ଭୁବନେଶ୍ବର: ଗୋଆରେ ନିଜର ୪ ବର୍ଷ ବୟସର ନିଷ୍ପାପ ଶିଶୁପୁତ୍ରକୁ ହତ୍ୟା କରି ମୃତଦେହକୁ କର୍ଣ୍ଣାଟକର କୌଣସି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିବା ପାଇଁ ଯୋଜନା କରିଥିବା ହତ୍ୟାକାରିଣୀ ସୂଚନା ସେଠ ପୁଲିସ ହାତରେ ଧରାପଡ଼ିଛି। ଏହି ଖବର ଭାରତ ସମେତ ବିଦେଶରେ ମଧ୍ୟ ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟିଛି। ଏହି ଖବରକୁ ନେଇ ଚାରିଆଡ଼େ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଚର୍ଚ୍ଚାର ଆବଶ୍ୟକତା ମଧ୍ୟ ରହିଛି। କାରଣ ଜଣେ ଉଚ୍ଚ ଶିକ୍ଷିତ ମହିଳା କୋର୍ଟଙ୍କ ରାୟଙ୍କୁ ଅସମ୍ମାନ ଜଣାଇ ଅତୀତରେ ବିବାହ କରିଥିବା ସ୍ବାମୀଙ୍କୁ ଏତେ ଘୃଣା କଲା ଯେ, ନିଜେ ଜନ୍ମ ଦେଇଥିବା ସନ୍ତାନର ମୁହଁକୁ ମଧ୍ୟ ଚାହିଁଲା ନାହିଁ।
ଅନ୍ୟପଟରେ କନ୍ଧମାଳ ଜିଲ୍ଲାରେ ଜଣେ ମହିଳା ଅତ୍ୟାଧୁନିକ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ସ୍ବାର୍ଥପର ଦୁନିଆରେ ସମସ୍ତେ ନିଜନିଜର ବ୍ୟକ୍ତିଗତ ଲାଭ କଥା ଚିନ୍ତା କରୁଥିବା ବେଳେ ପୋଇନ ହରିପାଲ ସାବତ ପୁଅର ମୃତ୍ୟୁ ପରେ ନିଜେ ଆଉ ବଞ୍ଚିବାକୁ ଚାହିଁଲେ ନାହିଁ। ପୁଅ ମୃତ୍ୟୁର ୨୪ ଘଣ୍ଟା ଭିତରେ ନିଜ ଜୀବନକୁ ଶେଷ କରିଦେଲେ। ସେ ପ୍ରମାଣିତ କରିଦେଲେ ଯେ, ସ୍ବାର୍ଥପର ଦୁନିଆରେ ଗୋଟିଏ ସନ୍ତାନକୁ ଜନ୍ମଦାଦ୍ରୀ ମା’ ଯେତିକି ଭଲ ପାଇପାରୁ ନାହାନ୍ତି, ତା’ଠାରୁ ଅଧିକ ଭଲ ପାଆନ୍ତି ସାବତ ମା’ମାନେ। କିନ୍ତୁ ଆମ ସମାଜରେ ସାବତ ମା’ମାନଙ୍କ ପାଇଁ ଏକ ଭିନ୍ନ ଚିନ୍ତାଧାରା ମନରେ ରହିଛି।
ପୁଅର ମୃତ୍ୟୁ ପରେ ଜୀବନ ହାରିଲେ ମା’
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗ୍ରାମର କୃଷ୍ଣଚନ୍ଦ୍ର ହରିପାଲଙ୍କ ପୁଅ ସୁଶାନ୍ତ ହରିପାଲ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଲୁଇସିଂ ପଞ୍ଚାୟତ ରାଞ୍ଜେଣୀ ଗାଁରେ ରହୁଥିବା ତାଙ୍କ ମଉସା ବିଜୟ ଦିଗାଲଙ୍କ ଘରେ ରହୁଥିଲେ। ସୋମବାର ଦିନ ଅପରାହ୍ଣରେ ସେ କୌଣସି କାରଣରୁ ବିଷ ପିଇ ଦେଇଥିଲେ। ତାଙ୍କୁ ତାଙ୍କ ଘର ଲୋକ ପ୍ରଥମେ ବାଲନ୍ଦାପଡା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଶୁଣି କଣ୍ଟାମାଳରେ ରହୁଥିବା ତାଙ୍କ ସାବତ ମା’ପୋଇନ ହରିପାଲ ହୃଦଘାତରେ ମଙ୍ଗଳବାର ପ୍ରାଣ ହରାଇଥିଲେ।
ବାପ-ପୁଅଙ୍କ ଦେଖା ଚାହୁଁ ନଥିଲା ମହିଳା
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଜଣାଶୁଣା ହୋଇପାରିଥିବା ସୂଚନା ସେଠ (୩୯) ଏଭଳି ଅପରାଧ କରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସେ ଆର୍ଟିଫିସିଆଲ ଏଥିକ୍ସ ବିଶେଷଜ୍ଞ, ଡାଟା ସାଇଣ୍ଟିଷ୍ଟ ଓ ଷ୍ଟାର୍ଟଅପ୍ କଂପାନି ମାଇଣ୍ଡଫୁଲ ଏଏଆ ପ୍ରୟୋଗଶାଳାର ପ୍ରତିଷ୍ଠାତା ଓ କାର୍ଯ୍ୟନିର୍ବାହୀ ଅଧିକାରୀ। ସେ ନିଜର ୪ ବର୍ଷ ବୟସର ପୁଅକୁ ଗତ ୮ ତାରିଖ ରାତିରେ ଗୋଆସ୍ଥିତ ଏକ ହୋଟେଲ କୋଠାରିରେ ନିର୍ମମ ହତ୍ୟା କରିଛି। ପୁଅକୁ ହତ୍ୟା କରିବା ପରେ ସୂଚନା ସେଠ ନିଜର ବାମ ହାକୁ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହା ପରେ ମନ ପରିବର୍ତ୍ତନ କରିଥିଲା। ସେ ନିଜର ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରିଥିଲେ। ଏହା ପରେ ୩୦ ହଜାର ଟଙ୍କା ବ୍ୟୟ କରି ଟୁରିଷ୍ଟ ଟ୍ୟାକ୍ସି ଡାକିଥିଲେ। ଶେଷରେ ବେଙ୍ଗାଲୁରୁ ଅଭିମୁଖେ ପଳାୟନ କରିଥିଲା। ପୁଲିସ କହିବା ଅନୁସାରେ ସୂଚନା ସେଠ ନିଜର ସ୍ବାମୀଙ୍କ ସହିତ ଉତ୍ତେଜନାପୂର୍ଣ୍ଣ ସଂପର୍କକୁ ନେଇ ଅପରାଧ କରିଥିଲା। ସୂଚନାକୁ ଗୋଆ ପୁଲିସ ପଚରାଉଚରା କରୁଛି। ସୂଚନାର ୨୦୨୦ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ କୋର୍ଟଙ୍କ ଆଦେଶ ଥିଲା ଯେ, ପିତା ନିଜର ପୁତ୍ରକୁ ପ୍ରତି ରବିବାର ଦେଖା କରିପାରିବେ। କୋର୍ଟଙ୍କ ରାୟ ଆସିବା ପରେ ସୂଚନା ଅଧିକ ଚିନ୍ତିତ ଥିଲା। କାରଣ ସେ ଚାହୁଁ ନଥିଲା ଯେ, ସ୍ବାମୀ ନିଜର ପୁଅକୁ ଦେଖାକରୁ। ସେଥି ପାଇଁ ସେ ପୁଅର ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହା ଦ୍ବାରା ପୁଅ ରହିବନି ଓ ସ୍ବାମୀ ଦେଖା କରିବାକୁ ଆସି ପାରିବ ନାହିଁ।
ଚର୍ଚ୍ଚିତ ହତ୍ୟାକାଣ୍ଡ
କର୍ଣ୍ଣାଟକ ପୁଲିସ ଇନୋଭା କାର ଯାଞ୍ଚ ସମୟରେ ଏଠାରେ ଥିବା ଏକ ବ୍ୟାଗ ମିଳିଥିଲା। ଏହାକୁ ଖୋଲିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ଏହି ବ୍ୟାଗରେ ଏକ ଶିଶୁର ମୃତଦେହ ଥିଲା। ପୁଲିସ ହତ୍ୟା ଅଭିଯୁକ୍ତ ସୂଚନା ସେଠକୁ ଗିରଫ କରିଛି। ଏହା ପରେ ଗୋଆ ପୁଲିସକୁ ସୂଚନା ଦେଇଥିଲା। ଶିଶୁର ମୃତଦେହ ଠାବ ହେଲା ପରେ ଗୋଆ ପୁଲିସ ମନରେ ଅନେକ ଗୁଡ଼ିଏ ପ୍ରଶ୍ନ ଉଙ୍କି ମାରିଥିଲା। ୪ ବର୍ଷ ବୟସର ଯେଉଁ ଶିଶୁର ମୃତଦେହ ବ୍ୟାଗ ଭିତରେ ଥିଲା, ସେ କିଏ? କ’ଣ ସେ ସୂଚନାର ପୁଅ ଥିଲା କି? ଯଦି ହଁ ତେବେ ଜଣେ ମା’ ନିଜ ପୁଅକୁ ହତ୍ୟା କଲା କାହିଁକି? ହତ୍ୟା ପରେ ମୃତଦେହ କାହିଁକୁ ୫୫୦ କମି ଦୂର ବେଙ୍ଗାଲୁରୁକୁ ନେଇଯାଉଥିଲା। ମୃତଦେହକୁ ଗୋଆରେ ମଧ୍ୟ ଫିଙ୍ଗି ପାରିଥାନ୍ତା ଅଥବା ବେଙ୍ଗାଲୁରୁରେ ମଧ୍ୟ ହତ୍ୟା କରିପାରି ଥାନ୍ତା। କିନ୍ତୁ କାହିଁକି ସେହିଭଳି କାମ କଲାନି?