ଭୁବନେଶ୍ବର(ଲିପିକା ପ୍ରଧାନ): ସଭ୍ୟତା ଯେତେ ଆଧୁନିକ ହେଉନା କାହିଁକି, ପ୍ରକୃତି ବିନା ଏହା ବଞ୍ଚିବା ସହଜ ନୁହେଁ। ମାଟି, ପାଣି, ପବନ ବ୍ୟତୀତ ଜୀବଜଗତ ବଞ୍ଚି ରହିବା ଅସମ୍ଭବ। ପ୍ରକୃତିର ସୁରକ୍ଷା ପାଇଁ ମନୁଷ୍ୟ ସମାଜ ସଚେତନ ହେଲେ, ଧରିତ୍ରୀ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିବ। ବିଶ୍ବକୁ ବଞ୍ଚାଇବାକୁ ହେଲେ ପ୍ରାଣୀଜଗତର ବିକାଶ ଚିନ୍ତା କରିବାକୁ ହେବ। ଏଥି ପାଇଁ ବ୍ୟକ୍ତିଗତ, ସାମୁହିକ, ସରକାରୀ ଓ ବେସରକାରୀ ସଂସ୍ଥାକୁ ଦାୟିତ୍ବବାନ୍ ହେବାକୁ ପଡ଼ିବ।
ଈଶ୍ବରଙ୍କ ସୃଷ୍ଟି ହେଉଛି ମନୁଷ୍ୟ ସବୁଠାରୁ ଶିକ୍ଷିତ ପ୍ରାଣୀ। କିନ୍ତୁ କ୍ଷୋଭର କଥା ହେଲା ଯେ, ଶିକ୍ଷିତ ମନୁଷ୍ୟର ପ୍ରକୃତି ଅଶିକ୍ଷିତ ଭଳି ଲାଗିଥାଏ। କାରଣ ବହୁତ୍ ସଂଖ୍ୟାରେ ଲୋକ ପ୍ରକୃତିକୁ ଚିହ୍ନିଥାନ୍ତି। ଅପରପକ୍ଷେ ପ୍ରକୃତିକୁ ମନୁଷ୍ୟ ତୁଳନାରେ ପଶୁ-ପକ୍ଷୀ ଅଧିକ ଚିହ୍ନିଥାନ୍ତି। ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ସେତେବେଳେ ସେମାନେ ଏହାକୁ ପ୍ରମାଣିତ କରିଥାନ୍ତି। ଧରନ୍ତୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ ପ୍ରଥମେ ପଶୁ-ପକ୍ଷୀମାନେ ସେହି ସ୍ଥାନ ଛାଡ଼ି ଅନ୍ୟତ୍ର ପଳାୟନ କରିଥାନ୍ତି। ବିପଦ ମାଡ଼ି ଆସିବା ପୂର୍ବରୁ ପଶୁ-ପକ୍ଷୀମାନେ ବ୍ୟସ୍ତ ହୋଇଥାନ୍ତି। ଏଣେତେଣେ ପଳାୟନ କରିବାରେ ଲାଗିଥାନ୍ତି।
ଜଳାଶୟରେ ବିଦେଶୀ ପକ୍ଷୀ
ଓଡ଼ିଶା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ବିଶ୍ବର ଅନ୍ୟତମ ସ୍ଥାନ। ଏଠାକାର ମାଟି କେବଳ ବିଦେଶୀ ମନୁଷ୍ୟଙ୍କୁ ଟାଣି ଆଣୁଛି ତାହା ନୁହେଁ, ବରଂ ବିଦେଶୀ ପକ୍ଷୀମାନେ ମଧ୍ୟ ଆସି ଓଡ଼ିଶା ମାଟିରେ ମାସମାସ ରହିଥାନ୍ତି। ପୁଣି ସମୟ ଆସିଲେ ଫେରିଯାଆନ୍ତି। ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଚିଲିକା ସବୁଠାରୁ ଆକର୍ଷିଣୀୟ କେନ୍ଦ୍ର ପାଲଟିଛି। ଚିଲିକା ବ୍ୟତୀତ ମଙ୍ଗଳାଯୋଡ଼ି, ଭିତରକନିକା, ହୀରାକୁଦ ଡ୍ୟାମ୍, ଟିକରପଡ଼ା, ସିଂହବଗା ଆଦି ସ୍ଥାନରେ ବିଦେଶୀ ପକ୍ଷୀମାନଙ୍କର ଭିଡ ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଅକ୍ଟୋବର ମାସ ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଓଡ଼ିଶା ଜଳବାୟୁରେ ଆଦ୍ରତା ଥିବାରୁ ରାଜ୍ୟର ଅନେକ ଜଳାଶୟରେ ବିଦେଶୀ ପକ୍ଷୀମାନେ କିଚିରିମିଚିରି ଶବ୍ଦ କରିଥାନ୍ତି।
ପକ୍ଷୀ ବଢ଼ାଉଛନ୍ତି ଚିଲିକାର ସୌନ୍ଦର୍ଯ୍ୟ
ଅକ୍ଟୋବର ମାସ ଆରମ୍ଭ ହେବା ମାତ୍ରେ ବୃହତ ଜଳରାଶି ଚିଲିକା ଓ ଅଂଶୁପା ହ୍ରଦରେ ବିଦେଶୀ ପକ୍ଷୀଙ୍କ ସ୍ବର ଶୁଭିଥାଏ। କାଜକ୍ସ୍ଥାନ, ସାଇବେରିଆ, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଆଦି ବରଫାବୃତ୍ତ ଅଞ୍ଚଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ପକ୍ଷୀମାନେ ଆସିଥାନ୍ତି। ଏମାନେ ଚିଲିକାର ସୌନ୍ଦର୍ଯ୍ୟରେ ବଢ଼ାଇଥାନ୍ତି। ବିଭିନ୍ନ ପ୍ରଜାତିର ଲକ୍ଷ ଲକ୍ଷ ପକ୍ଷୀ ଜଳରାଶୀରେ ୪-୫ ମାସ ପାଇଁ ଅତିଥି ପାଲଟି ଯାଆନ୍ତି। ପକ୍ଷୀମାନେ ନିଜେ ଅତିଥି ହୋଇ ପର୍ଯ୍ୟଟକ ମାନଙ୍କର ଲାଗି ଦୃଶ୍ୟର ସାମଗ୍ରୀ ହୋଇଥାନ୍ତି। ଚିଲିକାରେ ଏହି ସମୟରେ ପର୍ଯ୍ୟଟକଙ୍କର ଭିଡ଼ ରହୁଥିବାର ସ୍ଥାନୀୟ ଲୋକେ ମଧ୍ୟ ବ୍ୟବସାୟିକ ଲାଭ ପାଇଥାନ୍ତି।
ଭିତରକନିକାରେ ପକ୍ଷୀଙ୍କ ସମାବେଶ
ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ବର ଅନ୍ୟତମ ଆକର୍ଷଣୀୟ ସ୍ଥାନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀମାନେ ଏକତ୍ର ହେବା ଆରମ୍ଭ କରିଛନ୍ତି। ଦିନକୁ ଦିନ ଭିତରକନିକାରେ ପକ୍ଷୀମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୯-୨୦ ମସିହାରେ ଭିତରକନିକାକୁ ୧ ଲକ୍ଷ ୧୮ ହଜାର ୩୨୬ ବିଦେଶୀ ପକ୍ଷୀ ଆସିଥିଲେ। ୨୦୨୦-୨୧ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ ଏଠାକୁ ୧ ଲକ୍ଷ ୩୬ ହଜାର ୯୨ ପକ୍ଷୀ ଆସିଥିଲେ। ୨୦୨୧-୨୨ ପକ୍ଷୀମାନଙ୍କର ଆଗମନ ଋତୁ ଜାରିଥିବାରୁ ଚଳିତ ବର୍ଷ କେତେ ପକ୍ଷୀ ଆସିବେ ତାହା ଆଗାମୀ ଜାନୁଆରୀରେ ହେବାକୁ ଥିବା ଗଣତି ପରେ ଜଣାପଡ଼ିବ।
ଶିକାରୀଙ୍କ ଠାରୁ ପକ୍ଷୀ କେତେ ସୁରକ୍ଷିତ
ତେବେ କ୍ଷୋଭର ବିଷୟ ହେଲା ଯେ, ବିଦେଶୀ ପକ୍ଷୀ ତଥା ପ୍ରାଣୀମାନଙ୍କ ସୁରକ୍ଷା ପ୍ରତି ଆମେ କେତେ ସଚେତନ ରହିଛେ। ବିଦେଶୀ ପକ୍ଷୀ ଯେତେବେଳେ ଆମ ନିକଟତର ଭୂଭାଗରେ ପହଞ୍ଚୁଛନ୍ତି, କିଛି ଅସାମଜିକ ଲୋକ ଶିକାର କରିବାକୁ ଯୋଜନା କରୁଛନ୍ତି। ଆମେ ଅତୀତରେ ଦେଖିଛେି ଯେ, ପକ୍ଷୀ ଶିକାରୀମାନେ ଗିରଫ ହୋଇଛନ୍ତି। ଚିଲିକା, ଭିତରକନିକା, ସାତପଡ଼ା, ଟିକରପଡ଼ା, ହୀରାକୁଦ ଓ ଅନ୍ୟକିଛି ସ୍ଥାନରେ ବିଦେଶୀ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ବେଳେ ଛୋଟମୋଟ ଜଳାଶୟରେ ଶିକାରୀମାନଙ୍କୁ ବିରୋଧ କରିବାକୁ କେହି ନାହିଁ। ତେଣୁ ଏହି କ୍ଷେତ୍ରରେ ମନୁଷ୍ୟ ବିବେକ ସମ୍ପନ୍ନ ହୋଇ ପକ୍ଷୀମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି।