ଓଡ଼ିଶା ଆସିଲା ବିଜୁବାବୁଙ୍କ ‘ଡାକୋଟା ବିମାନ 

    0
    95

    ଭୁବନେଶ୍ବର: ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ଓଡ଼ିଶା ଅଣାଯାଇଛି। ରାଜ୍ୟ ସରକାରଙ୍କ ବିପୁଳ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ସମର୍ଥନ ତଥା ସହଯୋଗ କାରଣରୁ ‘ଡାକୋଟା’ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଖୁବ୍‌ ଶୀଘ୍ର ଟର୍ମିନାଲ-୧ ସମ୍ମୁଖରେ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ରଖାଯିବ। ରାଜ୍ୟ ସରକାର ଏହି ଭଗ୍ନ ବିମାନକୁ ଅବିକଲ ରୂପ ଦେବାକୁ ଚେଷ୍ଟା କରିବେ ଏବଂ ଏହା ପରେ ବିମାନବନ୍ଦର ସାମ୍ନାରେ ପ୍ରଦର୍ଶନୀ ଉଦ୍ଦେଶ୍ୟରେ ରଖିବେ। ରାଜ୍ୟ ତଥା ଦେଶ ବିଦେଶରୁ ଭୁବନେଶ୍ବରକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ଏହି ବିମାନକୁ ଦେଖି ବିଜୁ ବାବୁଙ୍କୁ ସ୍ମରଣ କରିବେ। ଓଡ଼ିଶା ମାଟିରେ ଏଭଳି ଜଣେ ମହାପୁରୁଷ ଜନ୍ମ ନେଇଥିଲେ, ଯିଏକି ୫ ଦଶନ୍ଧି ପୂର୍ବରୁ ବିଶାଳ ବିମାନ ଚଳାଇ ଥିଲେ ବୋଲି ହୃଦୟଙ୍ଗମ କରିବେ।

    କୋଲକାତାର ନେତାଜୀ ସୁବାଷ ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଡାକୋଟା ବିମାନକୁ ଭୁବନେଶ୍ବର ଆଣିବା ପାଇଁ ରାଜ୍ୟ ସରକାର ଯଦିଓ ବହୁବର୍ଷ ହେଲା ଉଦ୍ୟମ କରିଥିଲେ, ବିଗତ ୨ ବର୍ଷ ହେବ ଏଥିପାଇଁ ଅଧିକ ତତ୍ପର ଥି‌ଲେ। ଡାକୋଟାକୁ ଆଣିବା ପାଇଁ ଶେଷରେ ସଫଳ ମଧ୍ୟ ହୋଇଛନ୍ତି। ଏବେ ଏହାକୁ ସଜେଇ ରଖିବା ପାଇଁ କାମ ଆରମ୍ଭ ହେବ। ଅଳ୍ପ କିଛି ମାସରେ ଏହାକୁ ଅନ୍ତିମ ରୂପ ଦିଆଯିବ। ଶେଷରେ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆସନ୍ତା ମାର୍ଚ୍ଚ ମାସ ୫ ତାରିଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ।

    ବିଶାଳ ହୃଦୟ ଦେଖାଇଲା କେନ୍ଦ୍ର

    ବିଜୁବାବୁଙ୍କ ପ୍ରିୟ ଡାକୋଟା (ଡିସି-୩) ଭିଟି-ଏୟୁଆଇ ବିମାନ ଓଡ଼ିଶା ଆଣିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୋର, ବାଲେଶ୍ବର, ଯାଜପୁର, କଟକ ଓ ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଜନଗହଳିପୂର୍ଣ୍ଣ ସ୍ଥାନରେ ପୁଲିସ ମୁତୟନ ଥିଲେ। ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଏଠାରେ ବିମାନ‌ର ଯନ୍ତ୍ରାଂଶଗୁଡ଼ିକୁ ଖଞ୍ଜାଯିବା ସହ ବିମାନଟିକୁ ଯଥାସମ୍ଭବ ନୂଆ ରୂପ ଦିଆଯିବ। ମୋଦୀ ସରକାର ବିଜୁବାବୁଙ୍କ ଗୁରୁତ୍ବକୁ ହୃଦୟଙ୍ଗମ କରିଛନ୍ତି। ବିଜୁବାବୁଙ୍କ ସ୍ମୁତି ରକ୍ଷା ପାଇଁ କେନ୍ଦ୍ର ସରକାର ଯେଉଁ ବିଶାଳ ଦୃହଦୟର ପରିଚୟ ଦେଇଛନ୍ତି, ନିଶ୍ଚିତ ଭାବେ ଧନ୍ୟବାଦ ଦିଆଯିବାର ଆବଶ୍ୟକତା ରହିଛି।

    ପୁଷ୍ପାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

    ଡାକୋଟା ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଷ୍ପାଞ୍ଜଳି ଦେଇ ସ୍ବାଗତ କରିଛନ୍ତି। ବାପାଙ୍କ ସ୍ମୃତିକୁ ଫେରାଇ ଆଣିଥିବାରୁ ସେ ଭାବବିହ୍ବଳ ହୋଇଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବିଜୁବାବୁଙ୍କର କିମ୍ବଦନ୍ତୀ ବିମାନ ଶେଷରେ ଫେରି ଆସିଛି। ଏହି ବିମାନ ସହିତ ଅନେକ ଐତିହାସିକ ସଂପୃକ୍ତି ଥିଲା। ଏହି ବିମାନରେ ବିଜୁବାବୁ ଅନେକ ସାହାସିକ କାର୍ଯ୍ୟ କରିଥିଲେ। ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଡଚ୍‌ମାନଙ୍କ କବ୍‌ଜାରୁ ମୁକ୍ତ କରିବାରେ ଅପାର ସଫଳତା ପାଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟରେ ବିଜୁ ବାବୁ ଚାଇନା, ନେପାଳ ଆଦି ଦେଶକୁ ଏହି ବିମାନରେ ଯାତ୍ରା କରିଥିଲେ।

    କେବେ ଫେରିବେ ଦାଦନ

    ଓଡ଼ିଶାକୁ ଡାକୋଟା ବିମାନ ଫେରିଆସିବା ଭଲ କଥା। ଓଡ଼ିଶାର ବିକାଶ ପାଇଁ ଯେଉଁ ଜନନାୟକ ଏକ ବିଶାଳ ସ୍ବପ୍ନ ଦେଖିଥିଲେ, ତାଙ୍କର ସ୍ମୁତି ରାଜ୍ୟକୁ ଫେରାଇ ଆଣିବା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ବିଜୁବାବୁ ଓ ମଧୁବାବୁ ଯେଉଁ ସ୍ବାଭିମାନ ଓଡ଼ିଶା ଗଠନ ପାଇଁ ସ୍ବପ୍ନ ଦେଖୁଥିଲେ, ତାହା କେବେ ପୂରଣ ହେବ? ଓଡ଼ିଶାର ମହାପୁରୁଷଙ୍କ ସ୍ବପ୍ନକୁ ବିଜେଡି ପରିଚାଳିତ ସରକାର ପୂରା କରିପାରିଲେ, ତାହା ସାଢ଼େ ୪କୋଟି ଜନତାଙ୍କ ମୁହଁରେ ହସ ଫୁଟନ୍ତା। ରାଜ୍ୟରେ ରୋଜଗାରର ଅଭାବ କାରଣରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଛତିଶଗଡ଼, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଦାଦନ ଖଟୁଛନ୍ତି। ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟମନ୍ତ୍ରୀ ଯଦି ସ୍ବାଗତ କରନ୍ତେ, ତାହା ଭଲ ହୋଇପାରନ୍ତା। ରୋଜଗାର ଦେଇ ଗରିବଙ୍କ ମୁହଁରେ ହସ ଫୁଟାଇପାରିଲେ ଭଲ ହୋଇପାରନ୍ତା।  

    LEAVE A REPLY

    Please enter your comment!
    Please enter your name here