ଭୁବନେଶ୍ୱର: କରୋନା ଭାଇରସ ଟିକାକରଣ ଉତ୍ସାହ ଓ ବିରୋଧ ମଧ୍ୟ ଦେଖାଯାଇଛି । ଟିକାକରଣ ଅଭିଯାନର ପ୍ରଥମ ଦିନରେ ଦେଶରେ ୧ କୋଟି ୯୧ ହଜାର ୧୮୧ କରୋନା ଯୋଦ୍ଧା ଟିକା ନେଇଛନ୍ତି। ରାଜ୍ୟରେ ୮୫ ପ୍ରତିଶତ ଅର୍ଥାତ ୧୩ ହଜାର ୯୮୦ ଲୋକ ଟିକା ନେଇଛନ୍ତି। ରାଜ୍ୟରେ ଆଜି ୧୬ ହଜାର ୪୦୫ ଜଣଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା। ଟିକା ନେବା ପରେ କୌଣସି ସ୍ଥାନରେ ସେଭଳି କିଛି ବଡ଼ ଧରଣର ବିପର୍ଯ୍ୟୟ ଦେଖାଯାଇ ନାହିଁ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ୫ଟି ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ହୋଇଛି। ସେଗୁଡ଼ିକ ହେଲା ଭଦ୍ରକ, କୋରାପୁଟ, ଅନୁଗୁଳ, ବାଲେଶ୍ୱର ଓ କନ୍ଧମାଳ। ସୁବର୍ଣ୍ଣପୁରରେ ସର୍ବନିମ୍ନ ଟିକାକରଣ ହୋଇଛି। ଏକଦା କରୋନା ଭାଇରସ ମହାମାରୀ ପାଇଁ ଗଂଜାମ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲା ଚର୍ଚ୍ଚାକୁ ଆସିଥିଲା। ଏହି ଜିଲ୍ଲା ଗୁଡ଼ିକରେ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କରୋନା ଲକଡାଉନ୍, ସଟଡାଉନ୍କୁ ଏହି ଜିଲ୍ଲାଗୁଡ଼ିକରେ ଅଧିକ କଡ଼ାକଡ଼ି କରି ଦିଆଯାଇଥିଲା। ଫଳରେ ଏଠାରେ ଟିକାକରଣର ପ୍ରତିଶତ ଅଧିକ ହୋଇଛି। ରାଜ୍ୟରେ କରୋନା ପଜିଟିଭ ବ୍ୟକ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଭୁବନେଶ୍ୱର ଯୁବକ ଚିହ୍ନଟ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଶେଷରେ ପହଂଚିଥିଲା।
ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ୩୦ଟି ଜିଲ୍ଲାରେ ୧୬୧ ଗୋଟି ଟିକାଦାନ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଶୁଭାରମ୍ଭ କରିବା ପରେ ଓଡ଼ିଶାରେ ପୂର୍ବାହ୍ନ ୧୧ଟାରୁ ଏହା ଆରମ୍ଭ ହୋଇଥିଲା। ରାତି ୮ଟା ଯାଏଁ କରୋନା ଯୋଦ୍ଧା ଉତ୍ସାହର ଟିକା ନେଇଥିଲେ ନ ହେଲେ ୮୫ ପ୍ରତିଶତ ଯାଏଁ ପହଂଚି ପାରି ନଥାନ୍ତା।
ରାଜ୍ୟରେ କେବଳ ଜଣଙ୍କର ପାର୍ଶ୍ୱ ପ୍ରତିକ୍ରିୟା
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କହିବା ଅନୁସାରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୩୮ ହଜାର ଟିକା ନେବା ପାଇଁ ପଞ୍ଜିକରଣ କରିଛନ୍ତି। ଗତକାଲି ସଫଳତାର ସହିତ ଟିକାକରଣ ହୋଇଥିବା ଜାନୁଆରୀ ୧୭ ତାରିଖରେ ଟିକା ଦିଆଯିବ ନାହିଁ। ସୋମବାର ଠାରୁ ପୁଣି ଟିକାକରଣ କାର୍ଯ୍ୟକ୍ରମ ଶନିବାର ଯାଏଁ ଜାରି ରହିବ। ସୁରୁଖୁରରେ ଟିକାଦାନ ପ୍ରକ୍ରିୟା ହୋଇଛି। କିନ୍ତୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଜଣେ ବ୍ୟକ୍ତିଙ୍କ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି।
୩୫ ସ୍ୱାସ୍ଥ୍ୟ କର୍ମୀ ଟିକାକୁ ବହିଷ୍କାର
ସମଗ୍ର ଦେଶ ସହିତ ରାଜ୍ୟରେ କରୋନା ଟିକାକରଣ ଉତ୍ସାହର ସହିତ ଅନୁଷ୍ଠିତ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ରେ ସିଏଚ୍ସିରେ କାର୍ଯ୍ୟରତ ୩୫ ଜଣ ଏଏନ୍ଏମ୍, ଏମ୍ ପିଏଚ୍ଡବ୍ଲୁ ପ୍ରମୁଖ ସ୍ୱାସ୍ଥ୍ୟ କର୍ମଚାରୀ ଟିକାକୁ ସ୍ୱୀକାର କରି ନାହାନ୍ତି। ସେମାନଙ୍କର ଅଭିଯୋଗ ହେଲା ଯେ, ତାଙ୍କୁ ସରକାରଙ୍କ ଅବହେଳା ପ୍ରଦର୍ଶନ କରିଛନ୍ତି। ଏମାନେ ଟିକା ନ ନେଇ କଳାବ୍ୟାଜ୍ ପିନ୍ଧି ନିଜର କାମ କରିଥିଲେ। କିନ୍ତୁ ସେବା ଦେବାରେ ଅବହେଳା ପ୍ରଦର୍ଶନ କରି ନଥିଲେ। ଏଥି ସହିତ ସରକାର ତାଙ୍କ ପ୍ରତି ଉଦାସୀନ ମନୋଭାବ ପ୍ରତିପୋଷଣ କରିଥିବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। କାର୍ଯ୍ୟରତ କର୍ମଚାରୀମାନେ ଲିଖିତ ଭାବେ ଏକ ଦାବିପତ୍ର କୁତ୍ରା ସିଏଚ୍ସିର ଅଧିକାରୀଙ୍କୁ ପ୍ରଦାନ କରିଥିଲେ।
ଦିଲ୍ଲୀରେ ୫୨ ଜଣଙ୍କ ଠାରେପାର୍ଶ୍ୱ ପ୍ରତିକ୍ରିୟା
ଦିଲ୍ଲୀରେ କରୋନା ଟିକା ନେବା ପରେ ୫୨ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା । ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ଦିଲ୍ଲୀରେ ମୋଟ ୮୧୧୭ ଜଣଙ୍କୁ ଟିକା ଦିଆଯିବାର ଥିଲା । ସେଥିରୁ ୪୩୧୯ ଜଣ ହିତାଧିକାରୀ ଟିକା ନେଇଥିଲେ । ଦିଲ୍ଲୀର ୧୧ଟି ଜିଲ୍ଲା ମଧ୍ୟରୁ ୨ଟି ଜିଲ୍ଲାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଛି । ଉତ୍ତର ଦିଲ୍ଲୀ ଜିଲ୍ଲାରେ ଜଣେ, ଦକ୍ଷିଣ-ପୂର୍ବରେ ୫ ଜଣ, ଉତ୍ତର-ପଶ୍ଚିମରେ ୪ ଜଣ, ପୂର୍ବ ଦିଲ୍ଲୀରେ ୬ ଜଣ, ସେଣ୍ଟ୍ରାଲରେ ୨ ଜଣ, ଦକ୍ଷିଣରେ ୧୧ ଜଣ, ନୂଆଦିଲ୍ଲୀରେ ୫ ଜଣ, ଦକ୍ଷିଣ-ପଶ୍ଚିମରେ ୧୧ ଜଣ ଓ ପଶ୍ଚିମରେ ୬ ଲୋକଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା ।
ଫାଇଜର ଟିକା ନେଇ ୨୯ ଜଣଙ୍କର ମୃତ୍ୟୁ!
ଫାଇଜର ଟିକା ନେଇ ଏପର୍ଯ୍ୟନ୍ତ ମୋଟ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ନରୱେରେ ଏହି ଟିକା ଯୋଗୁଁ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଲା । ପୂର୍ବରୁ ପର୍ତ୍ତୃଗ୍ରୀଜରେ ଜଣେ ନର୍ସ ଓ ଆମେରିକାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଫାଇଜର ଟିକା ଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥିବା ଖବରକୁ କଂପାନୀ ଖଣ୍ଡନ କରିଥିଲା ।