ୍ତି। ମାନସୀ ଜେନାଙ୍କ ଭଳି ରାଜ୍ୟରେ ଶହ ଶହ ଦୁର୍ନୀତିଗ୍ରସ୍ତ ଅଧିକାରୀ ଅଛନ୍ତି। ତାଙ୍କୁ ସରକାର ଖୋଜିବା ଦରକାର। ସରକାର ନିଜ ଶାସନରେ ସ୍ବଚ୍ଛତା ଆଣିବାକୁ ଯଦି ଚାହାନ୍ତି, ତା’ହେଲେ ସରକାରୀ ଚାକିରିଆଙ୍କ କର୍ତ୍ତବ୍ୟ ଓ ସଂପତ୍ତି ଉପରେ ନଜର ରଖିବାକୁ ମଧ୍ୟ ବୁଦ୍ଧିଜୀବୀ ମତ ଦିଅନ୍ତି। ତେବେ ସୋସିଆଲ ମିଡିଆରେ ଆହୁରି ଅନେକ ୟୁଜର୍ସଙ୍କ କହିବା ଅନୁସାରେ ମାନସୀ କୋର୍ଟଙ୍କ ଦ୍ବାରସ୍ଥ ହୋଇ ପୁଣି ଥରେ ଚାକିରି କରିବା ବଡ଼ କଥା ନୁହେଁ। ମାନସୀଙ୍କ ସହିତ ଆହୁରି ଅନ୍ୟମାନେ ମଧ୍ୟ ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଆଶା କରାଯାଉଛି। ବିଦ୍ଧିବଦ୍ଧ ଭାବେ ତଦନ୍ତ ହେଲେ, ତାହା ଜଣାପଡ଼ିପାରେ।
ଚତୁର ମାନସୀ
ଗତ ମେ’ ମାସ ୧୨ ତାରିଖର ଘଟଣା। ଦୁର୍ନୀତି ଘଟଣାରେ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ସଂପୃକ୍ତ ଅଧିକାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ବରଗଡ଼ ନିବାସୀ ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ମାନସୀ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଲାଞ୍ଚ ମାଗିଥିବା ଟଙ୍କା ଦେବାବେଳେ ଓଡ଼ିଶା ଭିଜିଲାନ୍ସର ଆଭ୍ୟନ୍ତରୀୟ ୟୁନିଟ୍(ଆଇଭିୟୁ) ହାତରେ ମାନସୀ ଧରାପଡ଼ି ଯାଇଥିଲେ। ମାନସୀ ବହୁତ ଚତୁରତାର ସହିତ ଟଙ୍କା ନେଇଥିଲେ। ଟଙ୍କାକୁ ସେ ପ୍ରତକ୍ଷ୍ୟ ଭାବେ ନ ନେଇ ମୁକେଶ ମାଧ୍ୟମରେ ନେଉଥିଲେ। ରାସାୟନିକ ପ୍ରଲେପ ଦିଆ ଏହି ଟଙ୍କା ସବୁକୁ ଭିଜିଲାସ୍ ଅଧିକାରୀମାନେ ଜବତ କରିଥିଲେ।
ଗ୍ରାସ କରୁଛି ଦୁର୍ନୀତି
ଦୁର୍ନୀତି ରୋକିବା ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ମୋ ସରକାର ଓ ୫-ଟି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତି ହଟାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କହୁଛନ୍ତି। କିନ୍ତୁ ଦୁର୍ନୀତି କିଭଳି ଭାବରେ ମାଡ଼ିଚାଲିଛି, ମୁଖ୍ୟମନ୍ତ୍ରୀଙ୍କୁ ତାହା ଦେଖାଯାଉନାହିଁ। ପ୍ରତିକାମରେ ଦୁର୍ନୀତିର ଚେର ଲମ୍ବିଛି। ଲାଞ୍ଚ ବିନା କୌଣସି କାମ ସହଜରେ ହେଉନାହିଁ। କିରାଣୀ ଠାରୁ ଆରମ୍ଭ କରି ସଚିବସ୍ତରରେ ଲାଞ୍ଚ କାରବାର ହେଉଛି। ଲାଞ୍ଚ କାରବାରରେ ଜନପ୍ରତିନିଧି ମଧ୍ୟ କମ୍ ନୁହଁନ୍ତି। ସରକାରଙ୍କ ଯୋଜନାରେ ସାମିଲ ହେବାକୁ ହେଲେ ଜନପ୍ରତିନିଧିଙ୍କୁ ହାତଗଂଜା ଦେବାକୁ ପଡୁଛି।
ଦୁଇ ବିଇଓ ଭିଜିଲାନ୍ସ ଜାଲରେ
ଭିଜିଲାନ୍ସ ଜାଲରେ କ୍ରମାଗତ ଭାବେ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପଡ଼ିଛନ୍ତି। ଉଭୟ ଅଧିକାରୀ ୫-୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଦରମା ରିଲିଜ୍ ପାଇଁ ଜନୈକ ଶିକ୍ଷକଙ୍କ ଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାଲିଆର ପୋଇଲୋଠାରେ ଥିବା ଅଭିଯୁକ୍ତ ବିଇଓଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଧରିଛି। ଜଣେ ସହକାରୀ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍ ଶିକ୍ଷା ଅଧିକାରୀ ରଂଜିତ ଭୋଇ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ୫ ହଜାର ଲାଞ୍ଚ ଟଙ୍କା ଟଙ୍କା ସହ ସେ ଧରାପଡ଼ିଥିଲେ।