ଭୁବନେଶ୍ବର: ବିବାହ ହେଉଛି ସାମାଜିକ ଚଳଣିର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ବଂଶ ରକ୍ଷା ହେଉ ଅଥବା ନିଃସଙ୍ଗ ଜୀବନରେ ସାଥୀ ହେବା ପାଇଁ ହେଉ, ଏହା ଜରୁରୀ ମଧ୍ୟ। ଏବେ ସାରା ଦେଶରେ ବିବାହ ଋତୁ ଚାଲିଛି। ଓଡ଼ିଶାରେ ମଧ୍ୟ ଗାଁରୁ ସହର ଯାଏଁ ଲୋକେ ବିବାହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। କେବଳ ବର-କନ୍ୟା ନୁହେଁ। ବନ୍ଧୁବାନ୍ଧବ, ସାଙ୍ଗସାଥୀ, ବ୍ରାହ୍ମଣ, ବାରିକ, ରୋଷିଆ, ଟେଣ୍ଟହାଉସ ମାଲିକ, ଟ୍ରାଭେଲ ଏଜେଣ୍ଟ, ଡିଜେ, ବିଉଟିପାର୍ଲର, ପ୍ରିଣ୍ଟିଂ ପ୍ରେସ୍, ବିବାହ ଆୟୋଜକ, ମଧ୍ୟସ୍ଥିମାନେ ମଧ୍ୟ ବହୁତ ବ୍ୟସ୍ତ ରହୁଛନ୍ତି। କିଛି ଲୋକଙ୍କୁ ଦିନକରେ ୪ରୁ ୫ଟି ବିବାହ କାର୍ଯ୍ୟରେ ଯୋଗଦେବାକୁ ପଡୁଛି। ରାଜ୍ୟରେ ଏବେ ଜିଲ୍ଲାପାଳଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାହ ସଂପନ୍ନ ହୋଇସାରିଥିବା ବେଳେ ଖୁବ ଶୀଘ୍ର ରାୟଗଡ଼ା ଓ ପୁରୀ ଜିଲ୍ଲାପାଳଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି।
ସାଧାରଣ ଲୋକ ହୁଅନ୍ତୁ ଅଥବା ଜିଲ୍ଲାପାଳ ହୁଅନ୍ତୁ, ରାଜନେତା ହୁଅନ୍ତୁ କି ଅନ୍ୟ କୌଣସି ବଡ଼ପଦପଦବିରେ ଥାଆନ୍ତୁ। ସାମାଜିକ ପରଂପରାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବେ ବିବାହକୁ ଉଚ୍ଚଶିକ୍ଷିତ, ଶିକ୍ଷାବିଦ୍ମାନେ ଗ୍ରହଣ କରିଥାନ୍ତି। ତେବେ ସାଧାରଣ ମଣିଷଟିଏର ବିବାହକୁ ନେଇ କମ ଚର୍ଚ୍ଚା ହେଉଥିବା ବେଳେ ଜିଲ୍ଲାପାଳଙ୍କ ବିବାହକୁ ନେଇ ଜିଲ୍ଲାସାରା ଆଲୋଚନା ହୋଇଥାଏ। କିନ୍ତୁ ଜିଲ୍ଲାପାଳମାନେ ଯେତେବେଳେ ପ୍ରଥମ ବିବାହରେ ବିଫଳ ହୋଇ, ଦ୍ବିତୀୟ ଥର ହାତ ଧରନ୍ତି, ଏହାକୁ ନେଇ ଚର୍ଚ୍ଚା ହେବା ସାଧାରଣ କଥା। ସମ୍ବଲପୁର, ବଲାଙ୍ଗୀର, ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ହେବାର କାରଣ ହେଉଛି, ଏହା ସେମାନଙ୍କର ଦ୍ବିତୀୟ ପାଳି।
ବାହା ହେବେ ସମର୍ଥ-ସ୍ବଧାଦେବୀ
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ତାଙ୍କ ବଲାଙ୍ଗୀର ସମକକ୍ଷ ଚଞ୍ଚଳ ରାଣାଙ୍କ ଦ୍ବିତୀୟ ବିବାହକୁ ନେଇ ରାଜ୍ୟସାରା ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ରାଜ୍ୟର ଆଉ ଏକ ଜିଲ୍ଲାପାଳଙ୍କ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ହାତ ଧରିବାକୁ ତାଙ୍କର ରାୟଗଡ଼ା ସମକକ୍ଷ ସ୍ବଧାଦେବ ସିଂହ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ବିବାହ ଚଳିତମାସରେ ଉତ୍ତରପ୍ରଦେଶର ବାରଣାସୀଠାରେ ଅନୁଷ୍ଠିତ ହେବ। ଉଭୟ ସମର୍ଥ ଏବଂ ସ୍ବଧାଦେବଙ୍କ ଦ୍ବିତୀୟ ବିବାହ ହେବ। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ସମର୍ଥ ବର୍ମା ପୂର୍ବରୁ ଭାରତୀୟ ରେଳବାଇ ଅଧିକାରୀ ସୂଚୀ ସିଂହଙ୍କୁ ବିବାହ କରିଥିଲେ। ବିଚ୍ଛେଦ ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିବାହ କରିଥିଲେ।
ଅନନ୍ୟା-ଚଞ୍ଚଳ ଚର୍ଚ୍ଚିତ
ରାଜ୍ୟର ଦୁଇ ଯୁବ ଆଇଏଏସ୍ ଅଧିକାରୀ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ହାତଧରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ଗତ ୧ ତାରିଖ ଦିନ ଆସାମର ଗୌହାଟିସ୍ଥିତ ଏକ ତାରକା ହୋଟେଲରେ ଏଥି ପାଇଁ ବଙ୍ଗୀୟ ରୀତିନୀତିରେ ଏକ ବିଶାଳ ଆୟୋଜନ କରାଯାଇଥିଲା, ଯେଉଁଥିରେ କି ଉଭୟଙ୍କ ପରିବାର ଲୋକ ଓ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ୨୦୧୪ ବ୍ୟାଚ୍ ଆଇଏଏସ୍ ଚଞ୍ଚଳ ଏବଂ ୨୦୧୫ ବ୍ୟାଚ୍ ଆଇଏଏସ୍ ଅନନ୍ୟାଙ୍କ ଏହା ବ୍ୟକ୍ତିଗତ ବୈବାହିକ ଜୀବନର ଦ୍ବିତୀୟ ପାଳି ଆରମ୍ଭ କରିଛନ୍ତି। ପୂର୍ବରୁ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ ହୋଇଥିଲେ ରାୟଗଡ଼ା ଜିଲ୍ଲାପାଳ ସ୍ବଧାଦେବୀ। ସେହିପରି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ୍ ଅଖତରଙ୍କ ପ୍ରଥମ ପତ୍ନୀ ହୋଇଥିଲେ ଅନନ୍ୟା ଦାସ।

ଚର୍ଚ୍ଚାରେ ଥିଲେ ଟିନା ଡାବି
୨୦୧୬ ବ୍ୟାଚ୍ର ଆଇଏଏସ୍ ଟିନା ଡାବି ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। ମଧ୍ୟପ୍ରଦେଶର ଭୋପାଳରେ ଜନ୍ମିତ ଝିଅ ଟିନା ଯେତେବେଳେ ୨୦୧୫ ବ୍ୟାଚ୍ର ଆଇଏଏସ୍ ଅତହର ଅମିର ଖାନ୍ଙ୍କୁ ୨୦୧୮ରେ ବିବାହ କରିଥିଲେ, ଏହା ସେହି ସମୟରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେମାନଙ୍କର ବୈବାହିକ ଜୀବନ ବେଶୀ ଦିନ ପାଇଁ ତିଷ୍ଠି ନଥିଲା। ଜମ୍ମୁ କଶ୍ମୀରର ଅନନ୍ତନାଗ ନିବାସୀ ଅତହରଙ୍କ ସହିତ ତାଙ୍କର ସଂପର୍କ ୨୦୨୧ରେ ଯବନିକା ପଡ଼ିଥିଲା ଏବଂ ରାଜସ୍ଥାନ କ୍ୟାଡର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଟିନା ଡାବି ଦ୍ବିତୀୟ ବିବାହ କରି ପୁଣି ଥରେ ଚର୍ଚ୍ଚାକୁ ଆସିଥିଲେ। ପ୍ରଦୀପ ଗୱାଣ୍ଡେ ପୂର୍ବରୁ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଏକାକୀ ଜୀବନ ବିତାଉଥିଲେ। ଶେଷରେ ଅତହର ଗତ ଅକ୍ଟୋବର ମାସରେ ଜଣେ ଡାକ୍ତରାଣୀ ମେହରିନ କ୍ବାଜିଙ୍କ ହାତ ଧରିଥିଲେ।
ବିଚ୍ଛେଦର ଦୁଃଖ
ସାଧାରଣ ମଣିଷ ଓ ଆଇଏଏସ୍ ଅଧିକାରୀଙ୍କ ପ୍ରେମ ଭିତରେ ଅନେକ ତାରତାମ୍ୟ ରହିଛି। କାରଣ ଆଇଏଏସ୍ ଅଧିକାରୀଙ୍କ ପ୍ରେମର ଅନେକ କଥା ପଦାକୁ ଆସିପାରି ନଥାଏ। ଏପରିକି ବିବାହ ବିଚ୍ଛେଦ ପରେ ବି ଏହା ଜଣାପଡ଼ି ନଥାଏ। କିନ୍ତୁ ସେମାନଙ୍କ ପାଖରେ ବିଚକ୍ଷଣ ବୁଦ୍ଧି ଥିବାରୁ ପାରସ୍ପରିକ ସମ୍ମତି ଦ୍ୱାରା ଅଲଗା ହୋଇ ଯାଇଥାନ୍ତି। ଛାଡପତ୍ର ପରେ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି। ତେବେ ଛାଡ଼ପତ୍ର ହେଉ ଅଥବା ବିଚ୍ଛେଦ ହେଲା ପରେ ସେମାନେ କେମିତି ରହନ୍ତି ଏହି ଅଭିଜ୍ଞତା ଏକଦା ଟିନା ଡାବି ଗଣମାଧ୍ୟମ ଆଗରେ କହିଥିଲେ। ସେ ପ୍ରତିକ୍ରିୟା ଦେଇଥିଲେ ଯେ, ‘ବିବାହ ବିଚ୍ଛେଦ ଏକ ଦୁଃଖଦ ଅନୁଭବ। ସେ ସମୟରେ ଯେ କେହି ବି ଖୁବ୍ ଭାବପ୍ରବଣ ହୋଇପଡ଼ିବ। ସେ ମୁସ୍କିଲ୍ ସମୟରୁ ବାହାରକୁ ବାହାରିବା ପାଇଁ ମୁଁ ନିଜକୁ ବେଶ୍ ବ୍ୟସ୍ତ ରଖୁଥିଲି ବିଭିନ୍ନ କାର୍ଯ୍ୟରେ। ଟିନାଙ୍କ ପରି ସ୍ବଧାଦେବୀ ଓ ଅନନ୍ୟାଙ୍କ ଅବସ୍ଥା ହୋଇଥିବା ଅନୁମାନ କରାଯାଇପାରିବ।