Wednesday, October 9, 2024
Homeଏବର୍ଷ ବି ସରିବନି ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ! 
Array

ଏବର୍ଷ ବି ସରିବନି ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ! 

ଭୁବନେଶ୍ବର: ରାଜ୍ୟରେ ଏକାଧିକ ଜାତୀୟ ରାଜପଥର ନିର୍ମାଣ କାମ କଇଁଛ ଗତିରେ ଅଗ୍ରସର ହେଉଛି। ଏଥିରେ କଟକରୁ ସମ୍ବଲପୁରକୁ ଯୋଡୁଥିବା ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ସାମିଲ ରହିଛି। ଏହି ରାସ୍ତା ଉପରେ ପୂରା ଆଭ୍ୟନ୍ତରୀଣ ଓଡ଼ିଶା ନିର୍ଭର କରୁଛି। ପଶ୍ଚିମଓଡ଼ିଶା ପାଇଁ ଜୀବନରେଖା କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ। କାରଣ ସମ୍ବଲପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼,ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀରକୁ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଯାନବାହନ ଚଳାଚଳ କରୁଛି। ଅନ୍ୟପଟରେ ଦୀର୍ଘ ୫ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଶେଷ ହେଉ ନଥିବାରୁ ଲୋକେ ଅସନ୍ତୁଷ୍ଟ ଦେଖାଯାଉଛନ୍ତି। କାରଣ ନିର୍ମାଣାଧୀନ ଏହି ଜାତୀୟ ରାଜପଥରେ ପ୍ରତିଦିନ ଲକ୍ଷାଧିକ ଲୋକ ନିର୍ଭର କରୁଥିବାରୁ ସେମାନେ ଘୋର ପ୍ରଭାବିତ ହେଉଛନ୍ତି।

ଓଡ଼ିଶାରେ ନିର୍ମାଣାଧୀନ ଏକାଧିକ ଜାତୀୟ ରାଜପଥର ଅଗ୍ରଗତି ମନ୍ଥର। ପ୍ରକଳ୍ପଗୁଡ଼ିକର ନିର୍ମାଣ ଶେଷ ନେଇ ବାରମ୍ବାର ତାରିଖ ବଦଳୁଛି। ଉଦାହରଣ ସ୍ବରୂପ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଆରମ୍ଭ ସମୟରେ କୁହାଯାଇଥିଲା ଯେ, ୩ ବର୍ଷ ମଧ୍ୟରେ ଏହା ଶେଷ ହେବ। ଏହାରି ମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଗୋଟିଏ ପରେ ଗୋଟିଏ ଠିକା ସଂସ୍ଥା ନିର୍ମାଣ ଦାୟିତ୍ବ ନେଉଛନ୍ତି। କିନ୍ତୁ ଆଗାମୀ ୧ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ସଂପୂର୍ଣ୍ଣ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବର୍ଷା ଦିନ ହୋଇଥିବାରୁ ଏବେ ୫୫ ନମ୍ବର ଜାତୀୟ ରାଜପଥର କିଛି ସ୍ଥାନରେ ପାଣି ଭର୍ତ୍ତି ହୋଇ କୃତ୍ରିମ ଜଳାଶୟ ସୃଷ୍ଟି କରୁଛି। ନୂଆ ବାହନ ଚାଳକଙ୍କ ପାଇଁ ଏହା ବିପଦ ସୃଷ୍ଟି କରୁଛି। ସମ୍ବଲପୁରରୁ କଟକ ୨୬୦ କିମିକୁ ବସ୍ରେ ଯାତ୍ରା କଲେ ୮ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ବୁର୍ଲା ଡାକ୍ତରଖାନାରୁ କଟକ ସ୍ଥାନାନ୍ତରିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଅଧରାସ୍ତାରେ ମୃତ୍ୟୁ ହେଉଛି।

ଜମି ଅଧିଗ୍ରହଣରେ ସମସ୍ୟା

ଓଡ଼ିଶାରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବାରମ୍ବାର କଣ୍ଟ ଦେଉଛନ୍ତି। ନିର୍ମାଣ କାମ କେବେ ଶେଷ ହେବ ସ୍ପଷ୍ଟ ଭାବେ କହିପାରୁ ନାହାନ୍ତି। ଲୋକସଭାର ମୌସୁମୀ ଅଧିବେଶନ ଅବସରରେ ସେ କହିଛନ୍ତି ଯେ, ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଚାରିଟି ଜାତୀୟ ରାଜପଥ ପ୍ରକଳ୍ପ କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ଶେଷ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମତି ମିଳିବାରେ ବିଳମ୍ବ ହେବା ଏବଂ କାମ ସାରିବାରେ ଠିକାଦାର ଡେରି କରିବା କାରଣରୁ ମୁଖ୍ୟତଃ ଏସବୁ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୨୦୨୪ ସୁଦ୍ଧା ଏସବୁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

୩୫୦୦ କୋଟିର ପ୍ରକଳ୍ପ  

ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଉପକୂଳକୁ ଯୋଡ଼ୁଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାମ ଦୀର୍ଘ ବର୍ଷ ହେଲା ଚାଲିଛି। ସମ୍ବଲପୁର-କଟକ ରାସ୍ତା ନିର୍ମାଣ କାମ ସରିବାର ନାଁ ନେଉନି। ପ୍ରକଳ୍ପ ଶେଷ ହେବାର ତାରିଖ ବାରମ୍ବାର ବଦଳୁଛି। କଦର୍ଯ୍ୟ ରାସ୍ତା ପାଇଁ ଲୋକମାନେ ଘାଣ୍ଟି ସନ୍ତୁଳି ହେଉଛନ୍ତି। ନିତି ରାସ୍ତାରେ ଦୁର୍ଘଟଣା ହେବାସହ ଅକାଳରେ ଜୀବନ ଯାଉଛି। ଏଥିପାଇଁ ଲୋକଙ୍କ ଭିତରେ ଅସନ୍ତୋଷ ବଢୁଥିଲାବେଳେ ୨୦୨୧ ଡିସେମ୍ବର ମାସରେ ଶ୍ରୀ ଗଡ଼କରୀ ସଂସଦରେ କହିଥିଲେ ଯେ, ୨୦୨୨ ଜୁନ୍ ସୁଦ୍ଧା ନିର୍ମାଣ କାମ ସରିବ। ୨୦୧୮ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ୨୦୨୦ରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏହି ରାଜପଥକୁ ୩ଟି ଭାଗରେ ବିଭକ୍ତ କରି ପ୍ରାୟ ୩୫୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା।  

ଓଡ଼ିଶାରେ ଆମେରିକା ଭଳି ରାସ୍ତା!

ଶ୍ରୀ ଗଡ଼କରୀ କିଛି ମାସ ପୂର୍ବରୁ ଭୁବନେଶ୍ବର ଆୟୋଜି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଜାତୀୟ ରାଜପଥ ପ୍ରକଳ୍ପ ଅଧୀନସ୍ଥ ସବୁ ରାସ୍ତା ଆମେରିକା ଭଳି କରାଯିବ। ଓଡ଼ିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି। ତାହା ଶେଷ ହେବା ପରେ ଓଡ଼ିଶାର ବିକାଶ ଓ ଉନ୍ନତିକୁ ନୂଆ ସୋପାନକୁ ନେବ। ବାସ୍ତବରେ ଗଡ଼କରୀଙ୍କ ଏହି ସମ୍ବୋଧନ ରାଜ୍ୟବାସୀଙ୍କୁ ଉପହାସ କଲାଭଳି ଲାଗୁଛି। ପ୍ରକଳ୍ପ ନିର୍ମାଣ କାମ ଏତେ ବିଳମ୍ବ ହେଉଛି ଯେ, ଅନ୍ୟ କୌଣସି ରାଜ୍ୟରେ ହେଉ ନଥିବ।

ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ

୫୫ ନମ୍ବର ଜାତୀୟ ରାଜପଥ ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅସନ୍ତୁଷ୍ଟ ଦେଖାଯାଇଛନ୍ତି। ୨୦୧୭ ମସିହାରୁ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଏହି କାମ କରୁଥିଲେ ମଧ୍ୟ ଶେଷ କରିପାରୁ ନାହିଁ। ରାସ୍ତା କାମ ଶୀଘ୍ର ସାରିବା ଲାଗି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚରେ ଚିଠି ଲେଖିଥିଲେ। ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ୫୫ ନମ୍ବର ଜାତୀୟ ରାଜପଥ ହେଉଛି ପଶ୍ଚିମ ଓଡ଼ିଶାର ଜୀବନ ରେଖା। ଅଧାପନ୍ତରିଆ କାମ ଯୋଗୁଁ ସେଠାରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟିବା ସହିତ ଜୀବନହାନୀ ଘଟୁଛି। ଗତ ୨ବର୍ଷ ଭିତରେ ୩୯୯ଟି ଦୁର୍ଘଟଣା ହେବା ସହିତ ୧୯୬ଜଣଙ୍କ ଜୀବନ ଯାଇଛି।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments