Saturday, March 22, 2025
Homeଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ!
Array

ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ!

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟ ପାଖେଇ ଆସୁଛି। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇଯାଇଛି। ଆଜିଠାରୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଠିକ୍‌ ୨ ମାସ ବାକି ଅଛି। ଅର୍ଥାତ ଜୁଲାଇ ୧ ତାରିଖରେ ୯ ଦିବସୀୟ ଘୋଷଯାତ୍ରା ଅନୁଷ୍ଠିତ ହେବ। ବିଗତ ୨ ବର୍ଷ ମଧ୍ୟରେ ରଥଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିବାରୁ ଏଥର ବଡ଼ଦାଣ୍ଡରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କେତେ ଆଶା ରଖିଛନ୍ତି। ବର୍ତ୍ତମାନର ପରିସ୍ଥିତି ଯଦି ଆଗାମୀ ୨ ମାସ ପରେ ମଧ୍ୟ ଜାରି ରହିବ, ତା’ହେଲେ ରଥଯାତ୍ରା ଭକ୍ତ ସାମିଲ ହେବା ସମ୍ଭବ। ଅଥଚ ୨୦୨୦ ଓ ୨୦୨୧ ଭଳି ଘରେ ବସି ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବା ସାର ହେବ।

ଯଦି ସବୁକିଛି ଠିକ୍‌ଠାକ ଚାଲିବ ତା’ହେଲେ ଏଥର ପୁରୀ ରଥଯାତ୍ରାରେ ଭକ୍ତମାନେ ସାମିଲ ହୋଇପାରିବେ। ଶ୍ରୀକ୍ଷେତ୍ରରେ ଲୋକାରଣ୍ୟ ହେବ। ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। ଦେଶ-ବିଦେଶରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଧାମ ଛୁଟିଆସିବେ। ରାସ୍ତାକଡ଼ର ବ୍ୟବସାୟୀ, ହୋଟେଲ ମାଲିକଙ୍କର ରୋଜଗାର ହୋଇପାରିବ। ପରିବହନ ବିଭାଗରେ କାମ କରୁଥିବା ଲୋକେ ମଧ୍ୟ କିଛି ଟଙ୍କା ରୋଜଗାର କରିପାରିବେ। କିନ୍ତୁ ପୁରୀ ରଥଯାତ୍ରାରେ ଭକ୍ତମାନେ ସାମିଲ ହେବା ମୁଖ୍ୟତଃ କରୋନା ଉପରେ ନିର୍ଭର କରୁଛି। ଗତବର୍ଷ ମଧ୍ୟ ଏପ୍ରିଲ ମାସ ଯାଏଁ କରୋନା ପରିସ୍ଥିତି ଠିକ୍‌ଠାକ ଥିଲା। କିନ୍ତୁ ସଂକ୍ରମଣ ବଢ଼ିବାରୁ ରାଜ୍ୟ ସରକାର ମେ’ ୫ ତାରିଖ ଠାରୁ ପୁଣି ଥରେ ଲକ୍‌ଡାଉନ୍‌ ଆରମ୍ଭ କରିଦେଇଥିଲେ। ତେଣୁ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ପୁରପଲ୍ଲୀରେ ରଥଯାତ୍ରା

କରୋନା ହେଉ ଅଥବା ଆଉ ଯେତେ ଯାହା ବାଧାବିଘ୍ନ ସୃଷ୍ଟି ହେଉ ପୁରୀ ରଥଯାତ୍ରାରେ କେବେ ପ୍ରତିବନ୍ଧକ ସୃଷ୍ଟି ହୋଇପାରି ନାହିଁ। କିନ୍ତୁ ପୁରୀ ବ୍ୟତୀତ ରାଜ୍ୟରେ ଆହୁରି ଅନେକଗୁଡ଼ିଏ ଜଗନ୍ନାଥଙ୍କ କ୍ଷେତ୍ର ରହିଛି। ସେଗୁଡ଼ିକ ମଧ୍ୟରେ କେନ୍ଦ୍ରାପଡ଼ାର ତୁଳସୀ କ୍ଷେତ୍ର, ବାରିପଦା, କୋରାପୁଟର ସାବର ଶ୍ରୀକ୍ଷେତ୍ର, ଅନୁଗୁଳର ଶୈଳଶ୍ରୀକ୍ଷେତ୍ର ପ୍ରମୁଖ। ଏତଦ୍‌ ବ୍ୟତୀତ ସୋନପୁର, ବରପାଲି, କେନ୍ଦୁଝର ଓ ଓଡ଼ିଶାର ପୁରପଲ୍ଲୀରେ ବିଗତ ୨ ବର୍ଷ ହେବ ରଥଯାତ୍ରା କଟକଣାର ସହିତ ପାଳିତ ହୋଇଥିବାରୁ ଏଥର ସେହିସ୍ଥାନଗୁଡ଼ିକରେ ରଥଯାତ୍ରାର ଆୟୋଜନ ନେଇ ଭକ୍ତ ଆଶା ରଖିଛନ୍ତି।

୫ରେ ସମନ୍ଵୟ ବୈଠକ

ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଛି। କୋଭିଡ୍‌ଜନିତ କଟକଣା ପାଇଁ ଦୁଇବର୍ଷ ଧରି ସମନ୍ଵୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ଵୟ ବେଠକ ଡକାଯାଇଛି। ଆସନ୍ତା ୫ ତାରିଖରେ ରଥଯାତ୍ରାର ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହେବ। ପୁରୀ ସ୍ୱତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହ ସମ୍ପୃକ୍ତ ଅନ୍ୟ ସମସ୍ତ କାର୍ଯ୍ୟାଳୟକୁ ଉପସ୍ଥିତ ରହିବାକୁ  ଚିଠି କରାଯାଇଛି। ରଥଯାତ୍ରା ପାଇଁ ରଥ ନିର୍ମାଣର ଆଦ୍ୟ ପର୍ବ ମେ’ ୩ ତାରିଖ ଠାରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହେଉଛି। ଅକ୍ଷୟ ତୃତୀୟ ଅବସରରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହେବ।  ରଥ ନିର୍ମାଣ କାର୍ଯ୍ୟରେ ବି ଆଉ ସେତେଟା କଟକଣା ରହିବନି। କରୋନା ସମୟରେ ରଥ କାରିଗରଙ୍କୁ କଟକଣା ମାନିବାକୁ ପଡ଼ିଥିଲା।  

ଚନ୍ଦନଯାତ୍ରା ଦେଖିବେ ଶ୍ରଦ୍ଧାଳୁ

ଅକ୍ଷୟ  ତୃତୀୟା ଅବସରରେ ପବିତ୍ର ଚନ୍ଦନଯାତ୍ରା ବି ଆରମ୍ଭ ହେବ। ଏଥି ପାଇଁ ପ୍ରସ୍ତୁତି ବି ଶେଷ ହୋଇଛି। କୋଭିଡ୍‌ ସଂକ୍ରମଣ ପାଇଁ ଦୁଇବର୍ଷ ଧରି ବିନା ଭକ୍ତରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିଲା। ଚଳିତବର୍ଷ କିନ୍ତୁ କରୋନା ନିୟନ୍ତ୍ରିତ ଅବସ୍ଥାରେ ଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ଅଂଶଗ୍ରହଣ କରିପାରିବେ। ନିକଟରେ ନୀଳାଦ୍ର ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ୨୧ ଦିନର ଚାପଖେଳ ସହ ଭଉଁରୀ ବି ଦେଖି ପାରିବେ ଭକ୍ତ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments