ଭୁବନେଶ୍ବର: ଉନ୍ନବିଂଶ ଏସୀୟ କ୍ରୀଡ଼ାରେ ଭାରତ ଇତିହାସ ରଚିଛି। ମହିଳା କବାଡ଼ି ଦଳ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ଦେଶ ୧୦୦ ପଦକ ପୂରଣ କରିବାର ଗୌରବ ଅର୍ଜନ କରିଥିଲା। କ୍ରୀଡ଼ା କ୍ଷେତ୍ରରେ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଭାରତକୁ ମୋଟ ସଂଖ୍ୟା ୧୦୭ଟି ପଦକ ଆସିଛି। ଏଥିରେ ୨୮ ସ୍ବର୍ଣ୍ଣ, ୩୮ ରୌପ୍ୟ ଓ ୪୧ କାଂସ୍ୟ ପଦକ ସାମିଲ ରହିଛି। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ଚତୁର୍ଥ ସ୍ଥାନ ସହ ଚଳିତ ସଂସ୍କରଣ ଅଭିଯାନ ଶେଷ କରିଛି। ୭୨ ବର୍ଷର ଏସିଆଡ୍ ଇତିହାସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ। ପୂର୍ବରୁ ୨୦୧୮ ଜାକର୍ତ୍ତା ସଂସ୍କରଣରେ ୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ ସହିତ ୭୦ ପଦକ ଶ୍ରେଷ୍ଠ ଥିଲା। ଏହା ପୂର୍ବରୁ ଉଦ୍ଘାଟନୀ ସଂସ୍କରଣ (୧୯୫୧ ନୂଆଦିଲ୍ଲୀ)ରେ ଭାରତ ୧୫ ସ୍ବର୍ଣ୍ଣ ସହ ୫୧ ପଦକରେ ଦ୍ବିତୀୟ ଏବଂ ଜାକର୍ତ୍ତା (୧୯୬୨)ରେ ୧୦ ସ୍ବର୍ଣ୍ଣ ସହ ୩୩ ପଦକ ତୃତୀୟ ସ୍ଥାନରେ ରହିଥିଲା।
କେନ୍ଦ୍ର ସରକାର କ୍ରୀଡ଼ା କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି। ଖେଳାଳିମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଓ କ୍ରୀଡ଼ା ସାମଗ୍ରି ଯୋଗାଇ ଦେଉଛନ୍ତି। ସେହିପରି ଭଲ କୋଚ ଓ ବ୍ୟବସ୍ଥା କରାଇ ପାରିଥିବାରୁ ଦେଶକୁ ଅଧିକ ପଦକ ଆସିଛି। ସରକାର ଆଗାମୀ ଦିନରେ ମଧ୍ୟ କ୍ରୀକ୍ଷା କ୍ଷେତ୍ରକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଭାରତ କ୍ରୀଡ଼ା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ପ୍ରମାଣ ହେଲା ଯେ, ଭାରତୀୟ ଖେଳାଳିମାନେ ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରୁଛନ୍ତି। ଚଳିତ ଥର ଭାରତରୁ ୪୧ଟି କ୍ରୀଡ଼ାର ୬୬୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀମାନେ ୧୦୭ଟି ପଦକ ଆଣିବା ନିଶ୍ଚିତ ଭାବେ ଗୌରବର ବିଷୟ।
ଭାରତକୁ ୨୮ ସ୍ବର୍ଣ୍ଣ ପଦକ
ଭାରତ ଏଥର ଜାତୀୟ କ୍ରୀଡ଼ା ‘ହକି’ରେ ଇତିହାସ ରଚିଛି। ପୁରୁଷ ବର୍ଗରେ ସ୍ବର୍ଣ୍ଣ ଓ ମହିଳା ବର୍ଗରେ କାଂସ୍ୟ ପଦକ ଆଣିଛି। ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ପ୍ରଥମ ସ୍ଥାନରେ ରହି ଦେଶକୁ ଯୁଗଳ ସ୍ବର୍ଣ୍ଣ ଭେଟି ଦେଇଛନ୍ତି। କେବଳ ଏତିକି ନୁହେଁ, ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପଦାର୍ପଣରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି। ଭାରତ-ଆଫ୍ଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା। ଫଳରେ ଭାରତ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ସ୍ବର୍ଣ୍ଣ ପଦକ ପାଇଥିଲା। ତୀରନ୍ଦାଜ ପ୍ରବୀଣ ଓଜାସ ଦେଓତାଲ ଓ ଜ୍ୟୋତି ସୁରେଖା ଭେନ୍ନାମ ବ୍ୟକ୍ତିଗତ କାମ୍ପାଉଣ୍ଡରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଏସୀୟ କ୍ରୀଡ଼ା ବ୍ୟାଡ୍ମିଣ୍ଟନରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଛନ୍ତି।
ହକି ପାଇଁ ଓଡ଼ିଶାର ପଦକ୍ଷେ
ଓଡ଼ିଶା ସରକାର ସବୁବେଳେ କହି ଆସୁଛନ୍ତି ଯେ, ଭୁବନେଶ୍ବର କ୍ରୀଡ଼ାର ରାଜଧାନୀ। ଏଥି ପାଇଁ ଏଠାରେ କ୍ରୀଡ଼ାର ଭିତ୍ତିଭୂମିକୁ ମଜବୁତ କରାଯାଉଛି। କିନ୍ତୁ ଏଠାରେ ଦେଖିବାକୁ ଗଲେ ଆମେ ଯେହେତୁ କ୍ରୀଡ଼ାର ରାଜଧାନୀ ବୋଲି ନିଜକୁ ଉପସ୍ଥାପନ କରୁଛେ, ସେହି ହିସାବରେ ଭୁବନେଶ୍ବରକୁ ଏସୀୟ କ୍ରୀଡ଼ାରୁ ପଦକ ଆସିପାରି ନାହିଁ। ହକି ଇଣ୍ଡିଆର ପ୍ରାୟୋଜକ ହୋଇ କେବଳ ଆଶ୍ବସ୍ତି ହେବାର କଥା। ଓଡ଼ିଶା ସରକାର ହକିର ଉନ୍ନତି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି। ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୫ବର୍ଷ ମଧ୍ୟରେ ୨ଥର ହକି ବିଶ୍ବକପର ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ସାରିଛନ୍ତି।
ଓଡ଼ିଆ ଖେଳାଳିଙ୍କୁ ପ୍ରୋତ୍ସାହନ
ଏସୀୟ କ୍ରୀଡ଼ାରେ ଭାରତକୁ ୧୦୭ଟି ପଦକ ଆସିଛି। ଏହି ପଦକ ଭିତରେ ୩ ଜଣ ଓଡ଼ିଆ ଖୋଳାଳିଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଆ ପୁଅ କିଶୋର ଜେନା, ଅମିତ ରୋହିଦାସ ଓ ଦୀପଗ୍ରେସ ଏକ୍କା ଯଥାକ୍ରମେ ଜାଭଲିନ ଥ୍ରୋ ଓ ହକିରେ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଆଣିଛନ୍ତି। ରାଜ୍ୟ ସରକାର ଅମିତ ରୋହିଦାସ ଓ କିଶୋର ଜେନାଙ୍କୁ ସ୍ବର୍ଣ୍ଣ ପଦକ ପାଇଁ ଦେଢ଼ କୋଟି ଟଙ୍କା ଲେଖାଏଁ ପୁରସ୍କାର ଦେବେ। ସେହିପରି ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। କିଶୋର ଜେନାଙ୍କୁ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ପ୍ରକାରର ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କିଶୋର ଜେନାଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଆର୍ଥିକ ସହାୟତା ପ୍ରଦାନ କରିବେ।
ଓଡ଼ିଶାରୁ ୧୪ ପ୍ରତିଭାଗୀ
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ା-୨୦୨୩ରେ ଓଡ଼ିଶାରୁ ୧୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୮ତମ ‘ଏସୀୟ କ୍ରୀଡ଼ା’ରେ ଏହି ସଂଖ୍ୟା ୧୨ ଥିଲା। ସେହି ସମୟରେ କେବଳ ହକିରେ ଭାଗ ନେଉଥିଲେ ୬ଜଣ। ୪ଜଣ ଓଡ଼ିଆ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିବା ବେଳେ ୨ଜଣ ଓଡ଼ିଆ ଖେଳାଳି ପୁରଷ ହକି ଦଳରେ ଅନ୍ତର୍ଭୁକ୍ତ ହୋଇଥିଲେ। ମହିଳା ହକି ଦଳରେ ନମିତା ଟପ୍ପୋ, ସୁନିତା ଲାକ୍ରା, ଦୀପ୍ ଗ୍ରେସ ଏକ୍କା ଏବଂ ଲିଲିମା ମିଞ୍ଜ ଓ ପୁରୁଷ ହକି ଦଳରେ ଅମିତ୍ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରିଥିଲେ ଭାରତର ଶ୍ରେଷ୍ଠ ଧାବିକା ତଥା ଓଡ଼ିଆ ଝିଅ ଅଲିମ୍ପିଆନ ଦୂତି ଚାନ୍ଦ। ଦୌଡ଼କୁଦ ଦଳରେ ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଜଉନା ମୁର୍ମୁ ମଧ୍ୟ ସାମିଲ ହୋଇଥିଲେ। ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଭାରତୀୟ ଦଳର ଡ଼ବଲ୍ସ ଦଳରେ ସାମିଲ ହୋଇ ଓଡ଼ିଶାକୁ ଗୌରବାନ୍ୱିତ କରିଥିଲେ। ଜିମ୍ନାଷ୍ଟିକରେ ପ୍ରତିଭାବାନ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର, ନୌଚାଳନାରେ ସଞ୍ଜୁକ୍ତା ଡ଼ୁଙ୍ଗଡୁଙ୍ଗ ଏହି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଅର୍ଥାତ ୫ ବର୍ଷ ମଧ୍ୟରେ ମାତ୍ର ୨ ଜଣ ଅଧିକ ଖେଳାଳି ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି।