Friday, February 7, 2025
Homeଉପନିର୍ବାଚନ ପୂର୍ବରୁ ପିପିଲି-ଡେଲାଙ୍ଗକୁ ମିଳିଲା ପ୍ୟାକେଜ୍‌
Array

ଉପନିର୍ବାଚନ ପୂର୍ବରୁ ପିପିଲି-ଡେଲାଙ୍ଗକୁ ମିଳିଲା ପ୍ୟାକେଜ୍‌

ଭୁବନେଶ୍ୱର: ଅଳ୍ପ କିଛି ମାସ ପରେ ପୁରୀ ଜିଲ୍ଲା ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ପାଇଁ ନିର୍ବାଚନ ହେବ। ଉପନିର୍ବାଚନ ତାରିଖ ଘୋଷଣା ଯଦିଓ ଘୋଷଣା ହୋଇ ନାହିଁ, ତଥାପି ସ୍ଥାନୀୟ ଲୋକଙ୍କୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଅତୀତରେ ମଧ୍ୟ ଉପନିର୍ବାଚନ ହେବାକୁ ଥିବା ସ୍ଥାନଗୁଡ଼ିକରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ୟାକେଜ୍‌ ଘୋଷଣା କରିଥିଲେ।  ତେବେ ମତଦାତାଙ୍କୁ ଆକର୍ଷିତ କରିବା ଲାଗି ପ୍ୟାକେଜ ଘୋଷଣା ହେବା ବଡ଼ କଥା ନୁହେଁ । ଘୋଷଣା ହୋଇଥିବା ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ କରାଗଲେ ଲୋକେ ଅଧିକ ଉପକୃତ ହେବେ । ସରକାରଙ୍କ ଏହି ନିର୍ବାଚନ ପ୍ୟାକେଜ ସୂଚାଉଛି ଯେ, ଯେଉଁଠାରେ ଉପନିର୍ବାଚନ ହେବ, ସେହି ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିବ ।

ଉପନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୮ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଲାଗି ଘୋଷଣା କରିଛନ୍ତି। ଏହି ଟଙ୍କାରେ ରାସ୍ତାଘାଟ, ଜଳସେଚନ, ଷ୍ଟାଡିୟମ, ସେତୁ, ବସଷ୍ଟାଣ୍ଡ ଆଦି ବିଭିନ୍ନ ପ୍ରକଳ୍ପର ନିର୍ମାଣ ଓ ପୁନରୁଦ୍ଧାର କାମ କରାଯିବ। ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପାଳନ କରାଯାଇଛି। ସୂଚନାଯୋଗ୍ୟ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ। ସେ ୧୯୩୮ରେ ଡେଲାଙ୍ଗର ବେରବୋଇ ପହଂଚି ସେଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ପିପିଲିର ସ୍ୱର୍ଗତ ବିଧାୟକ ପ୍ରଦୀପ ମହରାଥୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ଜାତିର ପିତା ଗାନ୍ଧୀଜୀଙ୍କୁ ମନେ ପକାଇଥିଲେ। ବେରବୋଇଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା  ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ସେ କହିଥିଲେ, ସେ ସବୁବେଳେ ଗାଁ ର ବିକାଶ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ମହିଳା ଓ ଚାଷୀଙ୍କ କଲ୍ୟାଣକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଗରିବ ଲୋକଙ୍କ ମୁହଁରେ ହସ ଦେଖିଲେ ତାଙ୍କୁ  ସବୁଠାରୁ ଅଧିକ ଆତ୍ମତୃପ୍ତି ଲାଗିଥାଏ ବୋଲି କହିଥିଲେ।

ପିପିଲିର ବିକାଶରେ ପ୍ରଦୀପଙ୍କ ଭୂମିକା

ପୂର୍ବତନ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କୁ ପିପିଲିବାସୀ ଭୁଲିପାରି ନାହାନ୍ତି।  ଚାଷୀ ନେତାମାନେ ପରିଚିତ ପ୍ରଦୀପ ମହାରଥୀ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ପିପିଲି-ଡେଲାଙ୍ଗର ବିକାଶ ସହ ଯୋଡି ହୋଇ ରହିଥିଲେ। ଲୋକଙ୍କର ଭଲ-ମନ୍ଦ, ସୁଖ-ଦୁଃଖ ସବୁଥିରେ ସେ ସାଥି ହେଉଥିଲେ।  

ବିକାଶ ଉପରେ ସମସ୍ତଙ୍କ ଅଧିକାର ରହିଛି

ମୁଖ୍ୟମନ୍ତ୍ରୀ ନବୀନ ସବୁବେଳେ କହିଆସୁଛନ୍ତି ଯେ, ବିକାଶ ଉପରେ ସମସ୍ତଙ୍କର ଅଧିକାର ରହିଛି। ଗରିବ ଲୋକମାନଙ୍କର ହିଁ ବିକାଶ ଉପରେ ପ୍ରଥମ ଅଧିକାର ରହିଛି। ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ସାଧାରଣ ଲୋକ ତାର ହକ୍‌ ପାଇପାରିଲେ ପ୍ରକୃତରେ ବିକାଶ ହୋଇପାରିବ।

ରାସନକାର୍ଡ ବିତରଣ

ପିପିଲିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୭୬୧ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୩୦୫୯ ଜଣ ହିତାଧିକାରୀଙ୍କୁ ଭତ୍ତା ଏବଂ ଭିନ୍ନକ୍ଷମ ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଡେଲାଙ୍ଗଠାରେ ୩୨୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୧୨୩୦ ଜଣ ହିତାଧିକାରୀଙ୍କୁ ଭତ୍ତା ଏବଂ ୨୦ ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ  ବିତରଣ କରାଯାଇଥିଲା। 

ପ୍ୟାକେଜ ଘୋଷଣା କ୍ଷେତ୍ରରେ କେନ୍ଦ୍ର ବି ଆଗରେ

ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରନ୍ତି । ଅଥବା ବିକାଶାମୂଳକ ପ୍ରକଳ୍ପର ଲୋକାର୍ପଣ, ଉଦଘାଯନ, ଶୁଭାରମ୍ଭ ଓ ଶିଳାନ୍ୟାସ ଭଳି କାମ କରିଥାନ୍ତି । କିଛିମାସ ପରେ କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ସେ ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିଛନ୍ତି । ମୋଦୀ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଗତ ଲୋକସଭା ବଜେଟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ଭଲ ଆଥିର୍କ ପ୍ୟାକେଜର ବ୍ୟବସ୍ଥା କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments