ଭୁବନେଶ୍ବର: ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ। ସ୍ବାମୀଙ୍କ ପ୍ରତିଟି କାମରେ ସହଯୋଗର ହାତ ବଢ଼ାଉଥିବା ସ୍ତ୍ରୀ ପାଇଁ ଏହା ପ୍ରଯୁଜ୍ୟ। କୌଣସି କାମ ହେଉ ପଛେ, ସ୍ବାମୀ ଓ ସ୍ତ୍ରୀ ଗୋଟିଏ ମନ ନେଇ କାମ କଲେ ପରିବାରର ଉନ୍ନତି ହୋଇଥାଏ। ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ବୋଲି ପୁରାଣରେ ଉଲ୍ଲେଖ ରହିଛି। ତେବେ ଆଧୁନିକ ଯୁଗର ଅର୍ଥ ଯଦି ଖୋଜିବା ଉଭୟ ସ୍ବାମୀ ଓ ସ୍ତ୍ରୀ ମିଳିମିଶି କାମ କଲେ ପରିବାରର ସଦସ୍ୟମାନେ ଖୁସିରେ ଆଗକୁ ବଢ଼ନ୍ତି। ମାତ୍ର କ୍ଷୋଭର ବିଷୟ ହେଲା ଯେ, କିଛି ଖରାପ ପ୍ରକୃତିର ପୁରୁଷ ଓ ମହିଳାଙ୍କ ପାଇଁ ସ୍ବାମୀ ଏବଂ ସ୍ତ୍ରୀଙ୍କ ସଂପର୍କ ମଧ୍ୟରେ କଳଙ୍କ ଲାଗୁଛି। ମାତ୍ର ସମସ୍ତେ ଖରାପ ନୁହଁନ୍ତି। ଆମ ସମାଜରେ ଏଭଳି ସ୍ବାମୀମାନେ ଅଛନ୍ତି, ଯେଉଁମାନେ ଅନ୍ୟ ପାଇଁ ଉଦାହରଣ ପାଲଟୁଛନ୍ତି। ସ୍ତ୍ରୀ ପ୍ରତି ଗଭୀର ଭଲ ପାଉଥିବା ଲୋକଙ୍କୁ ହିଁ ସମର୍ପିତ ସ୍ବାମୀ କୁହାଯିବାର ଯଥାର୍ଥତା ରହିଛି।
ପତ୍ନୀଙ୍କ ପାଇଁ ୮ କୋଟିର ମନ୍ଦିର
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଚିକଣା ଗ୍ରାମରେ ନିର୍ମାଣ ହୋଇଛି ମା’ ସନ୍ତୋଷୀଙ୍କ ମନ୍ଦିର। ୬୪ ପୁଟ୍ ଉଚ୍ଚ ମନ୍ଦିର ୩ ଏକର ପରିମିତ ଜମି ଉପରେ ଠିଆ ହୋଇଛି। ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ମନ୍ଦିରରେ ୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପତ୍ନୀ ବେଜୟନ୍ତୀଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଜଗତ୍ସିଂହପୁରର କ୍ଷେତ୍ରବାସୀ ଲେଙ୍କା ଏହି ମନ୍ଦିର ନିର୍ମାଣ କରିଛନ୍ତି। ମା’ସନ୍ତୋଷୀଙ୍କ ଭକ୍ତ ବୈଜୟନ୍ତୀ ଯେତେବେଳେ ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ, ନିଜର ଠାକୁରଘର ନଥିବାରୁ ଅନ୍ୟଜଣଙ୍କ ଘରେ ମା’ଙ୍କ ଫଟୋ ରଖି ସେ ପୂଜା କରୁଥିଲେ। କିନ୍ତୁ, ସେହି ଘରଲୋକ କୌଣସି କାରଣରୁ ଫଟୋଟିକୁ ଫିଙ୍ଗି ଦେବାରୁ ତାହା ତାଙ୍କୁ ଶକ୍ତ ଆଘାତ ଦେଇଥିଲା। ୧୯୯୨ ମସିହାରେ ବୈଜୟନ୍ତୀଙ୍କୁ ବିବାହ କ୍ଷେତ୍ରବାସୀ ଲେଙ୍କା ବିବାହ କରିଥିଲେ। ପତ୍ନୀଙ୍କ ପିଲାଦିନର ଏହି ଦୁଃଖଦ କାହାଣୀ ଶୁଣିବା ପରେ ତାଙ୍କ ହୃଦୟ ତରଳିଯାଇଥିଲା। ସେହିଦିନ ତାଙ୍କ ଗାଁରେ ଏକ ମନ୍ଦିର ଗଢ଼ିଦେବେ ବୋଲି କଥା ଦେଇଥିଲେ। ୨୦୦୮ ମାର୍ଚ୍ଚ ୧୦ ତାରିଖରେ ନିଜ ଝିଅର ଜନ୍ମଦିନ ଅବସରରେ ଏହି ମନ୍ଦିରର ଭୂମିପୂଜା କରାଯାଇଥିଲା। ୧୫ ବର୍ଷ ପରେ ଏହା ସମ୍ପୂର୍ଣ୍ଣ ହୋଇଛି।
ଟ୍ରଲିରେ ପତ୍ନୀଙ୍କୁ ନେଲେ ବୃଦ୍ଧ
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ପାଟଣାପଦର ଗ୍ରାମରେ ଦେଉଳପେଡି ନିବାସୀ ୭୦ ବର୍ଷୀୟ ସୁଦୁରଙ୍କ ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ପତ୍ନୀଙ୍କୁ ଟ୍ରଲି (ପଟାରିକ୍ସା)ରେ ବସାଇ ବ୍ୟାଙ୍କ୍କୁ ଯାଉଥିବା ବେଳେ ଦୁର୍ଘଟଣାର ସାମ୍ନା କରିଛନ୍ତି। ପାଟଣାପଦର ଛକରେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ, ବୃଦ୍ଧ ଦମ୍ପତି ଛିଟିକି ପଡ଼ିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଡାକ୍ତରଖାନାକୁ ଆଣିଥିଲେ। ସୁଦୁରୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଚିକିତ୍ସାଧୀନ ଅବସ୍ଥାରେ ସୁଦୁରୁଙ୍କ ଆଜି ମୃତ୍ୟୁ ଘଟିଥିଲା।
ଟିକିଲି ଓ ସିନ୍ଦୁର କିଣିଲେ ମୁଖ୍ୟମନ୍ତ୍ରୀ
ଆଉ ଜଣେ ସମର୍ପିତ ହେଉଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ଯିଏକି ହାଟକୁ ଯାଇ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୂର ଓ ମେହେନ୍ଦି କିଣିଛନ୍ତି। ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନିକଟରେ ସେ ବସ୍ତର ଜିଲ୍ଲାର କିଲେପାଲରେ ପହଞ୍ଚିଥିଲେ। ଲୋକଙ୍କ ପାଖରେ ସରକାରୀ ଯୋଜନା ଠିକ ଭାବେ ପହଞ୍ଚୁଛି ନା ନାହିଁ ତାହା ଜାଣିବାକୁ ମୁଖ୍ୟମନ୍ତ୍ରୀ ହାଟକୁ ଯାଇଥିଲେ। ଏହି ସମୟରେ ଦୋକାନୀ ବସନ୍ତ ରାୟ କହିଥିଲେ ଯେ, ‘କାକା ଜି …. କାକିଙ୍କ ପାଇଁ ଟିକିଲି ନିଅନ୍ତୁ।’ ଆଉ ହାଟରୁ ସେ ଦୋକାନୀଙ୍କଠାରୁ ତାଙ୍କ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୁର ଓ ମେହେନ୍ଦି କିଣିଥିଲେ। ମୁଖ୍ୟମନ୍ତ୍ରୀ ଏବେ ଏହାର ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଘେଲ ପକେଟରୁ ୫୦୦ ଟଙ୍କା ବାହାର କରି ଦୋକାନୀଙ୍କୁ ଦେଇଥିଲେ।
ପତ୍ନୀଙ୍କ ପାଇଁ ଚନ୍ଦ୍ରରେ ଜମି କିଣିଲେ
ପାକିସ୍ତାନର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ବିବାହ ପରେ ଏପରି ଉପହାର ଦେଇଛନ୍ତି ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ତାଙ୍କ ପତ୍ନୀଙ୍କୁ ଚନ୍ଦ୍ରରେ ଜାଗା କିଣି ଉପହାର ଦେଇଛନ୍ତି। ରାୱଲପିଣ୍ଡିରେ ସୋହେବ ଅହମ୍ମଦ ଓ ତାଙ୍କ ପତ୍ନୀ ବସବାସ କରନ୍ତି। ସୋହେବ ତାଙ୍କ ପତ୍ନୀଙ୍କ ପାଇଁ ବିବାହ ଉପହାର ଭାବରେ ଚନ୍ଦ୍ରରେ ଏକ ଏକର ଜମି କିଣିଛନ୍ତି। ସୋହେବ ଏହି ଜମିକୁ ଆନ୍ତର୍ଜାତୀୟ ଚନ୍ଦ୍ର ଲ୍ୟାଣ୍ଡ ରେଜିଷ୍ଟ୍ରିରୁ ୪୫ ଡଲାରରେ କିଣିଛନ୍ତି। ତେବେ ଚନ୍ଦ୍ରରେ ଜମି କିଣିବା ପ୍ରସଙ୍ଗରେ ସେ କହନ୍ତି, ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସେ ଜଣେ ବଡ଼ ପ୍ରଶଂସକ। ତାଙ୍କ ଠାରୁ ଚନ୍ଦ୍ରରେ ଘର କିଣିବା ନେଇ ପ୍ରେରିତ ହୋଇଥିଲେ।