ଭୁବନେଶ୍ବର: ଓଡ଼ିଶାର ରାଜନୈତିକ ଓ ପ୍ରଶାସନିକ ସ୍ତରରେ କିଛି ବର୍ଷ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିବା ସବୁ କଳ୍ପନାଜଳ୍ପନାର ଅନ୍ତଘଟିଛି। ବିଗତ ଦିନରେ ଓଡ଼ିଶା ସରକାରଙ୍କ ଜଣେ ଜଣାଶୁଣା ପ୍ରଶାସକ ଏବେ ଉଭୟ ରାଜନୀତି ଓ ପ୍ରଶାସନିକ କ୍ଷମତାକୁ ନିୟନ୍ତ୍ରଣ କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିବା ଭି କାର୍ତ୍ତିକେୟନ ପାଣ୍ଡିଆନ୍ ୨୦୨୩ ନଭେମ୍ବର ୨୭ ତାରିଖ ପୂର୍ବାହ୍ଣ ସାଢ଼େ ୧୦ଟାରେ ପ୍ରତକ୍ଷ୍ୟ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କୁ ସ୍ବାଗତ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍ ଯେତେବେଳେ ବିଜେଡିରେ ଯୋଗଦେଇଛନ୍ତି, ଦଳୀୟ ବରିଷ୍ଠ ନେତାମାନଙ୍କ ମୁହଁରେ ହସ ଦେଖାଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ସଦସ୍ୟ ହେଲା ପରେ ଭିକେ ପାଣ୍ଡିଆନ୍ ଅଳ୍ପ ଦିନ ପରେ ସେ ଆଗାମୀ ସାଧାରଣ ନିର୍ବାଚନରେ କେଉଁଠି ପ୍ରାର୍ଥୀ ହେବେ ତାହା ମଧ୍ୟ ଜନତା ଜାଣିଯିବେ। କିଛି ମାସ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯେତେବେଳେ ଭୁବନେଶ୍ବରର ଏକ ବିଳାସପୂର୍ଣ୍ଣ ହୋଟେଲରେ ଭିକେ ପାଣ୍ଡିଆନଙ୍କ ସହିତ ଗୁପ୍ତ ବୈଠକ କରିଥିଲେ, ସେହି ସମୟରେ ସନ୍ଦେହ କରାଯାଉଥିଲା ଯେ, ରାଜ୍ୟ ପ୍ରଶାସନିକ ଓ ରାଜନୀତିରେ କିଛି ପରିବର୍ତ୍ତନ ହେବ। ତେଣୁ ସମ୍ଭାବିତ ଚୁକ୍ତି ଅନୁସାରେ ତାମିଲନାଡୁର ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ପଦବିରୁ ସ୍ବେଚ୍ଛାକୃତ ଅବସର ନେଲା ପରେ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେହି ହିସାବରେ ସେ ଆଗାମୀ ଦିନରେ ଓଡ଼ିଶାରୁ କୌଣସି ଆସନରୁ ବିଧାୟକ ହୋଇ ମନ୍ତ୍ରୀ ବା ଉପମୁଖ୍ୟମନ୍ତ୍ରୀ ଅଥବା ମୁଖ୍ୟମନ୍ତ୍ରୀ ହେବେ ତାହା ସମୟ କହିବ।ଓଡ଼ିଶାର କ୍ଷମତାର ଗତି କୁଆଡେ ଯିବ ତାହା ସମୟ କହିବ।
ସିଧାସଳଖ ପ୍ରଚାର କରିବେ
ଏକଦା ଯେଉଁ ପ୍ରଶାସକ ଅଳ୍ପ କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନସଭାକୁ ସମ୍ବୋଧିତ କରୁଥିଲେ ସେହି ବ୍ୟକ୍ତି ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଦଳର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ନେତାଙ୍କୁ ପରାମର୍ଶ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ୫ଟି ସଚିବ ତଥା ବର୍ତ୍ତମାନ ଆମ ଓଡ଼ିଶା ଓ ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅନ୍ୟ ଅଧିକାରୀ ଓ ନେତାଙ୍କ ତୁଳନାରେ ଭିନ୍ନ। କାରଣ ରାଜ୍ୟରେ ବହୁ ଆଇଏଏସ୍ ଅଧିକାରୀ ଥିଲେ ମଧ୍ୟ ଶ୍ରୀ ପାଣ୍ଡିଆନଙ୍କ ଭଳି ସଫଳତା କାହାରିକୁ ମିଳିପାରି ନାହିଁ। ତାହା ତାଙ୍କର ନିଷ୍ଠାପର କର୍ତ୍ତବ୍ୟ ହେଉ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ହେଉ। ବିଶେଷ କରି ବିଗତ ୧୨ ବର୍ଷ ମଧ୍ୟରେ ପାଣ୍ଡିଆନ ଅଧିକ ଦକ୍ଷ ହୋଇପାରିଛନ୍ତି। ସବୁଠାରୁ ବଡ଼ କଥା ହେଲଶ ଯେ, ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବ। ତେଣୁ ପାଣ୍ଡିଆନଙ୍କ ଆଗାମୀ ଭୂମିକା କ’ଣ ହେବ, ତାହା ନବୀନ ପଟ୍ଟନାୟକ ହିଁ ସ୍ଥିତ କରିଛନ୍ତି ବା କରିପାରିବେ।
ସମସ୍ୟା ଅନେକ: ବିରୋଧୀ
ବିଗତ ୨୩ ବର୍ଷ ହେଲା ରାଜ୍ୟରେ ଗୋଟିଏ ଦଳ ପାଖରେ କ୍ଷମତା ରହିଛି। ତେବେ ବିଗତ ୧୦ ବଷ ମଧ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ଚୋରି, ଡକାୟତି, ହତ୍ୟା, ଷଡ଼ଯନ୍ତ୍ର, ନାରୀ ନିର୍ଯାତନା, ଦାନନ ସମସ୍ୟା, କୃଷି ଉତ୍ପାଦନ ହ୍ରାସ ପାଇଥିଲେ ମଧ୍ୟ ବିଜେଡି ସରକାର ଭାଷଣବାଜୀରେ ବିକାଶ ହୋଇଛି ବୋଲି କହୁଛି। ବିଶେଷ ଭାବରେ ତୃଣମୂଳସ୍ତରକୁ ମୁଖ୍ୟମନ୍ତ୍ରୀ ନବୀନ ନିଜେ ଯାଇ ନପାରି ବିଗତ ୫ ବର୍ଷ ହେଲା ଭିକେ ପାଣ୍ଡିଆନଙ୍କୁ ପଠାଇ ସରକାର ଚଳାଇଛନ୍ତି। ସ୍ଥାନୀୟ ନେତା ନାମକୁ ମାତ୍ର କହିଲେ ଚଳେ। କାରଣ ତାଙ୍କର ହାତରେ କୌଣସି କ୍ଷମତା ନାହିଁ। ଏପରିକି ବିଗତ ୨୩ ବର୍ଷ ମଧ୍ୟରେ ନବୀନଙ୍କ ବିକଳ୍ପ ନେତା କେହି ବାହାରି ପାରିଲେ ନାହିଁ ବୋଲି ବିରୋଧୀ ଦଳର ନେତାମାନେ ଅନେକ ସମୟରେ ଚର୍ଚ୍ଚା କରନ୍ତି। କିନ୍ତୁ ବିଜେଡି ସବୁବେଳେ କହୁଛି ରାଜ୍ୟର ବିକାଶ ହେଉଛି।
ପାଦ ଛୁଇଁ ପ୍ରଣାମ କଲେ
ଏକ ସପ୍ତାହ ଧରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଭି.କେ.ପାଣ୍ଡିଆନ୍ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବିଜୁ ଜନତା ଦଳରେ ଯୋଗଦେବେ। ରବିବାର ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଆସିବା ଲାଗି ଫୋନ୍ ଯିବା ଏବଂ ଶଂଙ୍ଖ ଭବନରେ ବିଶେଷ ବୈଠକର ଆହ୍ବାନ ଦିଆଯିବା ଏକ ପ୍ରକାର ନିଶ୍ଚିତ କରିଥିଲା ଯେ ଶ୍ରୀ ପାଣ୍ଡିଆନ୍ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଉଛନ୍ତି। ସେହି ଆଧାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ, ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ପୁରୀ ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ। ଶ୍ରୀ ପାଣ୍ଡିଆନ୍ ବିଜେଡି ଲାଗି ଏକ ଆସେଟ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ପ୍ରକାଶ କରିଛନ୍ତି।
ପାଣ୍ଡିଆନ୍ଙ୍କ ଜନ୍ମ ଓ କର୍ମ
ତାମିଲନାଡୁର ମଦୁରାଇ ଜିଲ୍ଲା କୋଠାପନପଟ୍ଟିରେ ୧୯୭୪ ମସିହା ଏପ୍ରିଲ ୨୪ ତାରିଖରେ ଭିକେ ପାଣ୍ଡିଆନ୍ ଜନ୍ମଗ୍ରହଣ କରିଥିଲେ। କୃଷି ବିଷୟରେ ସ୍ନାତକ ପରେ ସେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୨୦୦୦ ମସିହାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେହିବର୍ଷ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ।
-୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯: ଧର୍ମଗଡ଼ ଉପଜିଲ୍ଲାପାଳ
– ୨୦୦୪ ମାର୍ଚ୍ଚ ୧ରୁ ଜୁନ୍ ୩୦: ଉପ ମୁଖ୍ୟ ନିର୍ବାଚନ ଅଧିକାରୀ
-୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦: ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ
-୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮: ମୟୂରଭଂଜ ଜିଲ୍ଲାପାଳ
-୨୦୦୭ ଏପ୍ରିଲ୯ରୁ ୨୦୦୯ ଜାନୁଆରି ୧: ଗଂଜାମ ଜିଲ୍ଲାପାଳ
-୨୦୧୧ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
-୨୦୧୯ରେ ୫ଟି ସଚିବ
-୨୦୨୩ ଅକ୍ଟୋବର ୨୦ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ଆବେଦନ
-୨୦୨୩ ଅକ୍ଟୋବର ୨୩ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଂଜୁରୀ
-୨୦୨୩ ଅକ୍ଟୋବର ୨୫ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫ଟି ଅଧ୍ୟକ୍ଷ
-୨୦୨୩ ନଭେମ୍ବର ୨୭ରେ ବିଜେଡିରେ ଯୋଗଦାନ
ଗଂଜାମର ଜିଲ୍ଳାପାଳ ଥିବା ମଧ୍ୟରେ ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ଏହାର ଅଳ୍ପ କିଛି ମାସ ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ପରୋକ୍ଷ ଭାବେ ଦଳର ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ୍ ଥିଲେ।
ଛାଟିପିଟି ହେଉଥିବ ବିଜୁବାବୁଙ୍କ ଆତ୍ମା!
ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବେ? କାହାକୁ ନବୀନ ନିଜର ଉତ୍ତରାଧିକାରୀ କରିବେ? ଏହି ପ୍ରଶ୍ନ ଉପରେ ଆଜି ବିରାମ ଲାଗିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଭିକେ ପାଣ୍ଡିଆନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲା ପରେ ନବୀନ ତାଙ୍କୁ ହିଁ ନିଜର ଉତ୍ତରାଧିକାରୀ କରିବେ ବୋଲି ଏବେଠୁ ସ୍ପଷ୍ଟ ଆଭାସ ମିଳିଛି। ଟୁଇଟ୍ କରି ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଲୋକଙ୍କ ପାଇଁ ଭିକେ ପାଣ୍ଡିଆନ୍ ବହୁ ବର୍ଷ ହେଲା କଠିନ କାମ କରି ଆସିଛନ୍ତି। ତେଣୁ ବିଶ୍ବାସ କରୁଛି ଯେ, ସେ ଏହି କାମ ଜାରି ରଖିବେ। ଅନ୍ୟପଟରେ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି, ଏହା ଦେଖି ବିଜୁ ବାବୁଙ୍କ ଆତ୍ମା ନିଶ୍ଚିତ ଛାଟିପିଟି ହେଉଥିବ। ଜଣେ ଅଣଓଡ଼ିଆ ହୋଇଥିବାରୁ ଶ୍ରୀ ପାଣ୍ଡିଆନ୍ ବିଜେଡିରେ ଯୋଗଦେବାକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀ ନାପାସନ୍ଦ କରୁଛନ୍ତି।