ଭୁବନେଶ୍ୱର: ଆଗାମୀ ସପ୍ତାହରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ନିର୍ବାଚନର ମତଦାତା ମେ’ ୧୦ ତାରିଖରେ ଭୋଟ ଦେବେ । ନିର୍ବାଚନ ପାଇଁ ଏବେ ଶାସକ ବିଜେଡି ସହିତ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରୁଛି । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଗତ ଜାନୁଆରି ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଜଣେ ପୁଲିସ କର୍ମଚାରୀଙ୍କ ହତ୍ୟା ହେଲା ପରେ ଏଠାରେ ନିର୍ବାଚନ ହେଉଥିବାରୁ ବିଜେଡ଼ି ନିଜଗଡ଼କୁ ସୁରକ୍ଷିତ ରଖିବାକୁ ଚାହୁଁଛି । ସରକାରଙ୍କ ଦୁର୍ବଳତାକୁ ଆଧାର କରି ବିଜେପି ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବା ବେଳେ କଂଗ୍ରେସ ନିଜ ଗଡ଼କୁ ଫେରିପାଇବାକୁ ଯୋଜନା କରୁଛି । ଏସବୁ ଭିତରେ ବିଜେଡି ସୁପ୍ରିମୋ ଝାରସୁଗୁଡ଼ାର ବଡ଼ ସଂପ୍ରଦାୟ ‘ଅଗ୍ରିଆ’ ସମାଜକୁ ଆକର୍ଷିତ କରିବା ପାଇଁ ଗୋଟି ଖେଳିଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ଅଗ୍ରିଆ ସମାଜର ଭୋଟ୍ ହେଉଛି ପାଖାପାଖି ୩୦ ପ୍ରତିଶତ ।
ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଗୋଷ୍ଠୀ କୁହାଯାଉଥିବା ଅଗ୍ରିଆ ସମାଜକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଏକ ଅଧ ଏକର ଜମି ପ୍ଲଟ ଓ ଏଠାରେ ସେମାନଙ୍କର କାର୍ଯ୍ୟାଳୟ ନିର୍ମାଣ ପାଇଁ ୩ କୋଟି ଟଙ୍କା ମଂଜୁର କରିଛନ୍ତି । ଏନେଇ ସେ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଥିକ ରାଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକେ ମୁଖ୍ୟତଃ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ବସବାସ କରନ୍ତି । ସେମାନେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଭୁବନେଶ୍ୱରରେ ଏକ ଜାଗା ଦେବାକୁ ଅନୁରୋଧ କରିଥିଲେ ।
ଓଡ଼ିଶାରେ ୧୨୦୦୦ ଜାତି
ଦେଶରେ ମୋଟ ୩୦୦୦ ଜାତି ଓ ୨୫୦୦୦ ଉପଜାତି ଅଛନ୍ତି । ଓଡ଼ିଶାରେ ୧୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଜାତି ଦେଖିବାକୁ ମିଳିଥାନ୍ତି । ରାଜ୍ୟ ସରକାର ଏହାକୁ ୫ଟି ବର୍ଗ (ସାଧାରଣ, ଓବିସି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ସାମାଜିକ ଓ ଆର୍ଥିକ ଭାବେ ପଛୁଆ)ରେ ଭାଗ କରିଛନ୍ତି । ସାଢ଼େ ୪ କୋଟି ଲୋକଙ୍କୁ ନେଇ ରାଜ୍ୟର ଜନସଂଖ୍ୟା ଗଠିତ । ଭୁବନେଶ୍ୱରରେ ରହିବାକୁ ଅନେକ ଲୋକଙ୍କ ଆଗ୍ରହ । ଦ୍ରୁତଗତିରେ ବିକାଶ କରୁଥିବା ଭୁବନେଶ୍ୱରରେ ଏକ ଘର ନିର୍ମାଣ କରିବା ସମସ୍ତଙ୍କର ଆଗ୍ରହ । କିନ୍ତୁ ସମସ୍ତଙ୍କ ପକ୍ଷୋ ଏହା ସମ୍ଭବ ହୋଇନଥାଏ । ବିଗତ କିଛି ମାସ ହେଲା ଭୁବନେଶ୍ୱରରେ କିଛି ସାମାଜିକ ଗୋଷ୍ଠୀ ନିଜର ଆବାସ କରିବାକୁ ଚାହୁଁଛନ୍ତି । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ସ୍ୱତନ୍ତ୍ର ସମାଜରେ ବସବାସ କରୁଥିବା ଗୋଷ୍ଠୀଙ୍କୁ ଭୁବନେଶ୍ୱର ଓ ପୁରୀରେ ଜମି ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ରାଶି ଯୋଗାଇ ଦେଇଛନ୍ତି । ତେବେ ସବୁ ଜାତିର ସମାଜ ଗୃହ ନିର୍ମାଣ କରିବା ପାଇଁ ଭୁବନେଶ୍ୱରରେ ଜମି ଓ ଟଙ୍କା ମିଳିବା ସହଜ ନୁହେଁ । କିନ୍ତୁ ଯଦି ଉପନିର୍ବାଚନ ହେବ, ତାହେଲେ ସମ୍ଭବ । ଅର୍ଥାତ ଯଦି ଏକ ନିର୍ଦ୍ଦିଷ୍ଟ ସମାଜର ଭୋଟ୍ ସଂଖ୍ୟା ଲକ୍ଷାଧିକ ରହୁଛି, ତାହେଲେ ନବୀନ ସରକାର ଜାଗା ଓ ଟଙ୍କା ଦେଇବାରେ ଅଦୌ କୁଣ୍ଠାବୋଧ କରିବେ ନାହିଁ ।
ପଦ୍ମପୁର ଉପନିର୍ବାଚନ
ପଦ୍ମପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଲତା ସମାଜର ଲୋକଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ୧ ଏକର ଜମି ମଂଜୁର କରିଥିଲେ । ପୁରୀର ସୁନାମୁହିଁ ମୌଜାରେ ଏହି ଭବନ ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ଏଥି ପାଇଁ ୩ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି । ସବୁଠାରୁ ବଡ଼କଥା ହେଲା ଯେ, କୁଲତା ସମାଜର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ୨୦୨୨ ମସିହା ନଭେମ୍ବର ୨୮ ତାରିଖରେ ଭେଟିଥିଲେ । ଦିନକ ପରେ ଅର୍ଥାତ ନଭେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଦାବି ପୂରା କରିଥିଲେ ଏବଂ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ୱଭାବ କବିଙ୍କ ସ୍ମୁତିରେ ଭବନ
ସ୍ୱଭାବ କବି ଗଙ୍ଗାଧର ମେହେର ହେଉଛନ୍ତି ଓଡ଼ିଆ ଜାତିର ଗର୍ବ ଓ ଗୌରବ । ତାଙ୍କର ସୃଷ୍ଟି ସାରସ୍ୱତ ପ୍ରତିଭା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି । କେବଳ ଓଡ଼ିଆ ନୁହେଁ । ବରଂ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି । ଏଥି ପାଇଁ ସରକାର ତାଙ୍କ ସ୍ମୁତିରେ ଭୁବନେଶ୍ୱରରେ ଏକ ଭବନ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ୨୦୨୪ ମାର୍ଚ୍ଚରେ ଶତବାର୍ଷିକୀକୁ ଭବ୍ୟ ଆକାରରେ ପାଳନ କରିବା ପାଇଁ ଯୋଜନା କରୁଛନ୍ତି । ସରକାର ଏହି ନିଷ୍ପତ୍ତି ସେତେବେଳେ ଘୋଷଣା କରିଛନ୍ତି, ଯେଉଁସମୟରେ ପଦ୍ମପୁର ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଥିଲା । ପଦ୍ମପୁର ଉପନିର୍ବାଚନ ଚାଲିଥିବା ବେଳେ ଗତବର୍ଷ ନଭେମ୍ବର ୨୯ ତାରିଖରେ ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସଂପର୍କରେ ଆଲୋଚନା କରିଥିଲେ ।