ଭୁବନେଶ୍ବର: ଓଡ଼ିଶା ବିକାଶ ଦିଗରେ ଅଗ୍ରସର ହେଉଛି। ଓଡ଼ିଶାକୁ ଅନ୍ୟ ରାଜ୍ୟଗୁଡ଼ିକ ଅନୁସରଣ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ମିଳିଛି। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ବି ରାଜ୍ୟବାସୀଙ୍କୁ ସମ୍ବୋଧିତ କରୁଛନ୍ତି ସେ ସବୁବେଳେ ଏହା କହୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଓଡ଼ିଶା କେତେ ବିକଶିତ ଯେଉଁମାନେ ତୃଣମୂଳ ସ୍ତରରେ ବସବାସ କରୁଛନ୍ତି, ସେମାନେ ହିଁ ଜାଣିଛନ୍ତି। ରାଜ୍ୟର ସାଧାରଣ ଜନତା ଆର୍ଥିକ ରୂପେ ବହୁ ପଛୁଆ ଥିବା ବେଳେ ଲକ୍ଷଲକ୍ଷ ସରକାରୀ କର୍ମଚାରୀମାନେ ମଧ୍ୟ ଅସନ୍ତୁଷ୍ଟରେ ଦିନ କାଟୁଛନ୍ତି। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଲୋୟର ପିଏମ୍ଜି ଛକ ଠାରୁ ବିଧାନସଭା ଅଭିମୁଖେ ଯାଇଥିବା ମହାତ୍ମାଗାନ୍ଧୀ ମାର୍ଗ ଏହି ଚିତ୍ର କହୁଛି।
ବିଧାନସଭା ଅଧିବେଶନ ଚାଲିଥିବା ବିଭିନ୍ନ ଅସନ୍ତୁଷ୍ଟ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଏକାଧିକ ଦାବି ଓ ଆନ୍ଦୋଳନ କରୁଛନ୍ତି। ଲୋୟର ପିଏମ୍ଜି ଛକ ଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀ ମାର୍ଗ କମ୍ପୁଛି। ଆଶାକର୍ମୀ , ସରପଞ୍ଚ, ଶିକ୍ଷକ, ଗାଁ ସାଥୀ ଓ ସହରାଂଚଳ ବସ୍ତିବାସିନ୍ଦା ଆନ୍ଦୋଳନ ଯୋଗୁଁ ନାକେଦମ ହୋଇଛି ପୁଲିସ। ରାଜ୍ୟ ସରକାର ସବୁବେଳେ ବିକାଶ ମଡେଲ ଉଦାହରଣ ଦେଉଥିବା ବେଳେ ଦୂରଦୂରାନ୍ତରୁ କର୍ମଚାରୀମାନେ କାହିଁକି ଭୁବନେଶ୍ବର ଆସି ହଇରାଣ ହେଉଛନ୍ତି, ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଶାକର୍ମୀ-ପୁଲିସ ମୁହାଁମୁହିଁବିଧାନସଭା ସମ୍ମୁଖ ଆଡକୁ ଅଗ୍ରସର ହେବାବେଳେ ସୋମବାର ଦିନ ଆଶା କର୍ମୀଙ୍କ ସହ ପୁଲିସ କର୍ମଚାରୀମାନେ ମୁହାଁମୁହିଁ ହୋଇଛନ୍ତି। ୨୦ ଦଫା ଦାବିରେ ସିଟୁ ନେତୃତ୍ୱରେ ଓଡିଶା ଆଶାକର୍ମୀ ଆସୋସିଏସନ ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ କରାଯାଇଥିଲା। କୋଭିଡ ବେଳେ ନିଜ ଜୀବନକୁ ବାଜିରେ ଲଗାଇ କୋଭିଡ ଯୋଦ୍ଧା ଭୂମିକା ପାଳନ କରିଥିବା ଆଶାକର୍ମୀଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଦରମା, ଆଶାକର୍ମୀଙ୍କୁ ସ୍ଥାୟୀ କର୍ମଚାରୀ ମାନ୍ୟତା ଓ ମାସିକ ୧୦ ହଜାର ପେନସନ ପାଇଁ ଆଶା କର୍ମୀ ଦାବି କରିଛନ୍ତି।
ପୁଣି ଶିକ୍ଷକ ଆନ୍ଦୋଳନ
କିଛି ଦିନ ପୂର୍ବରୁ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ ରହିଥିଲା। ତେବେ ବିଧାନସଭା ଚାଲିଥିବା ବେଳେ ଗାନ୍ଧୀମାର୍ଗରେ ଏକାଠି ହୋଇଛନ୍ତି ଶିକ୍ଷକ, ପୁରାତନ ଛାତ୍ର, ଅଭିଭାବକ। ଓଷ୍ଟା ପକ୍ଷରୁ ଏହାର ଆୟୋଜନ କରାଯାଇଛି । ଦାବି ପୂରଣ ନ ହେଲା ଯାଏଁ ଅନିର୍ଦ୍ଦିଷ୍ଟକାଳ ଗଣଧାରଣା ଦେବାକୁ ଘୋଷଣା କରାଯାଇଛି। ଅନ୍ୟପଟରେ ଲୋୟର ପିଏମଜିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ମୁହଁରେ ନଡା ରଖି ଫୁଟପାଥରେ ଅଧିଆ ପଡିଛନ୍ତି ଗାଁ ସାଥୀ। ସେମାନେ ମାସିକ ୧୦ ହଜାର ପ୍ରୋତ୍ସାହନ ରାଶି ଦେବାକୁ ଦାବି କରିଛନ୍ତି। ସେମାନଙ୍କର ଦାବି ପୂରା ନହେଲେ ୩୦ ତାରିଖରେ ବିଶାଳ ସମାବେଶ କରି ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚ ଓ ସମିତିସଭ୍ୟ ବି ରାଜଧାନୀର ରାଜରାସ୍ତାରେ ଧାରଣା ଦେଇଛନ୍ତି।
ଗର୍ଜିଲେ ଆୟୁଷ ଡାକ୍ତର
ସେହିପରି ବିଭିନ୍ନ ଦାବି ନେଇ ଆୟୁଷ ଡାକ୍ତରମାନେ ଧାରଣାରେ ବସିଛନ୍ତି। କାର୍ଯ୍ୟ ବନ୍ଦ କରି ଆୟୁଷ ଡାକ୍ତର ଧାରଣା ଦେଇଛନ୍ତି। ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ରାଜ୍ୟରେ ନିଯୁକ୍ତ ହୋଇ ନାହାଁନ୍ତି। ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ କାନରେ ସେମାନଙ୍କ କଥା ପହଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ଭାଗରୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କିଛିଦିନ ତଳେ କଳା ବ୍ୟାଚ୍ ପିନ୍ଧି ରାଜ୍ୟ ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ପୁଣି ବିଧାନସଭା ଚାଲିଥିବାବେଳେ ନିଜ ହକ୍ ପାଇଁ ଭୁବନେଶ୍ୱରରେ ଗର୍ଜିଛନ୍ତି। ଆୟୁର୍ବେଦ, ଯୋଗ ଓ ନେଚୁରୋପାଥୀ, ୟୁନାନି, ସିଦ୍ଧ ଓ ହୋମିଓପାଥୀକୁ ଗୁରୁତ୍ୱ ଦେଇ କେନ୍ଦ୍ରରେ ମୋଦୀ ସରକାର ୨୦୧୪ରୁ ଏଥିପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ କରିଛନ୍ତି। ଆୟୁର୍ବେଦ ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପାଇଁ ପ୍ରତିବର୍ଷ ବଜେଟ୍ ପରିମାଣ ବଢାଇ ଚାଲିଛନ୍ତି। ହେଲେ ରାଜ୍ୟରେ ଏହି ବର୍ଗକୁ ଅଣଦେଖା ନେଇ ଅଭିଯୋଗ ଉଠିଛି। କରୋନା ସମୟରେ ଜରୁରିକାଳୀନ ପରିସ୍ଥିତିରେ ସେମାନଙ୍କୁ ବ୍ୟବହାର କରାଯାଇ ପରେ ଠକି ଦେଇଥିବା ଅଭିଯୋଗ ହୋଇଛି।