ଭୁବନେଶ୍ବର: ଇସ୍ରାଏଲ ଓ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ‘ହମାସ’ ମଧ୍ୟରେ ଜାରି ଥିବା ଯୁଦ୍ଧରେ ବୁଧବାର ଦିନ ପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହି ଭୟଙ୍କର ଯୁଦ୍ଧରେ ମହିଳା, ଶିଶୁ ଓ ରୋଗୀମାନେ ମଧ୍ୟ ଶିକାର ହୋଇଛନ୍ତି। ହମାସ୍ ଗୋଷ୍ଠୀ ଦ୍ବାରା ଇସ୍ରାଏଲରେ ହୋଇଥିବା ବର୍ବର ଆକ୍ରମଣର ପାଲଟା ଜବାବ ଦେଇ ଇସ୍ରାଏଲ ଗାଜା ଷ୍ଟ୍ରିପ୍କୁ ଛାରଖାର କରିଚାଲିଛି। ଇସ୍ରାଏଲର ପ୍ରବଳ ପ୍ରତିରୋଧ ଭିତରେ ବି ହମାସ୍ ଯୁଦ୍ଧକୁ ଅଧିକ ଭୟଙ୍କର କରିବାରେ ସମର୍ଥ ହୋଇଛି। ଏହି ଯୁଦ୍ଧ ସମଗ୍ର ବିଶ୍ବ ପାଇଁ ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରୁଷିଆ ସହିତ ୟୁକ୍ରାଇନ୍ ଯୁଦ୍ଧ ୨୦୨୨ ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିଲେ ବି ଏହା ଏପର୍ଯ୍ୟନ୍ତ ଜାରି ରହିଛି। ପୁଣି ଆଉ ୨ଟି ଦେଶ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଦରବୃଦ୍ଧି ଘଟିବା ନେଇ ଚିନ୍ତା ବଢ଼ିଛି।
ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ଗାଜା ଉପରେ ଇସ୍ରାଏଲୀ ବିମାନ ଆକ୍ରମଣ ଯୋଗୁଁ ୭୯୦ ଘର ମାଟିରେ ମିଶିଯାଇଛି। ୫,୩୩୦ ଘର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ସୋମବାର ଦିନ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆକ୍ରମଣ ପରେ ଲକ୍ଷାଧିକ ଲୋକ ଗାଜାରେ ସେମାନଙ୍କ ଘର ଛାଡ଼ି ଦେଇଛନ୍ତି। ୧୩୭,୦୦୦ ଲୋକ ଏବେ ଘର ଛାଡ଼ି ଆଶ୍ରୟସ୍ଥଳରେ ରହୁଛନ୍ତି ବୋଲି ଜାତିସଂଘ ସଂସ୍ଥା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ହମାସ କହିଛି ଏହା ଦୀର୍ଘକାଳୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି।
ଭାରତୀୟ ସଂସ୍ଥା ପ୍ରଭାବିତ
ଭାରତ ଓ ଇସ୍ରାଏଲର ସଂପର୍କ ବହୁ ପୁରୁଣା। ଏହି ଯୁଦ୍ଧ ଫଳରେ ଭାରତ ଆର୍ଥିକ ରୂପେ ପ୍ରଭାବିତ ହେବ। ଏହା ସୁନିଶ୍ଚିତ। ବିଶେଷଜ୍ଞଙ୍କ ଅନୁସାରେ ଭାରତୀୟ କଂପାନିମାନେ ବୀମା ପ୍ରିମିୟମ ଓ ସିପିଂ କ୍ଷେତ୍ରରେ ସର୍ବାଧିକ ପ୍ରଭାବିତ ହେବେ। ଇସ୍ରାଏଲ୍ରେ ମେଡିକାଲ ଯନ୍ତ୍ରପାତି ନିର୍ମାଣ ହେଉଛି, ଯାହାକି ଭାରତୀୟ ଡାକ୍ତରଖାନାଗୁଡ଼ିକ ଆମଦାନୀ କରିଥାଏ। ସେହିପରି ଇସ୍ରାଏଲ ସହିତ ଭାରତର ଟେକ୍ନୋଲୋଜି ଆଦାନପ୍ରଦାନ ହୋଇଥାଏ। ଭାରତୀୟ କଂପାନି ସନ୍ ଫାର୍ମା, ଟିସିଏ୍, ଟେକ୍ ମହିନ୍ଦ୍ରା, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଲ୍ଆଣ୍ଡଟି ଓ ଇନଫୋସିର କାର୍ଯ୍ୟାଳୟ ଇସ୍ରାଏଲରେ କାର୍ଯ୍ୟ କରୁଛି। ସେହିପରି ଇସ୍ରାଏଲର କଂପାନି ଭାରତରେ ସୌରଶକ୍ତି, ରିୟଲ ଇଷ୍ଟେଟ, ୱାଟର ଟେକ୍ନୋଲୋଜି ଏବଂ ଆରଆଣ୍ଡଡି ଉପରେ ବିନିଯୋଗ କରୁଛି। କେବଳ ସେତିକି ନୁହେଁ ଇସ୍ରାଏଲ ନାଗରିକମାନେ ଭାରତୀୟ ଶିକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାରେ ଭୂମିକା ରଖିଛନ୍ତି।
ଇସ୍ରାଏଲକୁ ବିଦେଶୀ ରାଷ୍ଟ୍ରର ସମର୍ଥନ
ଯୁଦ୍ଧ ଜାରି ଥିବା ବେଳେ ଇସ୍ରାଏଲକୁ ଦୃଢ଼ ସମର୍ଥନ ଏବଂ ହମାସକୁ କଡ଼ା ନିନ୍ଦା କରିଛନ୍ତି ବ୍ରିଟେନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନ୍ସେଲର ଓଲାଫ୍ ସ୍କଲ୍ଜ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପରସ୍ପର ସହ ଆଲୋଚନା କରିବା ପରେ ଇସ୍ରାଏଲ ସମର୍ଥନରେ ମିଳିତ ବିବୃତି ଜାରି କରିଛନ୍ତି। ଏଥିରେ କୁହାଯାଇଛି, ‘ଆମେ ଏହା ସ୍ପଷ୍ଟ କରୁଛୁ ଯେ ହମାସ ଆତଙ୍କବାଦୀ ଆକ୍ରମଣର କୌଣସି ଯଥାର୍ଥତା ନାହିଁ କି କୌଣସି ବୈଧତା ନାହିଁ। ଏହାକୁ ସର୍ବସାଧାରଣରେ ନିନ୍ଦା କରାଯିବା ଉଚିତ। ଆତଙ୍କବାଦ ପାଇଁ କୌଣସି ଯୁକ୍ତି ଗ୍ରହଣୀୟ ହେବନାହିଁ। ବର୍ବର ହମାସ ଆକ୍ରମଣକୁ ସାରା ବିଶ୍ବ ଦେଖୁଛି। ଏଭଳି ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାକୁ ଆମ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିବ ବୋଲି ଏହି ମିଳିତ ବିବୃତିରେ କୁହାଯାଇଛି।
ଇସ୍ରାଏଲକୁ ଭାରତର ସମର୍ଥନ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ମୋଦୀ ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତି, ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କୁ ଯୁଦ୍ଧ ସ୍ଥିତି ସଂକ୍ରାନ୍ତରେ ଅବଗତ କରିଛନ୍ତି। ଭାରତୀୟମାନେ ଏଭଳି ଜଟିଳ ସ୍ଥିତି ସମୟରେ ଇସ୍ରାଏଲ ସହ ଅଛନ୍ତି। ଭାରତ ଆତଙ୍କବାଦକୁ ଏହାର ସମସ୍ତ ରୂପରେ ଅତ୍ୟନ୍ତ ଦୃଢ଼ ଭାବେ ନିନ୍ଦା କରୁଛି। ମୋଦୀଙ୍କ ସମର୍ଥନର ଜବାବ ଦେଇ ଇସ୍ରାଏଲ ବିଦେଶ ମନ୍ତ୍ରାଳୟ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି। ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ସମର୍ଥନ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ ହୋଇଛି । ନିଜର ବଢୁଥିବା ବିଶ୍ୱସ୍ତରୀୟ ପ୍ରତିଷ୍ଠା ଏବଂ ପ୍ରଭାବ ଯୋଗୁଁ ଇସ୍ରାଏଲ-ହମାସ ଯୁଦ୍ଧ ସଙ୍କଟର ଅବସାନ ଦିଗରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସକ୍ଷମ ବୋଲି ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ଅଦନାନ ଅବୁ ଅଲହାଇଜା କହିଛନ୍ତି ।
ଇସ୍ରାଏଲରେ ୫୦ ଓଡ଼ିଆ ଛାତ୍ରୀ
ଇସ୍ରାଏଲ-ହମାସ ଯୁଦ୍ଧ ଜାରି ଥିବା ବେଳେ ଓଡ଼ିଆ ଲୋକଙ୍କର ଚିନ୍ତା ବଢ଼ିଛି। ଏହି ଯୁଦ୍ଧ ଭିତରେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଇସ୍ରାଏଲ୍ର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ଜଣ ଓଡ଼ିଆ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି ବୋଲି ଇସ୍ରାଏଲରେ ଗବେଷଣାରତ ରାଉରକେଲାର ଜଣେ ଛାତ୍ରୀଙ୍କ ସୂଚନା ଦେଇଛନ୍ତି। ସୀମା ଅଞ୍ଚଳରେ ସଂପ୍ରତି ଯୁଦ୍ଧ ଲାଗି ରହିଥିବାବେଳେ ଅନ୍ୟ ସବୁ ଅଞ୍ଚଳ ଶାନ୍ତ ରହିଛି। ଯୁଦ୍ଧ ଯୋଗୁଁ ଛାତ୍ରଛାତ୍ରୀ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଘରେ ହିଁ ରହୁଛନ୍ତି। ଓଡ଼ିଆ ଛାତ୍ରୀ ଅର୍ପିତା ପଣ୍ଡା ସଂପ୍ରତି ଇସ୍ରାଏଲର ୱେଷ୍ଟ୍ବ୍ୟାଙ୍କରେ ଅବସ୍ଥିତ ଏରିଏଲ ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନରେ ଗବେଷଣା କରୁଛନ୍ତି। ଅର୍ପିତା ଇସ୍ରାଏଲରେ ୨ ବର୍ଷ ୮ ମାସ ରହି ସାରିଲେଣି। ଆଉ ବର୍ଷେ ୪ ମାସ ପରେ ତାଙ୍କ ଗବେଷଣା ଶେଷ ହେବ। ଦଶହରା ଛୁଟି ପାଇଁ ଅକ୍ଟୋବର ୧୬ରେ ଘରକୁ ଆସିବାକୁ ସେ ଟିକଟ୍ କରିଥିଲେ। କିନ୍ତୁ ୧୪ ତାରିଖ ଯାଏ ବିମାନ ସେବା ବନ୍ଦ କରାଯାଇଥିବାରୁ ସେ ଓଡ଼ିଶା ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।