Wednesday, December 11, 2024
Homeଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ଓଡ଼ିଶା ବଜେଟ ୨୦୨୧-୨୨!
Array

ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ ଓଡ଼ିଶା ବଜେଟ ୨୦୨୧-୨୨!

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଫେବ୍ରୁଆରୀ ୨୨ ତାରିଖରେ ଓଡ଼ିଶା ସରକାର ବଜେଟ ଉପସ୍ଥାପନ କରିଛନ୍ତି । ଏକ ମାସ ପରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଏତେ ଟଙ୍କା ନାହିଁ । ସେଥିପାଇଁ ସରକାର ଏବେ କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି । କେବଳ ସେତିକି ନୁହେଁ ନିଜର ବଜେଟ ମାଧ୍ୟମରେ ପ୍ରକଳ୍ପଗୁଡ଼ିକ ସଫଳ କରିବାକୁ ହେଲେ ସରକାରଙ୍କୁ ହଜାର ହଜାର କୋଟି ଟଙ୍କା ଋଣ ଆଣିବାକୁ ପଡ଼ିବ । କାରଣ ରାଜ୍ୟ ସରକାରଙ୍କ ଆୟ ଦୃଷ୍ଟିରୁ ଚଳିତ ବର୍ଷ ପାଇଁ ରାଜସ୍ୱ ଆୟ ୩୭ ହଜାର କୋଟି ହୋଇଥିବା ବେଳେ ଅଣ ରାଜସ୍ୱ ଆୟ ୨୦ ହଜାର କୋଟି ଟଙ୍କା ଆକଳନ କରିଛନ୍ତି । ଋଣ ବାବଦରେ ୪୩ କୋଟି ଟଙ୍କା ଆଣିବା ପରେ ରାଜସ୍ୱ ବଳକା ରହିବ । ରାଜ୍ୟ ସରକାର କେନ୍ଦ୍ର ଠାରୁ ୭୦ ହଜାର କୋଟି ଟଙ୍କା ଆଶା ରଖିଛନ୍ତି ।

ବର୍ତ୍ତମାନର ସରକାର ଦୀର୍ଘ ୨୦ ବର୍ଷ ହେବ ଶାସନ ଜାରି ରଖିଛି । ଏହି ୨୦ ବର୍ଷ ମଧ୍ୟରେ ସରକାର ଉତ୍ପାଦନ କ୍ଷେତ୍ରରେ ଜାତୀୟ ସ୍ତରରେ ସେଭଳି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି । ରାଜ୍ୟରେ କୋଇଲା, ଲୁହାପଥର, ମାଙ୍ଗାନିଜ ଆଦି ଖଣିଜ ପଦାର୍ଥରୁ ରାଜସ୍ୱ ମିଳୁଛି । ଚାଷୀମାନେ ଅବହେଳାର ଶିକାର ହୋଇଥିବା ବେଳେ ରାଜ୍ୟର କଳକାରଖାନା ନଥିବାରୁ ଲୋକଙ୍କୁ ରୋଜଗାର ମିଳିପାରୁ ନାହିଁ । ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କୃଷି ଭିତ୍ତିକ ରାଜ୍ୟରେ ଜଳସେଚନର ବ୍ୟବସ୍ଥା ହୋଇପାରିଲେ ଆହୁରି ଆର୍ଥିକ ବିକାଶ ହୋଇପାରନ୍ତା । ସେହିଭଳି କଳକାରଖାନା ଗଢ଼ିଉଠିଲେ ଓଡ଼ିଆମାନଙ୍କୁ ଦାଦନ ଖଟିବା ଲାଗି ବାହାର ରାଜ୍ୟକୁ ଯିବାକୁ ପଡ଼ନ୍ତା ନାହିଁ । ରାଜ୍ୟର ଏହି ୨ଟି ପ୍ରମୁଖ ସମସ୍ୟା ଲାଗି ଓଡ଼ିଶା ଗରିବ ହୋଇଛି ଏବଂ ଏବେ ୨୦୨୧-୨୨ ଆର୍ଥିକ ବଜେଟ ସଫଳ କରିବାକୁ ଋଣ ଓ କେନ୍ଦ୍ରର ଅନୁଦାନକୁ ଅପେକ୍ଷା କରିବାକୁ ପଡୁଛି ।

ରାଜ୍ୟ ବଜେଟକୁ ପୂର୍ବତନ ମନ୍ତ୍ରୀ ନାପସନ୍ଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୧-୨୨ର ରାଜ୍ୟ ବଜେଟ ଏକ ଲୋକାଭିମୁଖୀ ତଥା ବିକାଶଶୀଳ ବଜେଟ । ଏହି ବଜେଟ ମାଧ୍ୟମରେ ଓଡ଼ିଶା ଆହୁରି ଅଧିକ ଅଗ୍ରସର ହେବ । ଟିମ ଭଲ ବଜେଟ ପ୍ରସ୍ତୁତ କରିଛନ୍ତି । କିନ୍ତୁ ରାଜ୍ୟ ବଜେଟକୁ ପସନ୍ଦ କରି ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ଶ୍ରୀ କାନୁନଗୋ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ୩୨୭୦ଟି ଅଣୁଏ କ୍ଷୁଦ୍ର, ମଧ୍ୟମ ଶିଳ୍ପ ବନ୍ଦ ହୋଇଥିଲା । ପୂର୍ବରୁ ଚିନିକଳ, ତେଲ କଳ, ସୂତାକଳର ଉଦ୍ଧାର ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଗତବର୍ଷ ଠାରୁ ଆସନ୍ତାବର୍ଷରେ ନିଯୁକ୍ତି କ୍ଷେତ୍ରରେ ଘୋର ଅସୁବିଧା ହେବାକୁ ସୂଚନା ପ୍ରଦାନ କରୁଛି । ରାଜ୍ୟ ସରକାର ଯଦିଓ ବଜେଟ ନେଇ ଖୁସି ଅନୁଭବ କରୁଛନ୍ତି, ବାସ୍ତବରେ ସ୍ଥିତି ଓଲଟା ଦେଖାଯିବ ।

ଚାଷୀ ଓ ମହିଳାଙ୍କୁ ଅଣଦେଖା: ବିଜେପି

୨୦୨୧-୨୨ ବଜେଟରେ ଚାଷୀଙ୍କ ଆୟ ବୃଦ୍ଧି ଲାଗି ସରକାର ୧୭ ହଜାର ୪୬୮ କୋଟି ଟଙ୍କା ବଜେଟ ରଖିଥିବା ବେଳେ ଏହା ଲୋକଦେଖାଣିଆ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଚଳିତ ବଜେଟରେ ଚାଷୀଙ୍କୁ ଫୋକସ କରାଯାଇ ନାହିଁ । ଗରିବ ଚାଷୀମାନେ କିଭଳି ଆଥିର୍କ ଭାବେ ସକ୍ଷମ ହେବେ, ସରକାର ଦିନଗରେ ପଦକ୍ଷେପ ନେଇନାହାନ୍ତି । ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରିବା, ଦାଦନ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ପାଇଁ ମଧ୍ୟ ସରକାର ସ୍ୱପ୍ନ ଦେଖୁନାହାନ୍ତି । ସେହିଭଳି ରାଜ୍ୟରେ ଯାହାବି ବିକାଶ ମୂଳକ କାମ ହେବାକୁ ଯାଉଛି, ତାହା କେନ୍ଦ୍ରୀୟ ଅନୁଦାନରେ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଶ୍ରୀ ମହାନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments