Saturday, September 14, 2024
Homeଓଡ଼ିଶାରେ କରୋନା ଟିକା: ଲୋକେ ଉତ୍ସାହିତ !
Array

ଓଡ଼ିଶାରେ କରୋନା ଟିକା: ଲୋକେ ଉତ୍ସାହିତ !

ଭୁବନେଶ୍ୱର: ଓଡ଼ିଶାରେ କରୋନା ଟିକା ପହଂଚିବା ପରେ ଦୀର୍ଘ ଦିନରୁ କରାଯାଇଥିବା ଅପେକ୍ଷାର ଅନ୍ତ ଘଟିଛି। ଟିକା ପହଂଚିବା ନେଇ ରାଜ୍ୟବାସୀଙ୍କ ମନରେ ଏକ ଉତ୍ସାହ ଦେଖାଯାଇଛି। କିନ୍ତୁ କରୋନା ଟିକାକୁ ନେଇ ଅନେକଙ୍କ ମନରେ ନାନା ପ୍ରଶ୍ନ ଉଠିଛି। କିଛି ଲୋକ କରୋନା ଟିକା ନେବାକୁ ଏବେ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ ଟିକା ମାତ୍ର ୧୦ ମାସ ଭିତରେ ଉତ୍ପାଦନ ହୋଇଥିବାରୁ ଲୋକଙ୍କ ମନରେ  ଭୟ ବି ଦେଖାଯାଇଛି। ଆଉ କିଛି ଲୋକଙ୍କ ମତରେ କରୋନା ଟିକା ନେଇଥିବା ବ୍ୟକ୍ତିମାନଙ୍କର ଯଦି ୬ ମାସ ପରେ ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତା’ହେଲେ ପରେ ସେମାନେ ଟିକା ନେବାରେ କୌଣସି ସମସ୍ୟା ନାହିଁ।

କଟକ-ପୁରୀ-ନୟାଗଡ଼କୁ ଗଲା କରୋନା ଟିକା

କୋଭିଡ୍‌-୧୯ ଟିକାକରଣ ଆସନ୍ତା ୧୬ ତାରିଖ ହେବା ଲାଗି ଦିନ ଧାର୍ଯ୍ୟ ହୋଇଥିବା ବେଳେ ମହାରାଷ୍ଟ୍ରର ପୁନେ ସହରରୁ କରୋନା ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଛି। ପୁନେସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟରୁ ପକ୍ଷରୁ ଟିକା ଉତ୍ପାଦନ କରାଯାଇ ଦେଶର ଅନ୍ୟ ୧୨ଟି ସହର ବ୍ୟତୀତ ଭୁବନେଶ୍ୱରକୁ ମଧ୍ୟ କରୋନା ଟିକା ‘କୋଭିସିଲ୍‌ଡ’ ପଠାଯାଇଥିଲା। ଭୁବନେଶ୍ୱରରେ ଟିକା ପହଂଚିବା ପରେ ଆଜି ସନ୍ଧ୍ୟାରେ କଟକ, ପୁରୀ ଓ ନୟାଗଡ଼କୁ ଟିକା ପଠାଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାକୁ ଜାନୁଆରୀ ୧୩ ତାରିଖରେ ଟିକା ପଠାଯିବାର ବ୍ୟବସ୍ଥା କରାଯାଉଛି।

କଡ଼ା ସୁରକ୍ଷାରେ ଟିକା ରଖାଗଲା

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟିକା ବାକ୍ସଗୁଡ଼ି ପହଞ୍ଚିବା ପରେ ଏହାକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଶ୍ରୀରାମ ମନ୍ଦିର ଛକ ନିକଟରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟ ଟିକା ଆସିଛି। ଜାନୁଆରୀ ୧୩ ତାରିଖରୁ ଏହି ଟିକା ବିଭିନ୍ନ ଜିଲ୍ଲାକୁ  ପଠାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  

୪୦,୮୦୦ ଛୋଟ ବୋତଲରେ ଆସିଛି ଟିକା

ଆଜି ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାଏଲ୍‌  (ଛୋଟ ବୋତଲ୍‌)  କୋଭିସିଲ୍‌ଡ ଟିକା ଆସିଛି। ଗୋଟିଏ ବୋତଲରେ ଥିବା ୧୦ ଜଣଙ୍କୁ ଦିଆଯାଇ ପାରିବ। ଅର୍ଥାତ ରାଜ୍ୟର ୪ ଲକ୍ଷ ୮ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଇ ପାରିବ। କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଆଗଧାଡ଼ିର କର୍ମଚାରୀଙ୍କୁ ଗୁରୁତ୍ୱ ଦିଆଯିବ। ଟିକାଗ୍ରହଣ କରୁଥିବା ବ୍ୟକ୍ତିଙ୍କ ନିକଟକୁ ମୋବାଇଲ ମାଧ୍ୟମରେ ମେସେଜ ପଠାଯିବ।  

ରାଜ୍ୟରେ ୧୬୦ କେନ୍ଦ୍ରରେ ଟିକାକରଣ

ଦେଶବ୍ୟାପୀ ସମେତ ଓଡ଼ିଶାରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ ପୂର୍ବରୁ ରାଜ୍ୟରେ ୧୬୦ଟି ଟିକାଦାନ କେନ୍ଦ୍ର ଚିହ୍ନଟ ହୋଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାର ହସ୍ପିଟାଲରେ ତଥ୍ୟ ସରବରାହ ପାଇଁ ଭିଡିଓ କନଫେରେନ୍‌ସିଂ ବ୍ୟବସ୍ଥା କରାଯାଇଛି। ଏହି ୨ଟି ସ୍ଥାନରେ ଟିକା ଓ ଟିକା ନେଇଥିବା ବ୍ୟକ୍ତିଙ୍କ ସଂପର୍କରେ  ସୂଚନା ମିଳିପାରିବ।  

ରାଜ୍ୟରେ ୩.୩୨ ଲକ୍ଷ କରୋନା ଆକ୍ରାନ୍ତ

ରାଜ୍ୟରେ ଜାନୁଆରୀ ୧୨ ତାରିଖ ସୁଦ୍ଧା ୩ ଲକ୍ଷ ୩୨ ହଜାର ୩୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ବାହାର ରାଜ୍ୟର ଲୋକ ଅଛନ୍ତି ୨୨୫ ଜଣ।  ଏଥିରୁ ୩ ଲକ୍ଷ ୨୮ ହଜାର ୪୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧୮୯୪ ଜଣଙ୍କର ମୃତ୍ୟୁ ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments