ଭୁବନେଶ୍ବର: ଜମ୍ମୁ-କଶ୍ମୀରର ରାମ୍ବନ ଜିଲ୍ଲା ଅନ୍ତର୍ଗତ ଖୋନି ନାଲା ନିକଟ ରାଜପଥରେ ନିର୍ମାଣ ହେଉଥିବା ଟି -୩ର ଅଡିଟ୍ ଟନେଲର କିଛି ଅଂଶ ଗତବର୍ଷ ମେ’ ମାସ ୧୯ ତାରିଖ ରାତି ପ୍ରାୟ ୧୦.୧୫ ଭୁଶୁଡି ପଡ଼ିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଦେଶବାସୀ ଭୁଲି ପାରି ନଥିବା ବେଳେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ିଛି। ନିର୍ମାଣାଧୀନ ପ୍ରକଳ୍ପ ଭୁଶୁଡ଼ିବା କାରଣରୁ ୫ ଜଣ ଓଡ଼ିଆଙ୍କ ସମେତ ଏଠାରେ ୪୦ ଜଣ ଫସିଛନ୍ତି। ସୁଡ଼ଙ୍ଗ ଭିତରେ ଫସିଥିବା ଟେକ୍ନିକାଲ କର୍ମଚାରୀ ଓ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅନ୍ତର୍ଜାତୀୟ ସଂସ୍ଥା ମଧ୍ୟ ନିୟୋଜିତ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯିବା ନେଇ ସୁନିଶ୍ଚିତ ହୋଇପାରୁ ନାହିଁ। ସୁଡ଼ଙ୍ଗ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ଆଙ୍ଗର ମେସିନ ଶୁକ୍ରବାର ପହଞ୍ଚି।
ଅତ୍ୟାଧୁନିକ ଜ୍ଞାନ କୌଶଳର ଅଭାବ
ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂରିଛି। କିନ୍ତୁ ଯେତେବେଳେ କୌଣସି ବଡ଼ଧରଣର ବିପର୍ଯ୍ୟୟ ବା ଦୁର୍ଘଟଣା ଘଟୁଛି, ସେହି ସମୟରେ ଆମ ପାଖରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଅଭାବ ଦେଖାଯାଉଛି। ଆମ ଦେଶରେ ଅତ୍ୟାଧୁନିକ ମେସିନ ସାମଗ୍ରୀର ଅଭାବ ଥିବାରୁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡୁଛି। ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଆମ ଦେଶରେ ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବ କାରଣରୁ ଲୋକମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ସୁଡ଼ଙ୍ଗରୁ ଉଦ୍ଧାର ପାଇଁ ଆରମ୍ଭରୁ ଏକ ଛୋଟ ମେସିନ ବ୍ୟବହାର କରାଯାଇଥିଲା। ଏହା ପରେ ଆଇଏଏଫର ସି-୧୩୦ ହରକ୍ୟୁଲିସ ବିମାନରେ ଆମେରିକୀୟ ଆଙ୍ଗର ମେସିନର ଯନ୍ତ୍ରାଂଶକୁ ଉତ୍ତରକାଶୀ ଅଣାଯାଇଛି। ୨୫ ଟନ୍ର ଏହି ମେସିନକୁ ଖଂଜିବା ପାଇଁ ପ୍ରାୟ ୧୨ ଘଣ୍ଟା ଲାଗିଥିବା ବେଳେ ଲୋକଙ୍କୁ ଏବେ ସହଜରେ ଉଦ୍ଧାର କରାଯାଇ ପାରିବ ବୋଲି ଆଶା କରାଯାଉଛି।
ଉତ୍ତରକାଶୀ ସୁଡ଼ଙ୍ଗ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଗତ ୧୨ ତାରିଖ ଦିନ ସକାଳ ସାଢ଼େ ୫ଟାରେ ଭୁଶୁଡ଼ି ପଡ଼ିଥିଲା। ଉତ୍ତରାଖଣ୍ଡର ‘ଚାରଧାମ’କୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଯମୁନେତ୍ରୀ ଜାତୀୟ ରାଜପଥରେ ଏହାର ନିର୍ମାଣ କାମ ଜାରି ରହିଥିଲା। ନିର୍ମାଣ କାମରେ ୪୦ ଜଣ ଲୋକ କାମ କରୁଥିଲେ, ଯେଉଁଥିରେ କି ୫ ଜଣ ଓଡ଼ିଆ ମଧ୍ୟ ଥିଲେ। ତେବେ କୌଣସି କାରଣରୁ ଟନେଲ ଭୁଶୁଡ଼ି ଯିବା ପରେ ଖରାପ ପରିସ୍ଥିତ ଉପୁଜିଥିଲା। ସେବେ ଠାରୁ ଏନଡିଆରଏଫ, ଏସ୍ଡିଆରଏଫ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କେନ୍ଦ୍ର ସରକାର, ରାଜ୍ୟସରକାର, ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନଙ୍କର ମୁଣ୍ଡ ବ୍ୟଥା ପାଲଟିଛି।
ସୁଡ଼ଙ୍ଗରେ ଫସିଲେ ୫ ଓଡ଼ିଆ
ଉତ୍ତରକାଶୀରେ ଭୁଶୁଡ଼ିଥିବା ସୁଡ଼ଙ୍ଗ ତଳେ ୫ ଜଣ ଓଡ଼ିଆ ଫସିରହିଛନ୍ତି। ଏଥିରୁ ୩ଜଣଙ୍କ ଘର ମୟୂରଭଞ୍ଜ ଏବଂ ଅନ୍ୟ ୨ଜଣ ନବରଙ୍ଗପୁର ଜିଲାର ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ବ୍ଲକ ଚନ୍ଦନପୁର ପଞ୍ଚାୟତ ଅନ୍ତର୍ଗତ ବେଢ଼ାକୁଦର ଗ୍ରାମର ଧୀରେନ ନାଏକ, ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ ଏବଂ ତିରିଂ ବ୍ଲକ କୁଳଦିଆ ବଡ଼କେଡମ ଗ୍ରାମର ରାଜୁ ନାଏକ ଦୁର୍ଘଟଣାର ସାମ୍ନା ହୋଇଛନ୍ତି। ସେହିପରି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ତାଲବେଡ଼ା ଗ୍ରାମର ଭଗବାନ ଭତରା ଓ ଜିଲ୍ଲାର ଅନ୍ୟ ଜଣେ ଯୁବକ ତପନ ମଣ୍ଡଳ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଟନେଲ ଧସିଯିବା ଏକ ଘଣ୍ଟା ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ପାରସ ଧନୁଆର ଅନ୍ୟ ୫ ଜଣ ଶ୍ରମିକ ବାହାରକୁ ବାହାରି ପଡ଼ିଥିଲେ ଏବଂ ଟନେଲ ରେ ଫସିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।